ନୂଆଦିଲ୍ଲୀ : ଶେଷ ହେଲା ଅଗଷ୍ଟ ମାସ, ରାତି ପାହିଲେ ସେପ୍ଟେମ୍ବର ମାସ। ଆସୁଥିବା ଏହି ମାସରେ କେବଳ କ୍ୟାଲେଣ୍ଡର ବଦଳିବନି ବରଂ ସାରା ଦେଶରେ ସାଧାରଣ ଲୋକଙ୍କ ଦୈନନ୍ଦିନ ଜୀବନରେ ଅନେକ କିଛି ବଦଳିଯିବ। ଆପଣଙ୍କ ଘରର ରୋଷେଇରୁ ଆରମ୍ଭ କରି ବ୍ୟାଙ୍କ ଖାତା ଓ ବିଦେଶ ଯାତ୍ରା ଯୋଜନା ପର୍ଯ୍ୟନ୍ତ ସେପ୍ଟେମ୍ବରରେ ଗୁରୁତ୍ୱପୂର୍ଣ୍ଣ ପରିବର୍ତ୍ତନ ହେବାକୁ ଯାଉଛି। ଏଥିରୁ କିଛି ପରିବର୍ତ୍ତନ ଆପଣଙ୍କୁ ଆଶ୍ୱସ୍ତ କରିପାରେ ତ ଆଉକିଛି ପରିବର୍ତ୍ତନ ଆପଣଙ୍କ ପକେଟ୍ ଉପରେ ଅତିରିକ୍ତ ବୋଝ ପକାଇପାରେ। ଖାଇବ ପିଇବା ପଦାର୍ଥର ମୂଲ୍ୟରୁ ଆରମ୍ଭ କରି ବ୍ୟାଙ୍କିଙ୍ଗ ସେବା, ଶୁଳ୍କ ଓ ଅନ୍ତର୍ଜାତୀୟ ଯାତ୍ରା ସମ୍ପର୍କିତ ପ୍ରାବଧାନରେ ବଡ଼ଧରଣ ପରିବର୍ତ୍ତନ ହେବ।

ସେପ୍ଚେମ୍ବରରେ ଅନ୍ତର୍ଜାତୀୟ ଯାତ୍ରୀଙ୍କ ଲାଗି ଆଶ୍ୱସ୍ତି
ଭାରତରୁ ବିଦେଶ ଯାଉଥିବା ଯାତ୍ରୀଙ୍କ ଲାଗି ଏୟାରପୋର୍ଟରେ ଇମିଗ୍ରେସନ ପ୍ରକ୍ରିୟା ଏବେ ଆହୁରି ସହଜ ହେବ। ସେପ୍ଟେମ୍ବର ୧ ତାରିଖରୁ ଅନ୍ତର୍ଜାତୀୟ ଯାତ୍ରୀଙ୍କୁ ତାଙ୍କ ବୋର୍ଡିଂ ପାସ୍ ରେ ଇମିଗ୍ରେସନ କ୍ଲିୟରାନ୍ସ କାଳରେ ଆଉ ଷ୍ଟାମ୍ପ ଲଗାଇବାକୁ ପଡିବନି। ଏହି ପରିବର୍ତ୍ତନ ଯୋଗୁ ପ୍ରସ୍ଥାନ ପ୍ରକ୍ରିୟାରେ ଏକ ଅତିରିକ୍ତ ପଦକ୍ଷେପ ସମାପ୍ତ ହୋଇଯିବ ଓ ଯାତ୍ରା ଅନୁଭବ ସହଜ ହେବ।

ରୋଷେଇ ଗ୍ୟାସ୍ ଓ ପେଟ୍ରୋଲ, ଡିଜେଲ ଦରରେ ପରିବର୍ତ୍ତନ
ଅଏଲ ମାର୍କେଟିଂ କମ୍ପାନୀମାନେ ସବୁ ମାସର ପହିଲା ତାରିଖରେ ରୋଷେଇ ଗ୍ୟାସ୍ (ଏଲପିଜି) ଓ ପେଟ୍ରୋଲ, ଡିଜେଲର ନୂଆ ଦର ଜାରି କରନ୍ତି। ଏଥିରେ ସେପ୍ଟେମ୍ବର ପହିଲାରେ ରୋଷେଇ ଗ୍ୟାସ୍ ପାଇଁ ନୂଆ ଦର ଜାରି ହେବାର ଅନେକ ସମ୍ଭାବନା ରହିଛି। ରୋଷେଇ ଗ୍ୟାସ୍ ମୂଲ୍ୟରେ କୌଣସି ପ୍ରକାର ହ୍ରାସ ଅଥବା ବୃଦ୍ଧିର ପ୍ରଭାବ ଆପଣଙ୍କ ପକେଟ ଉପରେ ପଡିବ।

