ଭୁବନେଶ୍ୱର: ଶିକ୍ଷା ଓ ଅନୁସନ୍ଧାନ (ସୋଆ) ପରିଚାଳିତ ଇନ୍‌ଷ୍ଟିଚ୍ୟୁଟ୍ ଅଫ୍ ଟେକ୍ନିକାଲ୍ ଏଜୁକେସନ୍ ଆଣ୍ଡ ରିସର୍ଚ୍ଚ (ଆଇଟିଇଆର)ର ଗଣିତ ବିଭାଗ ପକ୍ଷରୁ ମଙ୍ଗଳବାର “ମ୍ୟାଥ୍‌ମାଟିକ୍ସ ଇନ୍ ମେସିନ୍ ଲର୍ଣ୍ଣିଂ” (ଡବ୍ଲ୍ୟୁଏମ୍‌ଏମ୍‌ଏଲ୍‌-୨୦୨୬) ସମ୍ପର୍କିତ ଏକ ୫ ଦିବସୀୟ କର୍ମଶାଳା ଉଦ୍‌ଘାଟିତ ହୋଇଯାଇଛି ।

 ଏହି କାର୍ଯ୍ୟକ୍ରମରେ ଏନ୍‌ଆଇଟି ରାଉରକେଲାର ଗଣିତ ବିଭାଗର ବରିଷ୍ଠ ପ୍ରଫେସର (ଡକ୍ଟର) ସ୍ନେହାଶିଷ ଚକ୍ରବର୍ତୀ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ କହିଥିଲେ ଯେ ଗଣିତର ବିନା ସହାୟତାରେ ମେସିନ ଶିକ୍ଷଣ ସହିତ ପ୍ରଯୁକ୍ତିବିଦ୍ୟାର ଉନ୍ନତି ଘଟିବା ଅସମ୍ଭବ । ସେ ଅଭିନବ ଚିନ୍ତାଧାରା, ବିଭିନ୍ନ ପ୍ରକାର ଜ୍ଞାନ କୌଶଳ ପ୍ରୟୋଗ କରି ସମସ୍ୟାର ସମାଧାନ କରିବା ସହିତ ମେସିନ୍ ଲର୍ଣ୍ଣିଂରେ ଗଣିତର ପ୍ରୟୋଗ ଉପରେ ଛାତ୍ରଛାତ୍ରୀମାନଙ୍କୁ ଶିକ୍ଷା ଦେଇଥିଲେ । ବର୍ତମାନ କୃତ୍ରିମ ବୁଦ୍ଧିମତା (ଏଆଇ)କୁ ବୁଝିବା ଏବଂ ଏହାକୁ ବ୍ୟବହାର କରିବାରେ ଗଣିତର ଭୂମିକା ବେଶ୍ ଗୁରୁତ୍ୱ ରହିଛି ବୋଲି ସେ କହିଥିଲେ ।

ଏହି କାର୍ଯ୍ୟକ୍ରମରେ ସୋଆ କୁଳପତି ପ୍ରଫେସର ପ୍ରଦୀପ୍ତ କୁମାର ନନ୍ଦ ଅଧ୍ୟକ୍ଷତା କରି ବହୁବିଧ ଗବେଷଣା ଓ ମେସିନ୍ ଲର୍ଣ୍ଣିଂ କ୍ଷେତ୍ରରେ ଗଣିତର ଗୁରୁତ୍ୱ ଉପରେ ଆଲୋକପାତ କରି ଗଣିତରେ ପାରଙ୍ଗମ ହେବା ଆବଶ୍ୟକ ବୋଲି କହିଥିଲେ ।  ଏହି ପ୍ରଶିକ୍ଷଣ ଅଧିବେଶନରୁ ଲାଭବାନ ହେବା ପାଇଁ ଶିକ୍ଷାର୍ଥୀମାନଙ୍କୁ ସେ ଉତ୍ସାହିତ କରିବା ସହ କର୍ମଶାଳାର ବିଷୟବସ୍ତୁ ଉପରେ ଗୁରୁତ୍ୱାରୋପ କରିଥିଲେ ।

ସୋଆର କଂଟ୍ରୋଲର ଅଫ୍ ଏଗ୍‌ଜାମିନେସନ୍ ପ୍ରଫେସର ମଞ୍ଜୁଳା ଦାସ ସମ୍ମାନିତ ଅତିଥି ଭାବେ ଯୋଗ ଦେଇ କହିଥିଲେ ଯେ ଏଭଳି କର୍ମଶାଳା ଦ୍ୱାରା ଛାତ୍ରଛାତ୍ରୀମାନେ ଖୁବ୍ ଉପକୃତ ହେବେ । କିପରି ଭାବେ ମେସିନ୍ ଲର୍ଣ୍ଣିଂରେ ଗଣିତର ପ୍ରୟୋଗ କରାଯାଇ ପାରିବ ଏବଂ ଭବିଷ୍ୟତରେ ଏହି ପ୍ରଶିଷଣ ଛାତ୍ରଛାତ୍ରୀମାନଙ୍କୁ କିପରି ସାହଯ୍ୟ କରିବ ସେ ନେଇ ସେ ବକ୍ତବ୍ୟ ରଖିଥିଲେ ।

