ନୂଆଦିଲ୍ଲୀ: ଖାଦ୍ୟ ସୁରକ୍ଷା ନେଇ ପୁଣିଥରେ ବିବାଦରେ କ୍ୱିକ୍ କମର୍ସ (Quick commerce) ପ୍ଲାଟଫର୍ମ ‘ବ୍ଲିଙ୍କଇଟ୍’ (Blinkit)। ଜଣେ ବ୍ୟକ୍ତି ବ୍ଲିଙ୍କିଟ୍ରୁ ଦହି ମଗାଇ ଖାଇବା ପରେ ଅସୁସ୍ଥ ହୋଇପଡ଼ିଛନ୍ତି। ଘଟଣା ସାମ୍ନାକୁ ଆସିବା ପରେ ଗଣମାଧ୍ୟମରେ ଖବର ପାଲିଟିଛି। ଏହି ପ୍ଲାଟଫର୍ମରୁ ଅର୍ଡର କରାଯାଇଥିବା ଦହି ଖାଇ ଜଣେ ଗ୍ରାହକ ଗୁରୁତର ଭାବେ ଅସୁସ୍ଥ ହୋଇପଡ଼ିବା ପରେ ଭାରତୀୟ ଖାଦ୍ୟ ସୁରକ୍ଷା ଏବଂ ମାନକ ପ୍ରାଧିକରଣ (FSSAI) କଠୋର ଆଭିମୁଖ୍ୟ ଗ୍ରହଣ କରିଛି। ଖାଦ୍ୟ ନିୟାମକ ସଂସ୍ଥା ଏହି ଘଟଣାରେ ବ୍ଲିଙ୍କଇଟ୍କୁ କାରଣ ଦର୍ଶାଅ ନୋଟିସ୍ ଜାରି କରିଛି ଏବଂ ୨୪ ଘଣ୍ଟା ମଧ୍ୟରେ ଏହାର ଉତ୍ତର ରଖିବାକୁ ନିର୍ଦ୍ଦେଶ ଦେଇଛି।

କେବଳ ଏହି ଗୋଟିଏ ଅଭିଯୋଗ ନୁହେଁ, ଅନେକ ସମୟରେ ବ୍ଲିଙ୍କିଟ୍ରେ ନଷ୍ଟ, ଅସ୍ବାସ୍ଥ୍ୟକର ଏବଂ ଖରାପ ଖାଦ୍ୟ ଡେଲିଭରି ଦିଆଯାଉଥିବା ଏକାଧିକ ଅଭିଯୋଗ ହୋଇଛି। କିଛି ଅଭିଯୋଗ ସିଧାସଳକ ଗ୍ରାହକଙ୍କଠାରୁ ଆସିଥିବା ବେଳେ ଆଉ କିଛି ସୋସିଆଲ ମିଡିଆମ ମାଧ୍ୟମରେ ଆସିଛି।

ହେଲେ ଏବେ ଘଟିଥିବା ଘଟଣା ଅନୁସାରେ, ଜଣେ ଗ୍ରାହକ ବ୍ଲିଙ୍କଇଟ୍ ମୋବାଇଲ ଆପ୍ ମାଧ୍ୟମରେ ଦହି ଅର୍ଡର କରିଥିଲେ। ଏହା ଖାଇବାର କିଛି ସମୟ ପରେ ତାଙ୍କର ପେଟରେ ପ୍ରବଳ ଯନ୍ତ୍ରଣା ହୋଇଥିଲା। ସେ ଝାଡ଼ାବାନ୍ତି ଭଳି ସମସ୍ୟାର ସମ୍ମୁଖୀନ ହୋଇଥିଲେ। ଗ୍ରାହକ ଜଣକ ଚିକିତ୍ସା ପାଇଁ ଡାକ୍ତରଙ୍କ ସହାୟତା ନେଇଥିଲେ ଏବଂ ନିଜ ଅଭିଯୋଗ ସହିତ ମେଡିକାଲ ପ୍ରେସକ୍ରିପସନ୍ (ଡାକ୍ତରଙ୍କ ପରାମର୍ଶ) ମଧ୍ୟ FSSAI ନିକଟରେ ଦାଖଲ କରିଛନ୍ତି।

ଏହି ଘଟଣାକୁ ଗମ୍ଭୀରତାର ସହ ନେଇ FSSAI, ବ୍ଲିଙ୍କଇଟର ସିଇଓ ଏବଂ ଅପରେସନ୍ ଦାୟିତ୍ୱରେ ଥିବା ଅଧିକାରୀଙ୍କୁ ମେ’ ୨୯ ତାରିଖରେ ଏକ ଚିଠି ଲେଖିଛି। ଖାଦ୍ୟ ନିରାପତ୍ତା ଆଇନ (FSS Act, 2006) ଅନୁଯାୟୀ, ଇ-କମର୍ସ ଖାଦ୍ୟ କାରବାର କରୁଥିବା ସଂସ୍ଥାଗୁଡ଼ିକ ବିକ୍ରୟ କରୁଥିବା ଖାଦ୍ୟର ଗୁଣବତ୍ତା ଏବଂ ନିରାପତ୍ତା ପାଇଁ ସିଧାସଳଖ ଦାୟୀ। FSSAI ବ୍ଲିଙ୍କଇଟ୍କୁ ଏହି ମାମଲାରେ ସବିଶେଷ 'ଆକ୍ସନ୍ ଟେକେନ୍ ରିପୋର୍ଟ' (ATR) ମଧ୍ୟ ଦାଖଲ କରିବାକୁ କହିଛି।

Also Read- Foreign Portfolio Investors: ସଂକଟ ବେଳେ ଧୋକା ଦେଉଛନ୍ତି ବିଦେଶୀ, ଭାରତରୁ କାଢି ନେଲେଣି ୨.୨୫ ଲକ୍ଷ କୋଟି ଟଙ୍କା

ଉଲ୍ଲେଖଯୋଗ୍ୟ ଯେ, ନିକଟ ଅତୀତରେ ସୋସିଆଲ ମିଡିଆରେ ବ୍ଲିଙ୍କଇଟ୍ ମାଧ୍ୟମରେ ନିମ୍ନମାନର ଅଣ୍ଡା ଏବଂ ଅନ୍ୟାନ୍ୟ ଅସୁରକ୍ଷିତ ଖାଦ୍ୟ ସାମଗ୍ରୀ ବିକ୍ରି ହେଉଥିବା ନେଇ ଅନେକ ଅଭିଯୋଗ ଆସିଥିଲା। ଏହା ପୂର୍ବରୁ ମଧ୍ୟ FSSAI ଏଭଳି ଅଭିଯୋଗକୁ ନେଇ କମ୍ପାନୀକୁ ନୋଟିସ୍ ଜାରି କରିଥିଲା।