କାର କିଣିବା ହେବ ମହଙ୍ଗା
ଏହିମାସରେ ଯଦି ଆପଣ ନୂଆ କାର କିଣିବାକୁ ଯୋଜନା କରିଥାନ୍ତି ତେବେ ଏହି ଖବର ଆପଣଙ୍କ ଲାଗି। ସେପ୍ଟେମ୍ବର ୧ ତାରିଖରୁ ଟାଟା ଓ ହ୍ୟୁଣ୍ଡାଇ କାର ମହଙ୍ଗା ହେବ। ଟାଟା ମୋଟର୍ସ ତାଙ୍କ ସବୁ ଭାରିଏଣ୍ଟ ଓ ଏସୟୁଭି ମୂଲ୍ୟରେ ୨୫ ହଜାର ଟଙ୍କା ବୃଦ୍ଧି କରିବାକୁ ଯାଉଛନ୍ତି। ସେହିପରି ହ୍ୟୁଣ୍ଡାଇ ମଧ୍ୟ କାର ମହଙ୍ଗା ହେବ ବୋଲି ପୂର୍ବରୁ ଘୋଷଣା କରିସାରିଛି।

ମୁମ୍ବାଇରେ ବଢିବ ଦୁଗ୍ଧ ଦର
ସେପ୍ଟେମ୍ବର ମାସ ପହିଲା ତାରିଖରେ ମୁମ୍ବାଇ ଲୋକଙ୍କ ପକେଟକୁ ଜୋରଦାର ଝଟକା ଲାଗିବ। ସେପ୍ଟେମ୍ବର ପହିଲାରୁ ଆର୍ଥିକ ରାଜଧାନୀରେ ଦୁଗ୍ଧ ମୂଲ୍ୟ ବଢିବାର ଅଛି। ତେବେ ଏହି ଦର ବୃଦ୍ଧି ପ୍ୟାକେଟ୍ ଦୁଗ୍ଧ ନିମନ୍ତେ ଲାଗୁ ହେବ ନାହିଁ। ଏହି ମୂଲ୍ୟବୃଦ୍ଧି ଖୋଲା କ୍ଷୀରରେ ହେବ। ଲିଟର ପିଛା ୯ ଟଙ୍କା ଲେଖାଏଁ ବଢାଇବାକୁ ମହାସଂଘ ନିଷ୍ପତ୍ତି ନେଇଛି।

ଆଇଟିଆର ଡେଡଲାଇନ ସମାପ୍ତ
ଫାଇନାନ୍ସ ଆକ୍ଟ ୨୦୨୬ ମାଧ୍ୟମରେ ଇନକମ ଟ୍ୟାକ୍ସ ଆକ୍ଟ ୧୯୬୧ରେ ହୋଇଥିବା ପରିବର୍ତ୍ତନ ଅନୁସାରେ ନୂଆ ରିଟର୍ଣ୍ଣ ଫାଇଲିଂ କ୍ୟାଲେଣ୍ଡର ଅନୁସାରେ ବିଜନେସ୍ ଅଥବା ପ୍ରୋଫେସନାଲ ଆୟ କରୁଥିବା ଅଣ ଅଡିଟ ଟ୍ୟାକ୍ସ ପେୟରଙ୍କ ଲାଗି ଆୟକର ରିଟର୍ଣ୍ଣ (ଆଇଟିଆର) ଦାଖଲ କରିବାରେ ଶେଷ ତାରିଖ ୩୧ ଅଗଷ୍ଟରେ ଶେଷ ହୋଇଛି। ସାଧାରଣ ଟ୍ୟାକ୍ସ ପେୟରଙ୍କ ଲାଗି ଏହା ଜୁଲାଇ ୩୧ରେ ଶେଷ ହୋଇଥିଲା।