ଭୁବନେଶ୍ୱର: ରାଜ୍ୟର ଶିକ୍ଷା କ୍ଷେତ୍ରରେ ଏକ ଯୁଗାନ୍ତକାରୀ ଓ ଐତିହାସିକ ଅଧ୍ୟାୟ ଆରମ୍ଭ ହେବାକୁ ଯାଉଛି । ଏଣିକି ଆର୍ଥିକ ଅଭାବ କାରଣରୁ ଓଡ଼ିଶାର କୌଣସି ବି ଛାତ୍ରଛାତ୍ରୀ ପାଠପଢ଼ାରୁ ବଞ୍ଚିତ ହେବେ ନାହିଁ କିମ୍ବା ମଝିରୁ ପାଠ ଛାଡ଼ିବେ ନାହିଁ । ରାଜ୍ୟରେ କେଜି ଠାରୁ ଆରମ୍ଭ କରି ସ୍ନାତକୋତ୍ତର ପର୍ଯ୍ୟନ୍ତ ସମସ୍ତ ଛାତ୍ରଛାତ୍ରୀଙ୍କୁ ମାଗଣା ଶିକ୍ଷା ପ୍ରଦାନ କରାଯିବ । ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ଅଧ୍ୟକ୍ଷତାରେ ଲୋକସେବା ଭବନଠାରେ ଅନୁଷ୍ଠିତ କ୍ୟାବିନେଟ୍ ବୈଠକରେ ଏହି ମେଗା ଯୋଜନା ‘ଜ୍ଞାନୋଦୟ- ଶିକ୍ଷାରୁ ସମୃଦ୍ଧି’କୁ ଆନୁଷ୍ଠାନିକ ଅନୁମୋଦନ ମିଳିଛି ।

ଆଜିର କ୍ୟାବିନେଟ୍ରେ ରାଜ୍ୟର ବିକାଶ ପାଇଁ ମୋଟ ୧୨ଟି ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନିଆଯାଇଥିବା ବେଳେ ଶିକ୍ଷା କ୍ଷେତ୍ରର ଏହି ପଦକ୍ଷେପ ସବୁଠାରୁ ବଡ଼ ସଂସ୍କାର ଆଣିବ ।

ଚଳିତ ଶିକ୍ଷାବର୍ଷରୁ ହିଁ ଲାଗୁ ହେବ ନୂଆ ନିୟମ

ମୁଖ୍ୟମନ୍ତ୍ରୀଙ୍କ ଘୋଷଣା ଅନୁଯାୟୀ, ଚଳିତ ଶିକ୍ଷାବର୍ଷ ୨୦୨୬-୨୭ରୁ ହିଁ ଏହି ଯୋଜନା ସାରା ରାଜ୍ୟରେ କାର୍ଯ୍ୟକାରୀ ହେବ । ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ଏବଂ ଉଚ୍ଚଶିକ୍ଷା ବିଭାଗ ଅଧୀନରେ ଥିବା ସମସ୍ତ ସରକାରୀ ଏବଂ ସରକାରୀ ଅନୁଦାନପ୍ରାପ୍ତ ଅନୁଷ୍ଠାନଗୁଡ଼ିକରେ ନିୟମିତ ପାଠ୍ୟକ୍ରମରେ ନାମ ଲେଖାଉଥିବା ଯୋଗ୍ୟ ଛାତ୍ରଛାତ୍ରୀଙ୍କୁ ସମ୍ପୂର୍ଣ୍ଣ ନାମଲେଖା ଫି’ ଛାଡ଼ କରାଯିବ । ଶିକ୍ଷାକୁ ସାମଗ୍ରିକ ଓ ସ୍ଥାୟୀ ବିକାଶର ମୂଳଦୁଆ ଭାବେ ଗ୍ରହଣ କରି ରାଜ୍ୟ ସରକାର ଶିକ୍ଷା କ୍ଷେତ୍ରରେ ଏହି ବୃହତ୍ତମ ପୁଞ୍ଜିନିବେଶ କରିଛନ୍ତି । କ୍ୟାବିନେଟ୍ ଏହି ଯୋଜନା ପାଇଁ ପ୍ରଥମ ଆର୍ଥିକ ବର୍ଷରେ ୮୯୫.୫୭ କୋଟି ଟଙ୍କା ଏବଂ ୫ ବର୍ଷ ପାଇଁ ୫,୪୬୭.୫୫ କୋଟିର ବ୍ୟୟ ଅଟକଳ ମଞ୍ଜୁର କରାଯାଇଛି । ସରକାରଙ୍କ ଏହି ପଦକ୍ଷେପ ଫଳରେ ରାଜ୍ୟର ପ୍ରତିବର୍ଷ ୩୨ ଲକ୍ଷରୁ ଅଧିକ ଛାତ୍ରଛାତ୍ରୀ ଉପକୃତ ହେବେ ।

ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ, "ଜ୍ଞାନୋଦୟ - ଶିକ୍ଷାରୁ ସମୃଦ୍ଧି" କେବଳ ଏକ ଫି’ ଛାଡ଼ କାର୍ଯ୍ୟକ୍ରମ ନୁହେଁ, ବରଂ ଏହା ପ୍ରତ୍ୟେକ ଶିଶୁ ଏବଂ ଯୁବକଯୁବତୀଙ୍କୁ ଶିକ୍ଷା ଗ୍ରହଣର ସମାନ ସୁଯୋଗ ଦେବାର ସଂକଳ୍ପ । ଏହି ପ୍ରୟାସ ଜାତୀୟ ଶିକ୍ଷା ନୀତି ୨୦୨୦, ଓଡ଼ିଶା ଭିଜନ ୨୦୩୬ ଏବଂ ଓଡ଼ିଶା ଭିଜନ ୨୦୪୭ର ଲକ୍ଷ୍ୟ ହାସଲ କରିବାରେ ବଡ଼ ସହାୟକ ।