ନୂଆଦିଲ୍ଲୀ: ଗତ ୨୪ ଘଣ୍ଟାରେ ଦେଶର ଅଲଗା ଅଲଗା ସ୍ଥାନରେ ୫ଟି ଭୀଷଣ ଦୁର୍ଘଟଣା ଘଟିଛି। କୋଲକାତା ପୂଜା ମଣ୍ଡପରେ ଦଳାଚକଟାରୁ ଆରମ୍ଭ କରି କୋଟାରେ ବସ୍ ଓ ଗ୍ୱାଲିୟରରେ ଅନିୟନ୍ତ୍ରିତ ଟ୍ରକ୍ ପାର୍ବଣର ଆନନ୍ଦକୁ ପାଣିଚିଆ କରିଦେଇଛି। ଦେଶର ଅଲଗା ଅଲଗା ରାଜ୍ୟରେ ହୋଇଥିବା ୫ଟି ଦୁର୍ଘଟଣାରେ ମୋଟ ୪୯ ଜଣଙ୍କ ମୃତ୍ୟୁ ହୋଇଛି। ଏଥିରେ ଗ୍ୱାଲିୟରରେ ୧୮ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ କୋଲକାତାରେ ୧୯, ୟୁପି ବଳରାମ ପୁରରେ ୩, ରାଜସ୍ଥାନ କୋଟାରେ ୮ଓ ହାଇଦ୍ରାବାଦ ଦାଣ୍ଡିଆ ଦୁର୍ଘଟଣାରେ ଜଣକର ଏହିପରି ମୋଟ ୪୯ ଜଣ ପ୍ରାଣ ହରାଇଛନ୍ତି।

ରାଜସ୍ଥାନ କୋଟାରେ ଶନିବାର ଭୋର ସମୟରେ ଏକ ବଡ଼ ଧରଣର ଦୁର୍ଘଟଣା ଘଟିଥିଲା। ଦିଲ୍ଲୀରୁ ମୁମ୍ବାଇ ଯାଉଥିବା ଏକ ପ୍ୟାସେଞ୍ଜର ବସ୍ ଦିଲ୍ଲୀ-ମୁମ୍ବାଇ ଏକ୍ସପ୍ରେସ୍ ୱେର କରାଡିଆ ନିକଟରେ ୧୫ ଫୁଟ ନାଳକୁ ଖସିପଡିଥିଲା। ଏହି ଦୁର୍ଘଟଣାରେ ୮ ଜଣ ଯାତ୍ରୀଙ୍କ ମୃତ୍ୟୁ ହୋଇଛି ଓ ୧୭ ଜଣ ଆହତ ହୋଇଛନ୍ତି। ସୂର୍ଯ୍ୟୋଦୟ ପୂର୍ବରୁ ଘଟିଥିବା ଏହି ଦୁର୍ଘଟଣାରେ ଉଦ୍ଧାର ଅଭିଯାନ ଅନ୍ଧାର ଯୋଗୁ ବିଳମ୍ବ ହୋଇଥିଲା। ଆହତଙ୍କୁ ବସ୍ ର ଝରକା ଭାଙ୍ଗି ଅତ୍ୟନ୍ତ କଷ୍ଟରେ ବାହାରକୁ ବାହାର କରାଯାଇଥିଲା। ସକାଳର ଏହି ଘଟଣା ପରେ ସନ୍ଧ୍ୟାରେ କୋଲକାତା ପୂଜାମଣ୍ଡପରେ ଦଳାଚକଟା ହୋଇଥିଲା।

ଉତ୍ତର କୋଲକାତାର ଚୋରବାଗାନ ସାର୍ବଜନୀନ ଦୁର୍ଗା ପୂଜା ମଣ୍ଡପରେ ଶନିବାର ସନ୍ଧ୍ୟାରେ ଦଳାଚକଟା ହେବା ଯୋଗୁ ୧୯ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ୨୪ ଜଣ ଆହତ ହୋଇଛନ୍ତି। ମୃତକଙ୍କ ମଧ୍ୟରେ ୪ ପୁରୁଷ, ୧୩ ମହିଳା ଓ ୨ ଜଣ ପିଲା ଥିବା ବେଳେ ଆହତ ୨୪ ଜଣଙ୍କ ମଧ୍ୟରୁ ୧୧ ଜଣଙ୍କୁ ଏସଏସକେଏମ ହସ୍ପିଟାଲ ରେଫର କରାଯାଇଛି। ଏଥିରେ ଜଣେ ଗୁରୁତରଙ୍କ ଅବସ୍ଥା ଜଟିଳ ଥିବାର କୁହାଯାଉଥିବାରୁ ମୃତ୍ୟୁସଂଖ୍ୟା ବଢିବ ବୋଲି ଆଶଙ୍କା କରାଯାଉଛି।

