କାଳାହାଣ୍ଡି : ବୀରବାଦ୍ୟ 'ଘୁମୁରା '। ବହନ କରେ ବୀରତ୍ୱର ବାର୍ତ୍ତା । ଶହ ଶହ ବର୍ଷ ପୂର୍ବରୁ ଯାହାର ଗର୍ଜନରେ କମ୍ପି ଉଠୁଥିଲା ରଣଭୂମି। ଯାହାର ଶବ୍ଦ ଶତ୍ରୁଙ୍କ କାନରେ ବାଜିବା ମାତ୍ରେ ଛାତିରେ ପଶୁଥିଲା ଛନକା… ଖାଲି ସେତିକି ନୁହେଁ, ଯୁଦ୍ଧ ପୂର୍ବରୁ ଯୋଦ୍ଧାଙ୍କୁ ଉତ୍ସାହିତ କରେ ଓ ମନୋବଳ ବଢ଼ାଏ ଘୁମୁରା। ଏହାର ପ୍ରତିଟି ତାଳରେ ରହିଛି ଯୁଦ୍ଧର ଝଲକ, ପ୍ରତିଟି ଧ୍ୱନିରେ ରହିଛି ଶକ୍ତି ଓ ଉପାସନାର ମହକ। ଘୁମୁରା ଓଡ଼ିଆ ମାଟିର ବୀରତ୍ୱ ଓ ପରମ୍ପରା। ଏହା କେବଳ ଏକ ନୃତ୍ୟ ନୁହେଁ, ଏହା ହେଉଛି ଆମ ଐତିହ୍ୟ, ଆମ ଅସ୍ମିତା ଆଉ କଳାହାଣ୍ଡିର ଗର୍ବ। ଯାହାର ଗର୍ଜନରେ ଆଜି ବି ଜୀବନ୍ତ ହୋଇଉଠେ ଅତୀତର ବୀରଗାଥା।

ପୌରାଣିକ ଉତ୍ପତ୍ତି ଓ ଇତିହାସ କୁହେ ‘କୁରାଳ ପୁରାଣ’ ଅନୁସାରେ ଭଗବାନ ବ୍ରହ୍ମା ବାର ଆଙ୍ଗୁଳି ପରିମିତ କାଠରୁ ଏହି ବାଦ୍ୟ ତିଆରି କରି ତାକୁ ଚୈତନ୍ୟ ମନ୍ତ୍ରରେ ପବିତ୍ର କରିଥିଲେ । ଏହା ସହ ଚନ୍ଦ୍ର ଦେବତା ମେରୁ ପର୍ବତରୁ ଗୋଧି ଚମଡ଼ା ଆଣି ଏହାକୁ ଆବୃତ କରିଥିଲେ। ପରବର୍ତ୍ତୀ ସମୟରେ ଏହା କୁବେରଙ୍କ ରାଜପ୍ରାସାଦରୁ ରାବଣର ଦରବାର ଏବଂ ପରେ ଏକ ଯୁଦ୍ଧ ବାଦ୍ୟ ଭାବେ ବ୍ୟବହୃତ ହୋଇଥିଲା। ଯାହାର ଉଲ୍ଲେଖ ସାରଳା ଦାସଙ୍କ ‘ମହାଭାରତ’ ଓ ‘ଚଣ୍ଡୀ ପୁରାଣ’ରେ ମଧ୍ୟ ମିଳେ ବୋଲି ଗବେଷକମାନେ ମତ ଦିଅନ୍ତି। ନୂଆପଡ଼ାର ନେହେନା ପ୍ରତ୍ନତାତ୍ତ୍ୱିକ ସ୍ଥଳୀରୁ ଘୁମୁରା ମୂର୍ତ୍ତି ମିଳିବା ସହ କୋଣାର୍କ ସୂର୍ଯ୍ୟ ମନ୍ଦିର ଏବଂ ଭୁବନେଶ୍ୱରର ଭୀମେଶ୍ୱର ମନ୍ଦିର କାନ୍ଥରେ ଥିବା ଘୁମୁରା ନର୍ତ୍ତକଙ୍କ ପ୍ରସ୍ତର ଚିତ୍ର ଏହାର ପ୍ରାଚୀନତା ଓ ଶାସ୍ତ୍ରୀୟତାକୁ ପ୍ରମାଣ କରେ।

Also Read- ରୁହନ୍ତୁ ସାବଧାନ : ଆଜି ଓ କାଲି ଏହି ଜିଲ୍ଲାରେ ଘଡ଼ଘଡ଼ି ସହ ବର୍ଷା !

ମା’ ମାଣିକେଶ୍ୱରୀଙ୍କ ଛତର ଯାତ୍ରା, ଲଙ୍କେଶ୍ୱରୀଙ୍କ ଖଣ୍ଡାବସା ଏବଂ ଆମପାଣିର ଦଶହରା ଆଦି ପର୍ବ ଘୁମୁରା ବିନା ଅସମ୍ପୂର୍ଣ୍ଣ। ପୂର୍ବରୁ ନୂଆଖାଇରେ ପୂଜା ପାଇ ବର୍ଷ ତମାମ ସାଇତା ହୋଇ ରହୁଥିବା ଏହି ପାରମ୍ପରିକ ନୃତ୍ୟ ଏବେ ବିଭିନ୍ନ ଉତ୍ସବ ଓ ଶୋଭାଯାତ୍ରାରେ ପରିବେଷିତ ହୋଇଛି। ଫଳରେ କଳାକାରଙ୍କ ପାଇଁ ଏକ ‘ଜୀବିକା’ରେ ପରିଣତ ହୋଇଛି। ଏହି ନୃତ୍ୟରେ ଅଂଶଗ୍ରହଣ କରନ୍ତି ପ୍ରାୟ ୧୫ରୁ ୨୦ ଜଣ କଳାକାର । ନର୍ତ୍ତକମାନଙ୍କ ସହିତ ନିଶାନ, ତାଳ, କାହାଳୀ, ଟାହାଲିଆ ଓ ମର୍ଦ୍ଦଳ ବାଦକ ବି କରନ୍ତି ସହଯୋଗ କରନ୍ତି। କଳାକାରମାନେ ଅଣ୍ଟାରେ ଘୁମୁରା ବାନ୍ଧିବା ସହ ମୁଣ୍ଡରେ ମୟୂରଚନ୍ଦ୍ରିକା ଖଚିତ ପଗଡ଼ି, ଜରିଦାର ବସ୍ତ୍ର ଓ ଦୁଇ ପରସ୍ତ ବିଶିଷ୍ଟ ଧୋତି ପରିଧାନ କରିଥାନ୍ତି। ଗୀତର ଛନ୍ଦ ଓ ବାଦ୍ୟର ତାଳେ ତାଳେ ନୃତ୍ୟ ପରିବେଷଣ କରି ଦର୍ଶକଙ୍କୁ ମନ୍ତ୍ରମୁଗ୍ଧ କରିଥାନ୍ତି।