ନୂଆଦିଲ୍ଲୀ ୧୭।୦୭; ଦୀର୍ଘଦିନ ଧରି ଫେରାର ଥିବା ଗ୍ୟାଙ୍ଗଷ୍ଟାର ନିତିଶ କୌଶଲକୁ ଆମେରିକାରେ ଗିରଫ କରାଯାଇଛି । ଫେଡେରାଲ ବ୍ୟୁରୋ ଅଫ୍ ଇନଭେଷ୍ଟିଗେସନ୍ (FBI) ତାକୁ ବାନ୍ଧିଛି । ଭାରତୀୟ ତଦନ୍ତକାରୀ ସଂସ୍ଥାଙ୍କ ସହ ସମନ୍ୱୟ ରକ୍ଷା କରି ଏହି କାର୍ଯ୍ୟାନୁଷ୍ଠାନ ହୋଇଥିବା ସୂଚନା ମିଳୁଛି । ନିତିଶ କୌଶଲ କୁଖ୍ୟାତ ଜଗୁ ଭଗବାନପୁର ଗ୍ୟାଙ୍ଗର ଜଣେ ସକ୍ରିୟ ସଦସ୍ୟ ।

ହତ୍ୟା, ରଙ୍ଗଦାରୀ, ଅସ୍ତ୍ର କାରବାର ସହ ଏକାଧିକ ସଙ୍ଗୀନ ଅପରାଧିକ ମାମଲାରେ ତାର ନାଁ ରହିଛି । ଆଇନର ଆଖିରେ ଧୂଳି ଦେଇ ସେ ବିଦେଶରେ ଲୁଚି ରହିଥିବା ଅଭିଯୋଗ ରହିଥିଲା ।ମାତ୍ର ଦୁଇ ଦିନ ପୂର୍ବରୁ ନିତିଶ କୌଶଲକୁ ମୋଷ୍ଟ ୱାଣ୍ଟେଡ୍ ଅପରାଧୀ ଭାବେ ଘୋଷଣା କରାଯାଇଥିଲା । ଏହାପରେ ତାର ଗତିବିଧି ଉପରେ ଆନ୍ତର୍ଜାତୀୟ ସ୍ତରରେ ନଜର ରଖାଯାଉଥିଲା। ଶେଷରେ ଆମେରିକାରେ ସେ ଆଇନର ଜାଲରେ ଧରାପଡ଼ିଛି । ଏବେ ନିତିଶ କୌଶଲଙ୍କୁ ଭାରତକୁ ଅଣାଯିବ କି ନାହିଁ ଏବଂ ପ୍ରତ୍ୟର୍ପଣ ପ୍ରକ୍ରିୟା କେବେ ଆରମ୍ଭ ହେବ, ସେନେଇ ଚର୍ଚ୍ଚା ଆରମ୍ଭ ହୋଇଛି ।

ତଦନ୍ତକାରୀ ସଂସ୍ଥା ତାଙ୍କୁ ଜେରା କରି ଗ୍ୟାଙ୍ଗର ଆନ୍ତର୍ଜାତୀୟ ନେଟୱର୍କ ଓ ଅପରାଧିକ କାରବାର ସମ୍ପର୍କରେ ଗୁରୁତ୍ୱପୂର୍ଣ୍ଣ ତଥ୍ୟ ପାଇପାରିବ ବୋଲି ଆଶା କରାଯାଉଛି । ଆମେରିକାରେ ଗ୍ୟାଙ୍ଗଷ୍ଟାର ନିତିଶ କୌଶଲଙ୍କ ଗିରଫକୁ ଆଇନ ପ୍ରବର୍ତ୍ତନକାରୀ ସଂସ୍ଥା ପାଇଁ ଏକ ବଡ଼ ସଫଳତା ଭାବେ ଦେଖାଯାଉଛି । ଏବେ ସମସ୍ତଙ୍କ ନଜର ରହିଛି ତାଙ୍କ ପ୍ରତ୍ୟର୍ପଣ ପ୍ରକ୍ରିୟା ଓ ଏହି ଗିରଫ ପରେ ସାମ୍ନାକୁ ଆସିବାକୁ ଥିବା ନୂଆ ତଥ୍ୟ ଉପରେ ।