ବ୍ୟାଂକକ୍: ଥାଇଲ୍ୟାଣ୍ଡର ପୂର୍ବତନ ପ୍ରଧାନମନ୍ତ୍ରୀ ଥାକସିନ ସିନାୱାତ୍ରାଙ୍କୁ ସୋମବାର ଜେଲ୍ ରୁ ମୁକ୍ତ କରିଦିଆଯାଇଛି। ତାଙ୍କୁ ପ୍ୟାରୋଲରେ ଏକ ବର୍ଷ ଦଣ୍ଡର ଶେଷ ୪ ମାସ ଘରେ ପୁରା କରିବାକୁ ଅନୁମତି ଦିଆଯାଇଛି। କୋର୍ଟଙ୍କ ଏହି ନିଷ୍ପତ୍ତି ପରେ ଥାକସିନଙ୍କୁ ୮ ମାସ ଜେଲ୍ ରେ ବିତାଇବାକୁ ପଡିଛି। ତେବେ ସେ ଜେଲ ଦଣ୍ଡରୁ ବର୍ତ୍ତିବା ପାଇଁ ହସ୍ପିଟାଲରେ ରହିବାର ବାହାନା କରିଥିଲେ। ବ୍ୟାଂକକ୍ କ୍ଲୋଙ୍ଗ ପ୍ରେମ ସେଣ୍ଟ୍ରାଲ ଜେଲ ବାହାରେ ତାଙ୍କୁ ଭବ୍ୟ ସ୍ୱାଗତ କରାଯାଇଛି। ଥାକସିନ୍ ଧଳା ପୋଲୋ ଟି-ସାର୍ଟ ଓ ନିଳ ପ୍ୟାଣ୍ଟରେ ଜେଲରୁ ବାହାରକୁ ବାହାରିଛନ୍ତି।

ଜେଲ ବାହାରେ ତାଙ୍କ ପରିବାର ଲୋକେ ଓ ରାଜନୈତିକ ସହଯୋଗୀ ତାଙ୍କୁ ସ୍ୱାଗତ କରିଥିବା ବେଳେ ସେ ଗଣମାଧ୍ୟମକୁ ଟାଳି ଯାଇଛନ୍ତି। ଥାକସିନ ସିନାୱାତ୍ରା ଦୂରସଞ୍ଚାର ବ୍ୟବସାୟ ସହ ଜଡିତ। ସେ ୧୯୯୮ ମସିହାରେ ନିଜର ରାଜନୈତିକ ଦଳ ଗଠନ କରିଥିଲେ ଓ ୨୦୦୧ ମସିହାରେ ଥାଇଲ୍ୟାଣ୍ଡର ପ୍ରଧାନମନ୍ତ୍ରୀ ହୋଇଥିଲେ। ତେବେ ୨୦୦୬ ମସିହାରେ ସେନା ଶାସନକୁ ହାତକୁ ନେଇ ତାଙ୍କ ସରକାର ଭାଙ୍ଗି ଦେଇଥିଲା। ତେବେ ସେନା କାର୍ଯ୍ୟାନୁଷ୍ଠାନ କାଳରେ ଥାକସିନ ବିଦେଶ ଗସ୍ତରେ ଥିଲେ। ଏହା ପରେ ଥାଇ ରାଜନୀତି ପାଖାପାଖି ୨ ଦଶନ୍ଧୀ ଧର ସଂକଟ ମଧ୍ୟରେ ଗତି କରିଥିଲା।

ଥାକସିନଙ୍କ ଉପରେ କ୍ଷମତାରୁ ଦୂରୁପଯୋଗ, ନିଜ ବ୍ୟବସାୟୀକ ହିତକୁ ରାଜନୀତିରେ ଗୁରୁତ୍ୱ ଦେବା ଓ ସରକାରୀ ଲଟେରୀ ଯୋଜନାରେ ଅନିୟମିତତାର ଅଭିଯୋଗ ହୋଇଥିଲା। ତାଙ୍କୁ ଦେଶରେ ଅନୁପସ୍ଥିତି କାଳରେ ଦୋଷୀ ସାବ୍ୟସ୍ତ କରାଯାଇଥିଲା। ତେବେ ୨୦୨୩ରେ ସେ ସ୍ୱଦେଶ ଫେରି କୋର୍ଟରେ ଆତ୍ମସମର୍ପଣ କରିଥିଲେ। ପ୍ରାରମ୍ଭରେ ତାଙ୍କୁ ୮ ବର୍ଷ ଜେଲଦଣ୍ଡାଦେଶ ହୋଇଥିଲା, ତେବେ ପରେ ଥାଇଲ୍ୟାଣ୍ଡ ରାଜା ମହା ୱଜିରାଲୋଙ୍ଗକୋର୍ଣ୍ଣ ତାଙ୍କ ଦଣ୍ଡକୁ ହ୍ରାସ କରି ୧ ବର୍ଷ କରିଦେଇଥିଲେ।

ନିକଟରେ ନ୍ୟାୟମନ୍ତ୍ରାଳୟଙ୍କ ଏକ କମିଟି ତାଙ୍କର ଭଲ ବ୍ୟବହାର, ବଢୁଥିବା ବୟସ ଓ ଦ୍ୱିତୀୟବାର ଅପରାଧର କମ୍ ସମ୍ଭାବନାକୁ ନଜରରେ ରଖି ତାଙ୍କ ପାରୋଲ ନିବେଦନକୁ ମଞ୍ଜୁରୀ ଦେଇଥିଲେ। ଜେଲରୁ ମୁକ୍ତ ହେବା ପରେ ଆଗାମୀ ୪ ମାସ ପର୍ଯ୍ୟନ୍ତ ତାଙ୍କୁ ନଜରବନ୍ଦୀ ରଖାଯିବ। ଏହି ସମୟରେ ତାଙ୍କୁ ବ୍ୟାଂକକସ୍ଥିତ ଘରେ ରହିବାକୁ ହେବ ଓ ସେ ଇଲେକ୍ଟ୍ରିକ୍ ମନିଟରିଂ ବ୍ରେସଲେଟ୍ ପିନ୍ଧିବେ ଏବଂ ନିୟମିତ ଭାବେ ଅଧିକାରୀଙ୍କୁ ରିପୋର୍ଟ କରିବେ।