ନୂଆଦିଲ୍ଲୀ: ଉଦଘାଟନ ପୂର୍ବରୁ ଦେଶର ସବୁଠୁ ବଡ଼ ତେଲ ରିଫାଇନାରୀରେ ଲାଗିଲା ନିଆଁ। ମଙ୍ଗଳବାର ରାଜସ୍ଥାନର ବାଲୋତରା ଜିଲ୍ଲାର ପଚପଦରା ରିଫାଇନାରୀରେ ଅଗ୍ନିକାଣ୍ଡ ଘଟିଛି। ଏହି ପ୍ଲାଣ୍ଟକୁ ମଙ୍ଗଳବାର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଉଦଘାଟନ କରିବେ। ହେଲେ ଏହା ପୂର୍ବରୁ ଏହି ଅଘଟଣ ଘଟିଛି। ନିଆଁ ଲାଗିବା ପରେ ରିଫାଇନାରୀରୁ ଧୂଆଁ ବାହାରୁଛି। କର୍ମଚାରୀ ଅଗ୍ନି ସୁରକ୍ଷା ସିଷ୍ଟମ ଦ୍ବାରା ନିଆଁ ଉପରେ କାବୁ କରିବାକୁ ଚେଷ୍ଟା କରୁଥିବା ଜଣାପଡ଼ିଛି । ତେବେ ବର୍ତ୍ତମାନ ସୁଦ୍ଧା ଅଗ୍ନିକାଣ୍ଡର କାରଣ ଜଣାପଡ଼ିନାହିଁ।

ମିଳିଥିବା ସୂଚନା ଅନୁସାରେ, ରିଫାଇନାରୀର ସିଡିୟୁରେ ନିଆଁଲାଗିଛି। ନିଆଁ ଲାଗିବା ପରେ ରିଫାଇନାରୀରେ ହଇଚଇ ସୃଷ୍ଟି ହୋଇଥିଲା। ଦମକଳ ବାହିନୀ ନିଆଁକୁ ଆୟତ୍ତ କରିବାକୁ ଚେଷ୍ଟା କରୁଛନ୍ତି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ମଙ୍ଗଳବାର ୧୧ଟାରେ ରିଫାଇନାରୀର ଉଦଘାଟନ କରିବେ। ଏମିତିରେ ତାଙ୍କ ଗସ୍ତ ପୂର୍ବରୁ ରାଜସ୍ଥାନ ମୁଖ୍ୟମନ୍ତ୍ରୀ ଭଜନଲାଲ ଶର୍ମା ଘଟଣାସ୍ଥଳରେ ପହଞ୍ଚିଛନ୍ତି।

Also Read: ଛତିଶଗଡ଼ରେ ବଡ଼ ଦୁର୍ଘଟଣା: ପାଓ୍ବାର ପ୍ଲାଣ୍ଟ୍ର ବଏଲର ଫାଟି ଏକାଧିକ ଶ୍ରମିକ ମୃତ, ୪୦ ଗୁରୁତର

ପଚପଦରା ରିଫାଇନାରୀ

ବାଲୋଜରା ଜିଲ୍ଲାରେ ଥିବା ଏହି ପଚପଦରା ରିଫାଇନାରୀକୁ ରାଜସ୍ଥାନର ଅର୍ଥବ୍ୟବସ୍ଥାର ସବୁଠୁ ବଡ଼ ଟର୍ଣ୍ଣିଂ ପଏଣ୍ଟ। ପ୍ରାୟ ୭୨ ହଜାର କୋଟି ଟଙ୍କାରେ ନିର୍ମିତ ଏହି ପ୍ରକଳ୍ପ ରାଜ୍ୟରେ ନିବେଶ ଏବଂ ରୋଜଗାରର ନୂଆ ଅବସର ସୃଷ୍ଟି କରିବ। ମୁଖ୍ୟମନ୍ତ୍ରୀ ଭଜନଲାଲ ଶର୍ମା ଏହି ରିଫାଇନାରୀକୁ ରାଜସ୍ଥାନ ବିକାଶ ପାଇଁ ମାଇଲ ଖୁଣ୍ଟ ବୋଲି କହିଛନ୍ତି। ସେ କହିଥିଲେ ଏହି ପ୍ରକଳ୍ପରେ ରାଜ୍ୟ ସରକାରଙ୍କ ୨୬ ପ୍ରତିଶତ ଅଂଶ ରହିବ। ଏହାଦ୍ବାରା ହଜାର ହଜାର ପ୍ରତ୍ୟକ୍ଷ ଏବଂ ଲକ୍ଷ ଲକ୍ଷ ଅପ୍ରତ୍ୟକ୍ଷ ରୋଜଗାର ସୃଷ୍ଟି ହେବ। ଯାହାର ସିଧାସଳଖ ଲାଭ ବାଡ଼ମେର, ଜୈସଲମେର ଏବଂ ଜୋଧପୁରର ଯୁବକଙ୍କୁ ମିଳିବ।