ବାଙ୍କୀ ୨୮।୦୫ :  ଗାଁରେ ବୁଲୁଛନ୍ତି ୫ ଟିକିଆ ହାତୀପଲ । କଟକ ଜିଲ୍ଲା ଡମପଡାରେ ଜାତମୁଣ୍ଡିଆ ଠାରେ ଅଟକି ରହିଛନ୍ତି ୫ଟିକିଆ ହାତୀ ପଲ । ବୁଧବାର ଅପରାହ୍ନରୁ ଏହି ହାତୀପଲ ଅଟକି ରହିଥିବା ବେଳେ ବନ ବିଭାଗ କର୍ମଚାରୀ ସେମାନଙ୍କୁ ଜଙ୍ଗଲକୁ ପଠାଇବାକୁ ସକ୍ଷମ ହୋଇପାରିନାହାନ୍ତି ।

ଖବର ଅନୁଯାୟୀ, ବୁଧବାର ଆଠଗଡ଼ ଅଞ୍ଚଳରୁ ମହାନଦୀ ପାର ହୋଇ ୫ ଟିକିଆ ହାତୀପଲ କୁପୁପଙ୍ଗି ପଞ୍ଚାୟତର ଜାତମୁଣ୍ଡିଆ ଠାରେ ପହଞ୍ଚିଥିଲେ । ଏହି ଛକ ଗହଳିପୂର୍ଣ୍ଣ ହୋଇଥିବାରୁ ହାତୀ ପଲ ଚନ୍ଦକା ଜଙ୍ଗଲରେ ଆଡକୁ ଯାଇପାରିନଥିଲେ । ହାତୀପଲରେ ଦୁଇଟି ଛୁଆ ହାତୀ ରହିଥିବାରୁ ସକାଳ ଭିତରେ ସେମାନେ ଚନ୍ଦକା ଅଭୟାରଣ୍ୟକୁ ଯିବାକୁ ସକ୍ଷମ ହୋଇନଥିଲେ । ଗୁରୁବାର ସକାଳୁ ହାତୀ ପଲ ଜାତମୁଣ୍ଡିଆ ଓ ନିସ୍ତିପୁର ମଝିରେ ରହିଥିବା ବାଉଁଶ ବଣ ଭିତରେ ରହିଛନ୍ତି । ସଂଧ୍ୟା ନହେବା ପର୍ଯ୍ୟନ୍ତ ଏମାନେ ଯାଇପାରିବେ ନାହିଁ ବୋଲି ବନବିଭାଗ ଅଧିକାରୀ କହିଛନ୍ତି । ଏହା ହାତୀମାନଙ୍କ ଯିବା ଆସିବା ବାଟ ହୋଇଥିଲେ ସୁଦ୍ଧା ଛୋଟ ଛୁଆ ହାତୀ ଦୁଇଟି ପାଇଁ ସେମାନେ ଅଟକି ରହିଥିବା ଜଣାପଡିଛି । ହାତୀପଲ ବର୍ତ୍ତମାନ ସୁଦ୍ଧା କାହାର କୌଣସି କ୍ଷତି କରିନାହାନ୍ତି ।