ଆଇଟିଇଆର୍‌ର ଡିନ୍ ପ୍ରଫେସର ପ୍ରଦୀପ କୁମାର ସାହୁ କହିଥିଲେ ଯେ ମେସିନ୍ ଲର୍ଣ୍ଣିଂ କ୍ଷେତ୍ରରେ ଗଣିତର କେତେ ଆବଶ୍ୟକତା ରହିଛି ସେ ନେଇ ଏହି କର୍ମଶାଳାରେ ଛାତ୍ରାଛାତ୍ରୀମାନଙ୍କୁ ପ୍ରଶିକ୍ଷଣ ଦିଆଯିବ ।  ତେବେ ଏଆଇକୁ ବ୍ୟବହାର କରିବା ଓ ତାକୁ ବୁଝିବା ପାଇଁ ଗଣିତର ଆବଶ୍ୟକତା ରହିଛି । ମେସିନ୍ ଲର୍ଣ୍ଣିରେ ଗଣିତ କିପରି ବ୍ୟବହାର ହେବ ଓ ଆଗକୁ ଛାତ୍ରଛାତ୍ରୀମାନେ କିପରି ଏହାର ସୁବିଧା ପାଇପାରିବେ ସେ ନେଇ ଏହି କର୍ମଶାଳାରେ ଆଲୋଚନା କରାଯିବ ବୋଲି ପ୍ରଫେସର ସାହୁ କହିଥିଲେ ।

ଏହି ଉଦ୍‌ଘାଟନୀ କାର୍ଯ୍ୟକ୍ରମରେ ଆଇଟିଇଆରର ଗଣିତ ବିଭାଗର ବିଭାଗୀୟ ମୁଖ୍ୟ ତଥା ଡବ୍ଲ୍ୟୁଏମ୍‌ଏମ୍‌ଏଲ୍‌-୨୦୨୬ ଅର୍ଗାନାଇଜିଂ ଚେୟାର ପ୍ରଫେସର ସୁନିତା ଚାନ୍ଦ ସ୍ୱାଗତ ଭାଷଣ ପ୍ରଦାନ କରିବା ସହିତ ଏହି ପ୍ରଶିକ୍ଷଣ କାର୍ଯ୍ୟକ୍ରମର ଉଦ୍ଦେଶ୍ୟ ବୁଝାଇଥିଲେ ।

ଏହି କର୍ମଶାଳାରେ ଦେଶର ବିଭିନ୍ନ ପ୍ରାନ୍ତ ତଥା ରାଜ୍ୟରୁ  ପ୍ରାୟ ୭୦ ଜଣ ଛାତ୍ରଛାତ୍ରୀ ଅଂଶ ଗ୍ରହଣ କରୁଛନ୍ତି । କର୍ମଶାଳାରେ ଥିଓରୀ ଓ ପ୍ରାକ୍ଟିକାଲ ଉପରେ ଗୁରୁତ୍ୱ ଦିଆଯିବ । ପ୍ରତିଦିନ ବିଭିନ୍ନ ବିଷୟବସ୍ତୁ ଉପରେ ବାହାରୁ ଆସିଥିବା ବିଶେଷଜ୍ଞ ଯଥା ଏନ୍‌ଆଇଟି ଦୁର୍ଗାପୁରର ପ୍ରଫେସର ନନ୍ଦ ଦୁଲାଲ ଜାନା ଓ ଆଇଆଇଟି ପାଟନାର ପ୍ରଫେସର ପ୍ରତିଭାମୟ ଦାସ ଆଲୋଚନାଚକ୍ର, ଲ୍ୟାବ୍ ସେସନ୍‌,  ଇଂଟରାକ୍ଟିଭ୍ ସେସନ୍ ଏବଂ ମେସିନ୍ ଲର୍ଣ୍ଣିଂ ଆପ୍ଲିକେସନ୍ ଉପରେ ପ୍ରଶିକ୍ଷଣ ପ୍ରଦାନ କରିବେ ।

କାର୍ଯ୍ୟକ୍ରମର ସଂଯୋଜକ ଡକ୍ଟର ଧବଳେଶ୍ୱର ମହାପାତ୍ର ଧନ୍ୟବାଦ ଅର୍ପଣ କରିବା  ସହିତ ସହ ସଂଯୋଜକ ଡକ୍ଟର ଶ୍ରଦ୍ଧାରାମ ସ୍ୱାଇଁ ଏବଂ ଡକ୍ଟର ଲୋପାମୁଦ୍ରା ଦାସ ଏହି କର୍ମଶାଳାକୁ ପରିଚାଳନା କରିଥିଲେ ।

​​​​​​​