ଢେଙ୍କାନାଳ ୨୯।୭: ସରକାରୀ ଚାକିରିରୁ ଅବସର ପରେ ମଧ୍ୟ ଛାଡିବନି ଆଇନ । ଆୟ ବହିର୍ଭୂତ ସମ୍ପତ୍ତି ଠୁଳ କରିଥିବାରୁ ଜଣେ ଅବସରପ୍ରାପ୍ତ ଯନ୍ତ୍ରୀଙ୍କୁ ୨ ବର୍ଷ ଜେଲ ଦଣ୍ଡ ଓ ୫ ଲକ୍ଷ ଟଙ୍କା ଆର୍ଥିକ ଜରିମାନାରେ ଦଣ୍ଡିତ କରିଛନ୍ତି ଢେଙ୍କାନାଳ ସ୍ୱତନ୍ତ୍ର ଭିଜିଲାନ୍ସ କୋର୍ଟ ।

ଦଣ୍ଡିତ ହୋଇଥିବା ଏହି ଯନ୍ତ୍ରୀ ଜଣଙ୍କ ପୂର୍ତ୍ତ ବିଭାଗର ଭୁବନେଶ୍ୱର-୨ର ଅବସର ପ୍ରାପ୍ତ ସହକାରୀ ଯନ୍ତ୍ରୀ ଶିବନାରାୟଣ ପାଳ । ଗତ ୨୦୨୧ ମସିହାରେ ଶିବନାରାୟଣ ଚାକିରିରୁ ଅବସର ନେଇଛନ୍ତି । କଟକ ବଡ଼ମ୍ବା ଗ୍ରାମ୍ୟ ଉନ୍ନୟନ ବିଭାଗର କନିଷ୍ଠ ଯନ୍ତ୍ରୀ ଥିବା ବେଳେ ଶିବ ନାରାୟଣ ପାଳଙ୍କ ନାମରେ ଆୟ ବହିଃର୍ଭୁତ ସମ୍ପତି ଠୁଳ ଅଭିଯୋଗ ରହିଥିଲା ।

Also Read:- ପୂର୍ବତନ ସାଂସଦ ଏନ୍ ଭାସ୍କର ରାଓଙ୍କୁ ହାଇକୋର୍ଟଙ୍କ ଅନ୍ତରୀଣ ସୁରକ୍ଷା, ପରବର୍ତ୍ତୀ ଶୁଣାଣି ଯାଏଁ ହୋଇପାରିବେନି ଗିରଫ

ଗତ ୨୪.୬ ୨୦୦୫ ମସିହାରେ କଟକ ଭିଜିଲାନ୍ସ ପକ୍ଷରୁ ମାମଲା ରୁଜୁକରି ତାଙ୍କର ବିଭିନ୍ନ ଜାଗାରେ ସ୍ଥାବର ଓ ଅସ୍ଥାବର ସମ୍ପତ୍ତି ଉପରେ ଚଢ଼ାଉ କରାଯାଇଥିଲା । ଏହି ଚଢ଼ାଉରେ ବେଆଇନ ଭାବେ ଠୁଳ କରିଥିବା ବିଭିନ୍ନ ସ୍ଥାବର ଓ ଅସ୍ଥାବର ୨୭ ଲକ୍ଷ ୫୬ ହଜାର ୨୦୩ ଟଙ୍କାର ଆୟବହିର୍ଭୂତ ସମ୍ପତ୍ତି ଠାବ କରିଥିଲା ଭିଜିଲାନ୍ସ । ତାଙ୍କ ଚାକିରି କାଳର ଗତ ୧୯୮୨ରୁ ୨୦୦୫ମସିହା ମଧ୍ୟରେ ଏହି ବେଆଇନ ସମ୍ପତ୍ତି ଠୁଳ କରିଥିଲେ ଶିବ ନାରାୟଣ । ଭିଜିଲାନ୍ସ ପକ୍ଷରୁ ମାମଲା ରୁଜୁ କରାଯାଇ ଢେଙ୍କାନାଳ ସ୍ୱତନ୍ତ୍ର ଭିଜିଲାନ୍ସ କୋର୍ଟରେ ମାମଲାର ବିଚାର ଚାଲିଥିଲା । ଶିବ ନାରାୟଣଙ୍କ ପୈତୃକ ଘର ଢେଙ୍କାନାଳ ଜିଲ୍ଲା ରାସୋଳ ଥାନା ଅନ୍ତର୍ଗତ କଳିଙ୍ଗା ଗ୍ରାମରେ । ଏବେ ଭୁବନେଶ୍ୱର ଟଙ୍କପାଣି ରୋଡ଼ର ଏନସି ଭିଲ୍ଲାରେ ନିଜ ଘରେ ରହୁଥିଲେ ।