କୋଲକାତା,୧୭/୦୮:ପଶ୍ଚିମବଙ୍ଗରେ ଭୟଙ୍କର ଅଗ୍ନିକାଣ୍ଡ । ହୁହୁ ହୋଇ ଜଳିଗଲା ହୋଟେଲ । ରାଜ୍ୟର ବୀରଭୁମ ଜିଲ୍ଲାରେ ଥିବା ଏକ ହୋଟେଲରେ ସୋମବାର ସକାଳେ ଏହି ଅଗ୍ନିକାଣ୍ଡ ଘଟିଛି । ଏଥିରେ ୬ ଜଣ ପ୍ରାଣ ହରାଇଥିବା ବେଳେ ଅନେକ ଗୁରୁତର ହୋଇଛନ୍ତି । ସମସ୍ତଙ୍କୁ ନିକଟସ୍ଥ ହସ୍ପିଟାଲରେ ଭର୍ତ୍ତି କରାଯାଇଛି ।

ରିପୋର୍ଟ ଅନୁସାରେ, ସୋମବାର ସକାଳ ୪ଟାରେ ହୋଟେଲରେ ଅଗ୍ନିକାଣ୍ଡ ଘଟିଛି । ଏଠାରେ ଶ୍ରାବଣ ସୋମବାର ପାଇଁ ଅନେକ ତୀର୍ଥଯାତ୍ରୀ ରହିଥିଲେ । ଭୋର ବେଳେ ଶୋଇଥିବା ବେଳେ ହଠାତ ଧୂଆଁ ବାହାରିଥିଲା । କେହି କିଛି ଭାବିବା ପୂର୍ବରୁ ନିଆଁ ତୁରନ୍ତ ବ୍ୟାପି ଯାଇଥିଲା । ଫଳରେ ଶ୍ରଦ୍ଧାଳୁମାନେ ଫସି ରହିଥିଲେ । ତେବେ ସର୍ଟ ସର୍କିଟ କାରଣରୁ ନିଆଁ ଲାଗିଥିବା ଆଶଙ୍କା କରାଯାଉଛି ।କିନ୍ତୁ ପ୍ରକୃତ କାରଣ ସ୍ପଷ୍ଟ ହୋଇନାହିଁ ।

Also Read :- 'ଟାଇସନ'କୁ ରାଷ୍ଟ୍ରପତି ପୁରସ୍କାର : ଆତଙ୍କବାଦୀର ଗୁଳି ଖାଇ ମଧ୍ୟ ସିଂହ ଭଳି କରିଥିଲା ଆକ୍ରମଣ

ଅଗ୍ନିକାଣ୍ଡର ଖବର ପରେ ତୁରନ୍ତ ଅଗ୍ନିଶମ ବାହିନୀ ଏବଂ ପୋଲିସ ଘଟଣାସ୍ଥଳରେ ପହଁଚିଥିଲେ । ହେଲେ ସେତେବେଳକୁ ବିଳମ୍ବ ହୋଇସାରିଥିଲା । ୬ ଜଣ ପ୍ରାଣ ହରାଇ ସାରିଥିଲେ । ଏହାସହ ଅନେକ ଆହତ ମଧ୍ୟ ହୋଇଛନ୍ତି । ସେମାନଙ୍କୁ ଉଦ୍ଧାର କରି ନିକଟସ୍ଥ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ଅନ୍ୟ ଦିଗରେ ମୃତକଙ୍କ ସଂଖ୍ୟା ଆହୁରି ବଢିପାରେ ବୋଲି ସ୍ଥାନୀୟ ଲୋକେ ଆଶଙ୍କା କରୁଛନ୍ତି । ଏବେବି ନିଆଁଲିଭା କାର୍ଯ୍ୟ ଜାରି ରହିଛି ।