ନୂଆଦିଲ୍ଲୀ: ଦିଲ୍ଲୀ-ଏନସିଆର (Delhi-NCR) ସମେତ ନୋଏଡା, ଗାଜିଆବାଦ, ଗୁରୁଗ୍ରାମ ଓ ଫରୀଦାବାଦରେ ପ୍ରବଳ ବର୍ଷା ଏବଂ ପବନ ଯୋଗୁଁ ଜନଜୀବନ ଅସ୍ତବ୍ୟସ୍ତ ହୋଇପଡ଼ିଛି। ପ୍ରତିକୂଳ ପାଣିପାଗ ହେତୁ ବିମାନ ଚଳାଚଳ ସହ ସଡ଼କ ପରିବହନ ଗୁରୁତର ଭାବରେ ପ୍ରଭାବିତ ହୋଇଛି।

୨୫୦ରୁ ଅଧିକ ବିମାନ ବିଳମ୍ବରେ ଉଡ଼ାଣ ଭରିଥିବା ବେଳେ ୧୫ଟି ବିମାନର ରୁଟ୍ ଡାଇଭର୍ଟ କରାଯାଇଛି । ୧୨ଟି ବିମାନ ଜୟପୁର, ୨ଟି ଚଣ୍ଡୀଗଡ଼ ଏବଂ ଗୋଟିଏ ଲକ୍ଷ୍ନୌକୁ ପଠାଯାଇଛି। ସାଧାରଣତଃ ବିମାନଗୁଡ଼ିକ ୩୨ ମିନିଟ୍ ବିଳମ୍ବରେ ଗତି କରୁଛି । ଭାରତୀୟ ପାଣିପାଗ ବିଭାଗ (IMD) ଗୁରୁଗ୍ରାମ ଏବଂ ଫରୀଦାବାଦ ପାଇଁ ଅରେଞ୍ଜ ଆଲର୍ଟ ଜାରି କରିଛି। ଉତ୍ତରାଖଣ୍ଡ, ଓଡ଼ିଶା ଏବଂ ତେଲେଙ୍ଗାନାରେ ମଧ୍ୟ ପ୍ରବଳ ବର୍ଷାର ସମ୍ଭାବନା ରହିଛି।

ଗୁରୁଗ୍ରାମର ସୋହନା ରୋଡରେ ପ୍ରାୟ ୨ ଫୁଟ୍ ଉଚ୍ଚର ପାଣି ଜମିବା ଯୋଗୁଁ ୪ କିଲୋମିଟର ପର୍ଯ୍ୟନ୍ତ ଟ୍ରାଫିକ୍ ଜାମ୍ ହୋଇଥିଲା। ଦିଲ୍ଲୀର ଏମବି ରୋଡ୍, ସଙ୍ଗମ ବିହାର ଏବଂ ସାକେତ କୋର୍ଟ ଆଡ଼କୁ ଯାଉଥିବା ରାସ୍ତାରେ ଯାତ୍ରୀମାନେ ଘଣ୍ଟାଏରୁ ଅଧିକ ସମୟ ଫସି ରହିଥିଲେ। ଗାଜିଆବାଦର NH-9 ଇଣ୍ଡଷ୍ଟ୍ରିଆଲ୍ ଏରିଆ ଅଣ୍ଡରପାସ ନିକଟରେ ପ୍ରବଳ ଜଳବନ୍ଦୀ ହେତୁ ଗାଡ଼ି ଚଳାଚଳ ବାଧାପ୍ରାପ୍ତ ହୋଇଛି।

ସେପଟେ ଇଣ୍ଡିଆ ଗେଟ୍, ନୋଏଡା (ସେକ୍ଟର ୧୬, ୩୯, ୯୫) ଏବଂ ଆଖପାଖ ଅଞ୍ଚଳରେ ବର୍ଷା ଯୋଗୁଁ ଗୁଳୁଗୁଳିରୁ ଲୋକଙ୍କୁ ସାମାନ୍ୟ ଆଶ୍ୱସ୍ତି ମିଳିଛି। ବର୍ଷା ଜାରି ରହିଥିବାରୁ ଦିଲ୍ଲୀ ସମେତ ବିଭିନ୍ନ ଅଞ୍ଚଳରେ ଜଳବନ୍ଦୀ ସ୍ଥିତି ଉପୁଜିଛି । ଫଳରେ ଟ୍ରାଫିକ ଜାମ୍‌ ସମସ୍ୟା ଦେଖା ଦେଇଛି ।