ମାଲେ: ମାଲଦ୍ୱୀପର ଆକର୍ଷକ ନୀଳ ସମୁଦ୍ର, ଧବଳ ବାଲୁକା ରାଶି ଓ ବିଳାଶମୟ ରିସର୍ଟ ତଳେ ଏକ ବିପଦଜନକ ଗୁମ୍ଫା ରହିଛି। ୧୫ ମେ ୨୦୨୬ରେ ୫ ଜଣ ଇଟାଲୀୟ ଅଭିଜ୍ଞ ବୁଡ଼ାଳୀ ଏହି ଗୁମ୍ଫାକୁ ଯାଇଥିଲେ ହେଲେ ଆଉ ଜୀବିତ ଫେରି ନାହାନ୍ତି। ସେମାନଙ୍କ ସନ୍ଧାନରେ ଯାଇଥିବା ମାଲଦ୍ୱୀପ ସେନା ଡାଇଭରଙ୍କର ମଧ୍ୟ ମୃତ୍ୟୁ ହୋଇଛି। ବାବୁ ଏଟଲ ନିକଟରେ ପାଖାପାଖି ୪୭ ମିଟର ଗଭୀରତାରେ ଏହି ଗୁମ୍ଫା ରହିଛି, ଯାହା ତଳକୁ ୭୦ ମିଟର ପର୍ଯ୍ୟନ୍ତ ଲମ୍ବିଛି।

ଏହି ଗୁମ୍ଫାକୁ ୫ ବୁଡାଳୀ ଇନଷ୍ଟ୍ରକ୍ଟର ଜିୟାନ ଲୁକା ବେନେଡେଟୀ, ୟୁନିଭର୍ସିଟି ଅଫ ଜେନୋଆର ଆସୋସିଏଟ ପ୍ରଫେସର ମୋନିକା ମୋଣ୍ଟେଫାଲକୋନେ, ତାଙ୍କ ଝିଅ ଜିଓର୍ଜିୟା ସୋମ୍ମାକାଲ, ମେରିନ ବାୟୋଲଜିଷ୍ଟ ଫେଡରିକୋ ଗୁଆଲ୍ଟିୟେରୀ ଓ ରିସର୍ଚ୍ଚର ମୁରିୟେଲ ଓଡେନିନୋ ଯାଇଥିଲେ। ଏଥିପାଇଁ ସେମାନେ ଏକ ବିଳାଶମୟ ୟାଚ୍ ଉପଯୋଗ କରିଥିଲେ। ସମୁଦ୍ରରେ ପ୍ରବଳ ପବନ ଓ ଖରାପ ପାଗ ସତ୍ତ୍ୱେ ସେମାନେ ଗୁମ୍ଫା ମଧ୍ୟକୁ ପଶି ଯାଇଥିଲେ। ପାଖାପାଖି ୨ ଘଣ୍ଟା ପରେ ଯେତେବେଳେ ସେମାନେ ଉପରକୁ ନ ଆସିଲେ ଡିଷ୍ଟ୍ରେସ୍ ସିଗନାଲ ପଠା ଯାଇଥିଲା। ପ୍ରଥମ ପ୍ରୟାସରେ ବେନେଡେଟୀଙ୍କ ଶବ ଗୁମ୍ଫା ମୁହାଣରୁ ମିଳିଥିଲା। ବାକି ୪ ଜଣଙ୍କ ସନ୍ଧାନ ଲାଗି ୫ ଦିନ ସମୟ ଲାଗିଯାଇଛି। ଶେଷରେ ଗୁମ୍ଫାର ତୃତୀୟ ଚାମ୍ବରରୁ ୪ଟି ଶବ ମିଳିଛି।

ମୃତ ବୁଡାଳୀଙ୍କ ଉଦ୍ଧାର ମଧ୍ୟ ଏତେ ସହଜ ନଥିଲା। ସେମାନଙ୍କୁ ଉଦ୍ଧାର କରିବାକୁ ଯାଇ ଆଉ ଜଣେ ମାଲଦ୍ବୀପୀୟ ବୁଡାଳୀ ମଧ୍ୟ ପ୍ରାଣ ହରାଇଛନ୍ତି। ଏହି ଉଦ୍ଧାର କାର୍ଯ୍ୟରେ ପାଣିର ପ୍ରଖର ସ୍ରୋତ ବାଧା ସୃଷ୍ଟି କରିଥିଲା। ମାଲଦ୍ୱୀପୟ କୋଷ୍ଟଗାର୍ଡ, ଫିନଲ୍ୟାଣ୍ଡ ବୁଡାଳୀ ଓ ବ୍ରିଟେନ-ଅଷ୍ଟ୍ରେଲିୟାର ବିଶେଷ ଉପକରଣର ସହାୟତା ନିଆଯାଇଥିଲା।

ୟୁନିଭର୍ସିଟି ଅଫ ଜେନୋଆର ଆସୋସିଏଟ ପ୍ରଫେସର ମୋନିକା ମୋଣ୍ଟେଫାଲକୋନେ ଜଳବାୟୁ ପରିବର୍ତ୍ତନ ଓ ଜୈବ ବିବିଧତା ଉପରେ ଗବେଷଣା କରୁଥିଲେ। ମାଲଦ୍ୱୀପ ଅଥରିଟି ତାଙ୍କୁ ୩୦ ମିଟରରୁ ଅଧିକ ଗଭୀରତା ପର୍ଯ୍ୟନ୍ତ ଟେକ୍ନିକାଲ ଡାଇଭିଂ ପାଇଁ ଅନୁମତି ଦେଇଥିଲେ। ହେଲେ ତାଙ୍କୁ ଗୁମ୍ଫା ଡାଇଭିଂ ଜଣା ନଥିଲା। ୟୁନିଭର୍ସିଟି ଅଫ ଜେନୋଆ କହିଛି ଯେ ଏହି ଡାଇଭ ତାଙ୍କ ଅଧିକାରୀକ ମିସନ ଅନ୍ତର୍ଗତ ନଥିଲା। ଏହା ତାଙ୍କର ବ୍ୟକ୍ତିଗତ ଅଭିଯାନ ଥିଲା।

ଋଷୀୟ ଟେକ୍ନିକାଲ ଡାଇଭର ଭ୍ଲାଦିମୀର ଟୋଚିଲୋଭ ୨୦୧୪ ମସିହାରେ ଏହି ଗୁମ୍ଫାକୁ ପ୍ରବେଶ କରିଥିଲେ। କହିଛନ୍ତି ଯେ ଏହା ଅତ୍ୟନ୍ତ ଆହ୍ୱାନପୂର୍ଣ୍ଣ ସ୍ଥାନ। ତଳେ ସମ୍ପୂର୍ଣ୍ଣ ଅନ୍ଧକାର ଓ ସଂକିର୍ଣ୍ଣ ରାସ୍ତାରେ ଦିଗହରା ହେବାର ଅନେକ ସମ୍ଭାବାନା ରହିଛି। ଏହା ଛଡା ଅତ୍ୟନ୍ତ ଗଭୀରତାରେ ନିଶାସକ୍ତ ଥିବା ଭଲି ଲାଗିବା ପରିସ୍ଥିତିରେ ବୁଡାଳୀ କନଫ୍ୟୁଜ ହେବାର ସମ୍ଭାନା ଅଧିକ। ତେବେ ଅଥରିଟି ୟାଚ୍ ର ଲାଇସେନ୍ସ ବାତିଲ କରି ମାମଲାର ତଦନ୍ତ ଚଳାଇଛନ୍ତି।