ଶ୍ରୀନଗର: ଦେଶବିରୋଧୀ କାର୍ଯ୍ୟକଳାପ ବିରୋଧରେ ନିଜର'ଜିରୋ-ଟଲରାନ୍ସ' (ଶୂନ୍ୟ ସହନଶୀଳତା) ନୀତିକୁ ଆହୁରି ଦୃଢ଼ କରି ଜମ୍ମୁ-କାଶ୍ମୀର ପୋଲିସ ଏକ ବଡ଼ ସଫଳତା ହାସଲ କରିଛି। କିସ୍ତଓ୍ବାର(Kishtwar) ଜିଲ୍ଲାରେ ଆତଙ୍କବାଦୀଙ୍କୁ ସୁରକ୍ଷିତ ଆଶ୍ରୟସ୍ଥଳୀ ଯୋଗାଇବା ଏବଂ ସହାୟତା ପ୍ରଦାନ କରିବା ଅଭିଯୋଗରେ ଜଣେ ସରକାରୀ ବନ ବିଭାଗ କର୍ମଚାରୀଙ୍କ ସମେତ ଦୁଇ ଜଣଙ୍କୁ ଗିରଫ କରାଯାଇଛି ।ଏହି ଗିରଫଦାରୀକୁ କିସ୍ତଓ୍ବାର ଅଞ୍ଚଳରେ ସକ୍ରିୟ ଥିବା ଆତଙ୍କବାଦୀଙ୍କ ସହଯୋଗୀ ନେଟୱର୍କ କୁ ସମ୍ପୂର୍ଣ୍ଣ ଭାଙ୍ଗିବା ଦିଗରେ ଏକ ପ୍ରମୁଖ ସଫଳତା ଭାବରେ ଦେଖାଯାଉଛି।

ଗିରଫ ଅଭିଯୁକ୍ତଙ୍କ ମଧ୍ୟରେ ଜଣେ ବନ କର୍ମଚାରୀ ତାରିଖ୍ ଅହମ୍ମଦ ଗିନୁ ଅଛନ୍ତି । ଅନ୍ୟ ଜଣେ ଅଭିଯୁକ୍ତ ମହମ୍ମଦ ଇକବାଲ ମଧ୍ୟ ଆତଙ୍କବାଦୀଙ୍କୁ ଆଶ୍ରୟ ଦେଇଥିବା ନେଇ ଅଭିଯୋଗ ହୋଇଛି । ଏହି ଦୁଇ ଜଣ କିସ୍ତଓ୍ବାର ଜିଲ୍ଲାର ଦଚ୍ଛନ୍ ଅନ୍ତର୍ଗତ ତାନ୍ଦେର ଅଞ୍ଚଳର ବାସିନ୍ଦା। ଏହି ସମ୍ପୂର୍ଣ୍ଣ ଅଞ୍ଚଳଟି ଘଞ୍ଚ ଜଙ୍ଗଲ ଏବଂ ଦୁର୍ଗମ ପାହାଡ଼ିଆ ଅଞ୍ଚଳ ହୋଇଥିବାରୁ, ଆତଙ୍କବାଦୀମାନେ ଏହାର ସୁଯୋଗ ନେଇ ଏଠାରେ ଲୁଚି ରହିବାକୁ ଚେଷ୍ଟା କରନ୍ତି।

ପୋଲିସର ପ୍ରାଥମିକ ତଦନ୍ତରୁ ଜଣାପଡ଼ିଛି ଯେ, ଏହି ଦୁଇ ଅଭିଯୁକ୍ତ ସ୍ଥାନୀୟ ଅଞ୍ଚଳରେ ସକ୍ରିୟ ଥିବା ଆତଙ୍କବାଦୀମାନଙ୍କୁ ସୁରକ୍ଷିତ ଭାବରେ ଗୋଟିଏ ସ୍ଥାନରୁ ଅନ୍ୟ ସ୍ଥାନକୁ ଯିବା ଆସିବା କରିବାରେ ମୁଖ୍ୟ ଭୂମିକା ଗ୍ରହଣ କରୁଥିଲେ। ଏହା ସହିତ ସେମାନେ ଦଚ୍ଛନର ଉପର ପାର୍ବତ୍ୟ ଅଞ୍ଚଳରେ ଆତଙ୍କବାଦୀମାନଙ୍କ ପାଇଁ ଗୁପ୍ତ ଆଶ୍ରୟସ୍ଥଳୀର ବ୍ୟବସ୍ଥା କରୁଥିଲେ ଏବଂ ସେମାନଙ୍କୁ ଆବଶ୍ୟକୀୟ ସାମଗ୍ରୀ ପହଞ୍ଚାଉଥିଲେ ।

ପୋଲିସ ଷ୍ଟେସନରେ ଚାଲିଥିବା ଏକ ମାମଲାର ତଦନ୍ତ ସମୟରେ ଏହି ଦୁଇ ଜଣଙ୍କୁ ଗିରଫ କରାଯାଇଛି। ଦେଶର ସୁରକ୍ଷାକୁ ଦୃଷ୍ଟିରେ ରଖି ସେମାନଙ୍କ ବିରୋଧରେ ଭାରତୀୟ ନ୍ୟାୟ ସଂହିତା (BNS), ବେଆଇନ କାର୍ଯ୍ୟକଳାପ (ନିଷେଧ) ଆଇନ (UAPA) ଏବଂ ଅସ୍ତ୍ରଶସ୍ତ୍ର ଆଇନ (Arms Act) ଅଧିନରେ ମାମଲା ରୁଜୁ କରାଯାଇଛି ।