ନୂଆଦିଲ୍ଲୀ: ଗୁଜରାଟର ରାଜଧାନୀ ଗାନ୍ଧୀନଗରରେ ବୁଧବାର ରାତିରେ ଏକ ବଡ଼ ଦୁର୍ଘଟଣା ଘଟିଛି । କୁଡ଼ାସନ ଅଞ୍ଚଳ ନିକଟରେ ଏକ ନିର୍ମାଣାଧୀନ ବିଲ୍ଡିଂର ବିରାଟ ସ୍ଲାବ୍ ହଠାତ୍ ଖସିପଡ଼ିଥିଲା । ଦୁର୍ଘଟଣା ପରେ ଘଟଣାସ୍ଥଳରେ ଭୟର ବାତାବରଣ ସୃଷ୍ଟି ହୋଇଥିଲା । ଭାଙ୍ଗି ପଡ଼ିଥିଲା ସ୍ଲାବ ତଳେ ପ୍ରାୟ ୧୫ ଜଣ ଚାପି ହୋଇ ରହିଥିବା ଆଶଂକା କରାଯାଉଛି ।

ପ୍ରାଥମିକ ସୂଚନା ଅନୁଯାୟୀ, ନିର୍ମାଣାଧୀନ ଏକ କୋଠାରେ ନିର୍ମାଣ କାର୍ଯ୍ୟ ସମୟରେ ଏକ କ୍ରେନ୍ ଖସିପଡ଼ିଥିଲା । କ୍ରେନ୍ ଖସିପଡ଼ିବା ଯୋଗୁଁ କୋଠାର ସ୍ଲାବର ଏକ ବଡ଼ ଅଂଶ ଭୁଶୁଡ଼ି ପଡ଼ିଥିବା ସନ୍ଦେହ କରାଯାଉଛି । ତଥାପି, ଦୁର୍ଘଟଣାର ସଠିକ୍ କାରଣ ଏପର୍ଯ୍ୟନ୍ତ ସ୍ପଷ୍ଟ ହୋଇନାହିଁ । ପ୍ରଶାସନ ଘଟଣାର ତଦନ୍ତ କରୁଛି ।

 

ଦୁର୍ଘଟଣା ସମ୍ପର୍କରେ ଖବର ପାଇବା ମାତ୍ରେ ପୋଲିସ ଓ ଦମକଳ ବାହିନୀର ଟିମ୍ ଘଟଣାସ୍ଥଳରେ ପହଞ୍ଚି ଉଦ୍ଧାର କାର୍ଯ୍ୟ ଆରମ୍ଭ କରିଥିଲେ । ରେସ୍କ୍ୟୁ ଟିମ୍ ଭଗ୍ନାବଶେଷ ତଳୁ ଚାରି ଜଣଙ୍କୁ ଉଦ୍ଧାର କରି ହସ୍ପିଟାଲ ପଠାଇଛି । ଖବର ପାଇବା ପରେ ଗୃହମନ୍ତ୍ରୀ ହର୍ଷ ସଂଘଭୀ ମଧ୍ୟ ଘଟଣାସ୍ଥଳରେ ପହଞ୍ଚିଛନ୍ତି । ସେ ଉଦ୍ଧାର ଅଭିଯାନ ଉପରେ ନଜର ରଖିଛନ୍ତି ।