ନୂଆଦିଲ୍ଲୀ: ପାକିସ୍ତାନ ସରକାର ଭାରତର ପୂର୍ବତନ ‘ର’ (RAW) ଏଜେଣ୍ଟ ତଥା ସୁରକ୍ଷା ବିଶେଷଜ୍ଞ ଲକି ବିଷ୍ଟଙ୍କ ସୋସିଆଲ ମିଡିଆ ଆକାଉଣ୍ଟ ଉପରେ ସମଗ୍ର ପାକିସ୍ତାନରେ ପ୍ରତିବନ୍ଧକ ଲଗାଇଛନ୍ତି। ଲକି ବିଷ୍ଟଙ୍କ ଭିଡିଓ ଏବଂ ବିବୃତିଗୁଡ଼ିକ ପାକିସ୍ତାନର ଜାତୀୟ ସୁରକ୍ଷା ତଥା ଆଭ୍ୟନ୍ତରୀଣ ବ୍ୟାପାର ପାଇଁ ବିପଦ ସୃଷ୍ଟି କରୁଥିବା ନେଇ ସେଠାକାର ଟେଲି କମ୍ୟୁନିକେସନ ଅଥରିଟି ଦାବି କରିଛି।

ଏହି ବ୍ୟାନ୍ ପରେ ଲକି ବିଷ୍ଟ ଏକ ଭିଡିଓ ବାର୍ତ୍ତା ଜାରି କରି ପାକିସ୍ତାନକୁ ଖୋଲା ଚ୍ୟାଲେଞ୍ଜ ଦେଇଛନ୍ତି। ସେ କହିଛନ୍ତି ଯେ, ପାକିସ୍ତାନ କେବଳ ଏକ ଆକାଉଣ୍ଟ ବନ୍ଦ କରିପାରେ, କିନ୍ତୁ ଭାରତର ୧୪୭ କୋଟି ଜନତାଙ୍କ ସ୍ୱରକୁ ରୋକି ପାରିବ ନାହିଁ। ଯଦି ତାଙ୍କର ଗୋଟିଏ ସ୍ୱରରେ ପାକିସ୍ତାନର ଜାତୀୟ ସୁରକ୍ଷା ଦୋହଲି ଯାଉଛି, ତେବେ ଏହା ହିଁ ଭାରତର ଶକ୍ତିର ସବୁଠାରୁ ବଡ଼ ପ୍ରମାଣ ବୋଲି ସେ କହିଛନ୍ତି ।

ଲକି ବିଷ୍ଟ ପାକିସ୍ତାନର ଗୁପ୍ତଚର ସଂସ୍ଥା, ଇଣ୍ଟର-ସର୍ଭିସେସ୍ ଇଣ୍ଟେଲିଜେନ୍ସ (ISI) ଏବଂ ସେନାର ମିଡିଆ ୱିଙ୍ଗ, ISPRକୁ ମଧ୍ୟ ଟାର୍ଗେଟ କରିଛନ୍ତି। ସେ ଅଭିଯୋଗ କରିଛନ୍ତି ଯେ, ପାକିସ୍ତାନ ଆତଙ୍କବାଦୀଙ୍କୁ ଆଶ୍ରୟ ଦିଏ କିନ୍ତୁ ଜଣେ ଭାରତୀୟଙ୍କ ସ୍ୱରକୁ ଭୟ କରେ। ଓସାମା ବିନ୍ ଲାଡେନ, ଦାଉଦ ଇବ୍ରାହିମ୍, ମାସୁଦ ଆଝାର ଏବଂ ହାଫିଜ୍ ସଇଦଙ୍କ କଥା ଉଲ୍ଲେଖ କରି ବିଷ୍ଟ କହିଛନ୍ତି ଯେ, ପାକିସ୍ତାନ ସେମାନଙ୍କୁ ଭୟ କରେ ନାହିଁ, ବରଂ ଭାରତର ଜାତୀୟତାବାଦୀ ସ୍ୱରକୁ ଭୟ କରେ।

ପାକିସ୍ତାନର ଲୋକଙ୍କୁ ବାର୍ତ୍ତା

ଲକି ବିଷ୍ଟ କହିଛନ୍ତି ଯେ, ତାଙ୍କ ସ୍ୱର ନିଶ୍ଚିତ ଭାବରେ ପାକିସ୍ତାନର ଲୋକଙ୍କ ପାଖରେ ପହଞ୍ଚିବ । ଲକ୍ଷ ଲକ୍ଷ ଭାରତୀୟ ତାଙ୍କର ମେସେଜ୍କୁ ସେୟାର କରୁଛନ୍ତି । ପାକିସ୍ତାନର ପରମାଣୁ କାର୍ଯ୍ୟକ୍ରମ ଏବଂ ଜୁଲଫିକର ଅଲି ଭୁଟ୍ଟୋଙ୍କ ପୁରୁଣା ବକ୍ତବ୍ୟକୁ ନେଇ ସେ କହିଛନ୍ତି ଯେ, ଯେଉଁ ଦେଶ ଥରେ ପରମାଣୁ ଶକ୍ତି ହେବାର ଗର୍ବ କରୁଥିଲା, ସେ ଏବେ ଭୟ ଏବଂ ଅସୁରକ୍ଷାରେ ବଞ୍ଚୁଛି।

ଲକି ବିଷ୍ଟ ଆହୁରି କହିଛନ୍ତି, ‘ଯଦି ମୋ ସ୍ବର ବିପଦ ସୃଷ୍ଟି କରୁଛି, ତେବେ ଏହା ଭଲ କଥା ମୁନିର ସାହେବ । ଗୋଟିଏ ଆଓ୍ବାଜ ପାଇଁ ଦଯି ତୁମ ଦେଶ ବିପଦ ଅନୁଭବ କରୁଛି, ତେବେ ମୋ ଦେଶର ସେନା ଏବଂ ସ୍ପେଶାଲ ଫୋର୍ସ ତୁମମାନଙ୍କ ବାପା ।’ ପୂର୍ବତନ ର’ଏଜେଣ୍ଟ ଭାରତୀୟ ସେନା ଏବଂ ସ୍ପେଶାଲ ଫୋର୍ସକୁ ଭୂୟସୀ ପ୍ରଂଶସା କରିଛନ୍ତି ।