ସେହିପରି ଗ୍ୱାଲିୟର ସୀତଲମାତା ମନ୍ଦିର ନିକଟରେ ଶନିବାର ବିଳମ୍ବିତ ରାତ୍ରିରେ ମର୍ମନ୍ତୁଦ ଦୁର୍ଘଟଣା ଘଟିଥିଲା। ନବରାତ୍ରି ପାଇଁ ମନ୍ଦିର ଯାଉଥିବା ଶ୍ରଦ୍ଧାଳୁଙ୍କୁ ଅନିୟନ୍ତ୍ରିତ ଟ୍ରକ୍ ଧକ୍କା ଦେଇଥିଲା। ଛିନୋରରୁ ଆସୁଥିବା ଟ୍ରକ୍ ଧକ୍କାରେ ଅନୁନ୍ୟ ୧୮ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ଅନେକ ଲୋକେ ଆହତ ହୋଇଛନ୍ତି। ଆହତଙ୍କ ମଧ୍ୟରେ ଡ୍ୟୁଟିରେ ମୁତୟନ ଥିବା ପୋଲିସ କର୍ମଚାରୀ ମଧ୍ୟ ଅଛନ୍ତି। ଏସଏସପିଙ୍କ ଅନୁସାରେ ଘଟଣାସ୍ଥଳରୁ ୩୯ ଜଣଙ୍କୁ ଉଦ୍ଧାର କରି ହସ୍ପିଟାଲ ପହଞ୍ଚାଯାଇଥିଲା। ଏମାନଙ୍କ ମଧ୍ୟରୁ ୧୮ ଜଣଙ୍କ ମୃତ୍ୟୁ ହୋଇଛି। ଆହତଙ୍କ ମଧ୍ୟରୁ କେତେକଙ୍କ ଅବସ୍ଥା ଗୁରୁତର ରହିଛି। ଏଣୁ ମୃତ୍ୟୁ ସଂଖ୍ୟା ବଢିବ ବୋଲି ଆଶଙ୍କା କରାଯାଉଛି।

ଉତ୍ତରପ୍ରଦେଶ ବଲରାମପୁରରେ ଶନିବାର ରାତି ୧୧ଟା ବେଳେ ଏକ ଦ୍ରୁତଗାମୀ କାର ପର୍ଦ୍ଦା ସିନେମା ଦେଖୁଥିବା ଲୋକଙ୍କ ଉପରେ ଚଢି ଚାଲିଯାଇଛି। ଚରନଗହିୟା ଦୁର୍ଗା ମନ୍ଦିର ନିକଟରେ ଲୋକେ ପର୍ଦ୍ଦା ଲଗାଇ ସିନେମା ଦେଖୁଥିବା ବେଳେ ଏହି ଅଘଟଣ ଘଟିଛି। ଦୁର୍ଘଟଣାରେ ୭ ଜଣ ଆହତ ହୋଇଥିଲେ। ଆହତଙ୍କ ମଧ୍ୟରୁ ୩ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ୪ ଜଣ ଗୁରୁତ୍ତର ଅଛନ୍ତି। ଦୁର୍ଘଟଣାରେ ମୃତକଙ୍କ ଚିହ୍ନଟ ହୋଇଛି। ସେମାନେ ହେଲେ ପାଟେଶ୍ୱରୀ ପ୍ରସାଦ ଓରଫ ମହତା ପ୍ରସାଦ, ମନୋଜ ସିଂହ ଓ ଗଣେଶ ପାଣ୍ଡେୟ । ଏହି ଦୁର୍ଘଟଣାରେ ଆହତ ୪ ଜଣଙ୍କ ମଧ୍ୟରୁ ୨ ଜଣଙ୍କ ଅବସ୍ଥା ଗୁରୁତର ରହିଛି। ଏଣୁ ସେମାନଙ୍କୁ ବହରାଇଚ ହସ୍ପିଟାଲକୁ ରେଫର କରାଯାଇଛି।

ନବରାତ୍ରି ପାଇଁ ହାଇଦ୍ରାବାଦର ଏକ ଇଞ୍ଜିନିୟରିଂ କଲେଜରେ ଦାଣ୍ଡିଆ କାର୍ଯ୍ୟକ୍ରମ ଆୟୋଜନ କରାଯାଇଥିଲା। କାର୍ଯ୍ୟକ୍ରମ ଚାଲିଥିବା ବେଳେ ଆଲୋକ ବ୍ୟବସ୍ଥା ହୋଇଥିବା ଟ୍ରସ ଭାଙ୍ଗିପଡିଥିଲା। ଫଳରେ ଜଣେ ଇଞ୍ଜିନିୟରିଂ ଛାତ୍ରଙ୍କ ମୃତ୍ୟୁ ହୋଇଛି। ପୋଲିସ ସୂଚନା ଅନୁସାରେ ଏହି ଦୁର୍ଘଟଣାରେ ଅନ୍ୟ ୧୪ ଜଣ ଆହତ ହୋଇଛନ୍ତି। ସମସ୍ତ ଆହତଙ୍କୁ ସ୍ଥାନୀୟ ଏକ ଘରୋଇ ହସ୍ପିଟାଲରେ ଭର୍ତ୍ତି କରାଯାଇଥିବା ବେଳେ ସେମାନେ ଏବେ ବିପଦ ମୁକ୍ତ ଥିବା କୁହାଯାଉଛି।