ଲଣ୍ଡନ : ଇଂଲଣ୍ଡ କାଉଣ୍ଟି ଚାମ୍ପିୟନସିପ୍ ସିଜିନ ମଧ୍ୟରେ ଇଲଂଣ୍ଡ କ୍ରିକେଟ୍ ଟିମ୍ ର ପୂର୍ବତନ କ୍ୟାପ୍ଟେନ ତଥା କାଉଣ୍ଟି କ୍ରିକେଟର ସର୍ବୋତ୍କୃଷ୍ଟ ବ୍ୟାଟସ୍ ମ୍ୟାନ୍ ଙ୍କ ମଧ୍ୟରେ ଅନ୍ୟତମ ମାଇକ୍ ସ୍ମିଥ୍ ଙ୍କ ପରଲୋକ ହୋଇଛି। ୱରିକସର କାଉଣ୍ଟି କ୍ରିକେଟ କ୍ଲବ ସୋମବାର ଏକ ଅଧିକାରୀକ ବୟାନରେ ଏହି ସୂଚନା ଦେଇଛି। ସ୍ମିଥ୍ ୯୨ ବର୍ଷ ବୟସରେ ଶେଷ ନିଶ୍ୱାସ ତ୍ୟାଗ କରିଛନ୍ତି। ସ୍ମିଥ୍ ସେହି ହତଗଣତି ଖେଳାଳିଙ୍କ ମଧ୍ୟରେ ଥିଲେ ଯିଏ କ୍ରିକେଟ୍ ସହ ଅନ୍ୟ ଖେଳରେ ମଧ୍ୟ ଭାଗ ନିଅନ୍ତି। ସେ କ୍ରିକେଟ୍ ବ୍ୟାତୀତ ଇଂଲଣ୍ଡ ପାଇଁ ରଗବୀ ପ୍ରତିନିଧିତ୍ୱ ମଧ୍ୟ କରିଥିଲେ।

ଲେଷ୍ଟରରେ ୧୯୩୩ ମସିହାରେ ଜନ୍ମିତ ମାଇକ୍ ସ୍ମିଥ୍ ୧୯୫୧ ମସିହାରେ ଲେଷ୍ଟରସର ପକ୍ଷରୁ ଫାଷ୍ଟକ୍ଲାସ୍ କ୍ରିକେଟରେ ଡେବ୍ୟୁ କରିଥିଲେ। ସେତେବେଳେ ସେ ଇଂଲଣ୍ଡ ଲାଗି ଟେଷ୍ଟ କ୍ରିକେଟ୍ ରେ ପାଦ ଥାପିଥିଲେ। ଏଥିରେ ସେ ପ୍ରଥମ ମ୍ୟାଚ୍ ତାଙ୍କ ହୋମ ଗ୍ରାଉଣ୍ଡ ବର୍ମିଂହମରେ ନ୍ୟୁଜିଲ୍ୟାଣ୍ଡ ବିପକ୍ଷରେ ଖେଳିଥିଲେ। ୧୯୭୨ ମସିହା ପର୍ଯ୍ୟନ୍ତ ସେ ଇଂଲଣ୍ଡ ଲାଗି ଟେଷ୍ଟ କ୍ରିକେଟ ଖେଳୁଥିଲେ। ସ୍ମିଥ୍ ତାଙ୍କ ୧୪ ବର୍ଷର ଟେଷ୍ଟ କ୍ରିକେଟ୍ କ୍ୟାରିୟରରେ ମୋଟ ୫୦ଟି ମ୍ୟାଚ୍ ଖେଳିଛନ୍ତି। ତେବେ ସବୁଠୁ ଖାସ କଥା ଯାହା ତାହା ହେଉଛି ୨୫ ଟି ଟେଷ୍ଟ ମ୍ୟାଚ୍ ରେ ଇଂଲଣ୍ଡ ଟିମ୍ ର କ୍ୟାପ୍ଟେନ ଥିଲେ।

୧୯୬୪ରୁ ୧୯୬୬ ପର୍ଯ୍ୟନ୍ତ ୨୫ ଟେଷ୍ଟରେ ଇଂଲଣ୍ଡର କ୍ୟାପ୍ଟେନ ଥାଇ ମାଇକ୍ ସ୍ମିଥ୍ ୧୦୪୮ ରନ୍ କରିଥିଲେ। ଏଥିରେ ଗୋଟିଏ ଶତକ ଓ ୪ଟି ଅର୍ଦ୍ଧ ଶତକ ଥିଲା। ମୋଟ ମିଶାଇ ନିଜ କ୍ୟାରିୟରରେ ସ୍ମିଥ୍ ୫୦ ମ୍ୟାଚ୍ ର ୭୮ଟି ଇନିଂସରେ ୩୧.୬୩ ହାରରେ ୨୨୭୮ ରନ କରିଥିଲେ। ଏଥିରେ ତାଙ୍କର ୩ ଶତକ ଓ ୧୧ଟି ଅର୍ଦ୍ଧଶତକ ଥିଲା। ସ୍ମିଥ୍ ଙ୍କ ପରଲୋକ ଶୋକରେ ୱରିକସର ଗ୍ଲୋମର୍ଗନ ବିପକ୍ଷରେ କାଉଣ୍ଟି ଚାମ୍ପିୟନସିପ୍ ର ଚତୁର୍ଥ ଦିନ ଖେଳ ଆରମ୍ଭ ହେବା ପୂର୍ବରୁ ୨ ମିନିଟ୍ ନିରବ ପ୍ରାର୍ଥନା କରିଥିଲା। ସ୍ମିଥ୍ ଏହି କ୍ଲବ ଲାଗି ତାଙ୍କ କ୍ୟାରିୟରର ଦୀର୍ଘ ସମୟ ବିତାଇଥିଲେ।

ସ୍ମିଥ୍ ତାଙ୍କ ପ୍ରଥମ ଶ୍ରେଣୀ କ୍ୟାରିୟରରେ ୬୩୭ଟି ମ୍ୟାଚ୍ ଖେଳିଥିବା ବେଳେ ହାରାହାରି ୪୨ ରନ ହାରରେ ୩୯୮୩୨ ରନ କରିଥିଲେ। ଏହି ଅବଧିରେ ସ୍ମିଥ୍ ୬୯ଟି ଶତକ ଓ ୨୪୧ଟି ଅର୍ଦ୍ଧ ଶତକ ମଧ୍ୟ କରିଥିଲେ। ଏହା ଛଡା ସେ ୫୯୩ଟି କ୍ୟାଚ୍ ମଧ୍ୟ ଧରିଥିଲେ।