ନୂଆଦିଲ୍ଲୀ: ରାଜସ୍ଥାନର କୋଟା-ଚିତୋରଗଡ଼ ରାଜପଥରେ ରବିବାର ରାତିରେ ଘଟି ଯାଇଥିଲା ଛାତିଥରା ଦୁର୍ଘଟଣା । ଏଥିରେ ଚାରି ଯୁବକଙ୍କ ମୃତ୍ୟୁ ହୋଇଥିଲା । ୧୦ ଜଣ ଗୁରୁତ ଭାବେ ଆହତ ହୋଇଥିଲେ । ଏବେ ଏହି ଦୁର୍ଘଟଣା ଉପରେ ଆଉ ଏକ ହୃଦୟସ୍ପର୍ଶୀ କଥା ସାମନାକୁ ଆସୁଛି । ଦୁର୍ଘଟଣାଟି ଚିତୋରଗଡ଼ର ମାଡ଼ନା ନିକଟରେ ହୋଇଥିଲା । ଗୋଟିଏ ସ୍ୱିଫ୍ଟ କାର ରଙ୍ଗ୍ ରୋଡରେ ଆସି ବାଇକରେ ଯାଉଥିବା ସ୍ୱାମୀ-ସ୍ତ୍ରୀଙ୍କୁ ଧକ୍କା ଦେଇଥିଲା ।

କାର୍ ଧକ୍କାରେ ବାଇକ୍ ଆରୋହୀ ଶମ୍ଭୁଲାଲ୍ ଓ ତାଙ୍କ ପତ୍ନୀ କାଲି ବାଇ ରାସ୍ତା ମଝିକୁ ଛିଞ୍ଚାଡ଼ି ହୋଇ ପଡ଼ିଥିଲେ । ନିକଟରେ ଥିବା ଏକ ଢାବାରୁ ଲୋକମାନେ ସାହାଯ୍ୟ ପାଇଁ ଧାଇଁ ଆସିଥିଲେ । ଠିକ୍ ସେହି ସମୟରେ ଚିତୋରଗଡ଼ ଆଢ଼ୁ କୋଟା ଯାଉଥିବା ଏକ ଇକୋ କାର୍ ସାହାଯ୍ୟ ପାଇଁ ଯାଇଥିବା ଲୋକଙ୍କ ଉପରେ ମାଡ଼ି ଯାଇଥିଲା । ଏହି ସମୟରେ ପଛରେ ଆସୁଥିବା ଆଉ ଏକ କାର୍ ଧକ୍କା ଇକୋ କାର ଓଲଟି ପଡ଼ିଥିଲା । ସେହି କାର୍ ମଧ୍ୟ ରାସ୍ତାରେ ଥିବା ଡିଭାଇଡରରେ ପିଟି ହୋଇଥିଲା ।

ପୋଲିସ୍ ଅଧିକାରୀ ଶିବଲାଲ୍ ମୀଣା ସୂଚନା ଦେଇଥିଲେ, ଘଟଣାସ୍ଥଳରେ ହେମରାଜ ଗୁରଜାର (୩୫) ଓ ରାଜେଶ ମୀଣା (୨୯)ଙ୍କ ମୃତ୍ୟୁ ହୋଇଥିଲା । ଅନ୍ୟ ଦୁଇ ଜଣ ଫୋରୁଲାଲ୍ (୩୩) ଓ ସୋନୁ ଗୁରଜାର (୪୦) ହସ୍ପିଟାଲରେ ଚିକିତ୍ସାଧୀନ ଅବସ୍ଥାରେ ପ୍ରଣା ହରାଇଥିଲେ । ଦୁର୍ଘଟଣାରେ ଗୁରୁତର ଅନ୍ୟ ୧୦ ଜଣଙ୍କୁ ଚିତୋରଗଡ଼, ଉଦୟପୁର, କୋଟା ହସ୍ପିଟାଲରେ ଭର୍ତ୍ତି କରାଯାଇଛି ।