ନୂଆଦିଲ୍ଲୀ : ପୂର୍ବତନ ଆଇପିଏସ୍ ଅଫିସର କିରଣ ବେଦୀ କେନ୍ଦ୍ର ସରକାରଙ୍କ ଏକ ନିଷ୍ପତ୍ତି କୁ ବିରୋଧ କରିଛନ୍ତି। ସେ ଦିଲ୍ଲୀ ଜିମଖାନା କ୍ଲବ ଖାଲି କରିବା ଲାଗି କେନ୍ଦ୍ର ସରକାରଙ୍କ ନିର୍ଦ୍ଦେଶକୁ ଦୁର୍ଭାଗ୍ୟପୂର୍ଣ୍ଣ ଓ ଦୁଃଖଦ ବୋଲି କହିଛନ୍ତି। ସେ କହିଛନ୍ତି ଏହା କେବଳ ଏକ ସମ୍ପତ୍ତି ନୁହେଁ, ଏହା ଆମର ସଂସ୍ଥାଗତ ଓ କ୍ରିଡା ଐତିହ୍ୟର ଏକ ଅଂଶ ବିଶେଷ। ଏହି ସ୍ଥାନର ଇତିହାସ ବେଶ୍ ପ୍ରାଚୀନ, ଅନେକ ସ୍ମୃତି ଓ କେତେ ପିଢିର ଖେଳ ସମ୍ପର୍କିତ ଉପଲବ୍ଧି ଜଡିତ।

କେନ୍ଦ୍ର ସରକାର ଲୁଟିୟନସ୍ ଦିଲ୍ଲୀରେ ଥିବା ଜିମଖାନା କ୍ଲବକୁ ଜୁନ ୫ ତାରିଖ ସୁଦ୍ଧା ପରିସର ଖାଲି କରିବାକୁ ନିର୍ଦ୍ଦେଶ ଦେଇଛନ୍ତି। କିରଣ ବେଦୀ କେନ୍ଦ୍ର ସରକାରଙ୍କ ଏହି ଆଦେଶକୁ ସମାଲୋଚନା କରିଛନ୍ତି। ଏ ନେଇ ବେଦୀ ଏକ୍ସ ରେ ଏକ ପୋଷ୍ଟ କରିଥିବା ବେଳେ ଏହା ଦୁର୍ଭାଗ୍ୟପୂର୍ଣ୍ଣ ଓ ଦୁଃଖଦ, ଆଶା କରୁଛି ଏହି ପ୍ରସ୍ତାବ ଉପରେ ପୁଣି ବିଚାର କରାଯିବ ବୋଲି ଉଲ୍ଲେଖ କରିଛନ୍ତି। ସେ କହିଛନ୍ତି ଯେ ଅଋଣ ଜୈଟଲୀ ତାଙ୍କ ଜୀବିତାବସ୍ଥାରେ ଏହି କ୍ଲବ ପରିସରରେ ଏକ ସ୍ୱିମିଂ ପୁଲ ନିର୍ମାଣ କରାଇଥିଲେ। ଏଠାରେ ଅନେକ ଭଲ ଟେନିସ୍ ମ୍ୟାଚ୍ ଖେଳା ଯାଇଛି।

ବେଦୀ ଲେଖିଛନ୍ତି ଯେ ପରିବର୍ତ୍ତନ ଜରୁରି ହୋଇପାରେ। ହେଲେ ଇତିହାସ ଓ ଐତିହ୍ୟକୁ ମଧ୍ୟ ରକ୍ଷା କରିବା ଉଚିତ। ଆମେ ସେଠାରେ ଆଉ କିଛି ନୂଆ ଯୋଡିବାକୁ ଯୋଜନା ବି କରିପାରିବା। ଆଦେଶ ଅନୁସାରେ ଭୂମି ଓ ବିକାଶ କାର୍ଯ୍ୟାଳୟ (ଏଲ ଆଣ୍ଡ ଡିଓ) ଜୁନ ୫ ତାରିଖରେ ପରିସରକୁ ନିଜ ନିୟନ୍ତ୍ରଣକୁ ନେବେ। ଆଦେଶରେ କୁହାଯାଇଛି ଯେ ଆପଣଙ୍କୁ ନିର୍ଦ୍ଦେଶ ଦିଆଯାଉଛି କି ନିର୍ଦ୍ଦେଶିତ ତାରିଖରେ କାର୍ଯ୍ୟାଳୟର ପ୍ରତିନିଧିଙ୍କୁ ପରିସରର ନିୟନ୍ତ୍ରଣ ପ୍ରଦାନ କରିବେ। ଯଦି ଆଦେଶର ପାଳନ ନହୁଏ ତେବେ ଆଇନ ଅନୁସାରେ ଏହାକୁ ଜବତ କରିନିଆଯିବ।

Also Read..ଦିଲ୍ଲୀ ଜିମଖାନା କ୍ଲବକୁ କାହିଁକି ହଟାଇବାକୁ ଚାହୁଁଛନ୍ତି କେନ୍ଦ୍ର ସରକାର? ଜାଣନ୍ତୁ ୩ ବଡ଼ କାରଣ