ଭଦ୍ରକ ୨୪।୧୨: ଭଦ୍ରକ ଚାନ୍ଦବାଲି ଥାନା ଅଞ୍ଚଳରେ ନାବାଳିକାକୁ ଦୁଷ୍କର୍ମ କରି ଘଞ୍ଚ ଜଙ୍ଗଲରେ ହତ୍ୟା କରିବା ଘଟଣାରେ ୫ ଅଟକ । ଗାଁର ୪ ଜଣଙ୍କୁ ସନ୍ଦେହରେ ଅଟକ ରଖିଥିବା ବେଳେ ଅନ୍ୟ ଜଣକୁ ଜଗତସିଂହପୁରରୁ ଆଣୁଛି ପୋଲିସ । ଭଦ୍ରକ ଏସପି ମନୋଜ ରାଉତ ଏହି ସୂଚନା ଦେଇଛନ୍ତି ।

ସେହିପରି ସାଇଣ୍ଟିଫିକ୍ ଟିମ ଓ ପୋଲିସ ଫୋର୍ସକୁ ଘଟଣାସ୍ଥଳକୁ ପଠାଯାଇଛି । ଦୁଷ୍କର୍ମ ଅଭିଯୋଗ ଘଟଣାର ତଦନ୍ତ ଚାଲିଥିବା ଭଦ୍ରକ ଏସପି ସୂଚନା ଦେଇଛନ୍ତି । ବାଲିଗାଁ ପଞ୍ଚାୟତ ଅଫିସ୍ ନିକଟ ଜଙ୍ଗଲରୁ ନାବାଳିକାର ମୃତଦେହ ମିଳିବା ପରେ ତଦନ୍ତ ଜୋରଦାର କରିଛି ପୋଲିସ । ଚାନ୍ଦବାଲି ଏସଡ଼ିପିଓ ତ୍ରିଲୋଚନ ସେଠୀଙ୍କ ସହିତ ଅନେକ ପୋଲିସ ଅଧିକାରୀ ଓ କର୍ମଚାରୀ ମାନେ ତଦନ୍ତରେ ସାମିଲ ହୋଇଛନ୍ତି l

ମଙ୍ଗଳବାର ସକାଳ ୧୦ଟାରେ କୁନି ଝିଅ ସ୍କୁଲ୍ ଯାଇଥିଲା । କିନ୍ତୁ ସେ ସ୍କୁଲକୁ ନଯାଇ ଝିଅ କୁଆଡ଼େ ନିଖୋଜ୍ ହୋଇଯାଇଥିବା ଜଣାପଡିଥିଲା । ଏହା ପରେ ଚାନ୍ଦବାଲି ଥାନାରେ ଅଭିଯୋଗ କରିଥିଲେ ପରିବାର ଲୋକ । ବହୁ ଖୋଜାଖୋଜି ପରେ ବାଲିଗାଁ ପଞ୍ଚାୟତ ଅଫିସ୍ ନିକଟ ଜଙ୍ଗଲରେ ଝିଅର ମୃତଦେହ ପଡ଼ିଥିବା ଦେଖିବାକୁ ମିଳିଥିଲା । ନ୍ୟାୟ ଦାବିରେ ବାଲିଗାଁ ଛକରେ ଟାୟାର ଜାଳି ରାସ୍ତା ଅବରୋଧ କରିଥିଲେ ସ୍ଥାନୀୟ ଲୋକେ।