ନୂଆଦିଲ୍ଲୀ: ସମୁଦ୍ର କୂଳରେ ପ୍ରାୟ ୨୫ ଦିନ ହେଲା ଫସିରହିଛି ୪୪ ଫୁଟର ବିଶାଳ ତିମି । ସମୁଦ୍ର ଭିତରକୁ ଯାଇପାରୁନି, କୂଳରେ ବଞ୍ଚିବାକୁ ସଂଘର୍ଷ କରୁଛି । ସରକାର ଉଦ୍ଧାରକାରୀ ଟିମ୍ ପଠାଇଛନ୍ତି ସତ, କିନ୍ତୁ ତିମିକୁ ଗଭୀର ସମୁଦ୍ରକୁ ଫେରାଇବା ସହଜ ହୋଇପାରୁନି । ତିମିକୁ ମରିବାକୁ ଛାଡ଼ିବା ଅପେକ୍ଷା, ବଞ୍ଚାଇବାକୁ ଶେଷ ପ୍ରୟାସ କରୁଛନ୍ତି ଉଦ୍ଧାରକାରୀ ଦଳ । ଏବେ ସମସ୍ତଙ୍କ ମନରେ ଗୋଟିଏ ପ୍ରଶ୍ନ, ସତରେ କଣ ସଫଳ ହେବ ଶେଷ ପ୍ରୟାସ ? ଆସନ୍ତୁ ଜାଣିବା ପ୍ରକୃତରେ ଘଟଣା କ’ଣ ।

କେମିତି ଫସିଲା ତିମି ?

୧୩.୫ ମିଟର (୪୪ ଫୁଟ) ଲମ୍ବା ହମ୍ପବ୍ୟାକ୍ ତିମିଟି ପ୍ରଥମେ ୨୩ ମାର୍ଚ୍ଚରେ ଲୁବେକ୍ ସହର ନିକଟସ୍ଥ ସମୁଦ୍ର କୂଳରେ ଫସି ଯାଇଥିଲା। ଏହା ପୂର୍ବରୁ ତିମିଟି, ସେହି ସ୍ଥାନରେ ଫସିଥିଲା ଏବଂ ଆପେ ଆପେ ଗଭୀର ସମୁଦ୍ରକୁ ଫେରିଯାଇଥିଲା । ଏଥର ମଧ୍ୟ ତିମିଟି ନିଜକୁ ମୁକ୍ତ କରି ଫେରିଯିବ ବୋଲି ଆଶା କରାଯାଉଥିଲା । କିନ୍ତୁ ଏପ୍ରିଲ ୧ରେ ତିମି ଶରୀରରେ ଗଭୀର ଆଘାତ ଲାଗିଥିବା ନେଇ ଦେଖିବାକୁ ପାଇଥିଲେ ଉଦ୍ଧାରକାରୀ ଦଳ । ଏଥର ତିମିଟି ଯେମିତି ସାହାଯ୍ୟ ପାଇଁ ବ୍ୟକୁଳ ହେଉଥିଲା । ଏନେଇ ଖବର ପ୍ରସାରଣ ହେବା ପରେ, ତିମି ପ୍ରତି ଜର୍ମାନୀର ଲୋକମାନେ ଦୟା ମନୋଭାବ ପୋଷଣ କରିଥିଲେ । ଏପରିକି ଲୋକମାନେ ଏହାର ନାଁ ‘ଟିମି’ ବୋଲି ଦେଇଦେଲେ । ଲୋକେ ରାସ୍ତାକୁ ଓହ୍ଲାଇ, ତିମିକୁ ବଞ୍ଚାଇବା ପାଇଁ ଦାବି କରିଥିଲେ ।

ବଞ୍ଚିପାରିବ ତ ତିମି ?

ଲୋକଙ୍କ ଦାବି ପରେ, ପ୍ରଶାସନ ବିଭିନ୍ନ ଯୋଜନା କରିଥିଲା । ପ୍ରଥମେ ବୋଟ୍ ସାହାଯ୍ୟରେ ତିମିଟିକୁ ଟାଣି ଟାଣି ବାହାର କରିବାକୁ ବ୍ୟବସ୍ଥା ହୋଇଥିଲା । କିନ୍ତୁ ଶେଷ ମୁହୂର୍ତ୍ତରେ ଏହି ଅଭିଯାନକୁ ବନ୍ଦ କରିଦେଇଥିଲା ପ୍ରଶାସନ । ଏହା ଦ୍ବାରା ତିମିର ବଞ୍ଚିବା କଷ୍ଟକର ହୋଇଥାନ୍ତା । ଏହାରି ମଧ୍ୟରେ ବୁଧବାର ଜର୍ମାନୀର ଅଧିକାରୀ ମାନେ ଶେଷ ଥର ପ୍ରୟାସ କରିବାକୁ ଉଦ୍ଧାରକାରୀ ଦଳକୁ ଗ୍ରୀନ ସିଗନାଲ୍ ଦେଇଛନ୍ତି । Humpback Whaleକୁ ବଞ୍ଚାଇବା ପାଇଁ ନୂଆ ରେସକ୍ୟୁ ପ୍ଲାନ ଦୁଇ ଜଣ ବ୍ୟବସାୟୀ ଦେଇଛନ୍ତି ବୋଲି ଏଏଫପିରେ ରିପୋର୍ଟ ପ୍ରକାଶ ପାଇଛି । ତେବେ ଏହି ନୂଆ ଯୋଜନାରେ, ତିମିକୁ ଏକ ପବନ ଭର୍ତ୍ତି ଗଦି (air-filled cushions) ସାହାଯ୍ୟରେ ଉପରକୁ ଉଠାଯିବ ଏବଂ ପରେ ଫ୍ଲୋଟିଂ ପ୍ଲାଟଫର୍ମ ମାଧ୍ୟମରେ ଗଭୀର ସମୁଦ୍ରକୁ ନିଆଯିବ ।

ପରିବେଶ ମନ୍ତ୍ରୀ ଟିଲ ବ୍ୟାକହାଉସ୍ କହିଛନ୍ତି, ତିମିଟି ବଞ୍ଚିଥିବା ଯାଏଁ ଉଦ୍ଧାର କରିବାକୁ ଚେଷ୍ଟା କରାଯିବ । ଏବେ ‘ଟିମି’କୁ ବଞ୍ଚାଇବା ପାଇଁ ପ୍ରୟାସ କରାଯାଉଛି, କିନ୍ତୁ ତାର ଅବସ୍ଥା ବହୁତ ଖରାପ ଅଛି । ଏହା ପୂର୍ବରୁ ସ୍ଥାନୀୟ ଅଧିକାରୀ କହିଥିଲେ ଯେ, ଏବେ ତିମିକୁ ଉଦ୍ଧାର କରିବା ସମ୍ଭବ ନୁହେଁ ।