ନୂଆଦିଲ୍ଲୀ,୧୮/୦୮ : ଭାରତୀୟ ପୁରୁଷ ଦଳ ଚଳିତ ଏଫଆଇଏଚ୍ ହକି ବିଶ୍ଵକପର ପ୍ରଥମ ମ୍ୟାଚରେ ୱେଲ୍ସକୁ ହରାଇବା ପରେ ଆଜି ଦ୍ଵିତୀୟ ମ୍ୟାଚରେ ଇଂଲଣ୍ଡଠାରୁ ପରାସ୍ତ ହୋଇଛି। ପୁଲ୍ ଡି’ର ଏହି ମ୍ୟାଚରେ ଇଂଲଣ୍ଡ ୪-୨ ଗୋଲରେ ବିଜୟୀ ହୋଇଥିଲା।

ଇଂଲଣ୍ଡ କ୍ରମାନ୍ୱୟରେ ୨ଟି ମ୍ୟାଚରେ ବିଜୟୀ ହୋଇ ୬ ପଏଣ୍ଟ ସହ ଟେବୁଲରେ ଶୀର୍ଷ ସ୍ଥାନ ସହ ଦ୍ବିତୀୟ ରାଉଣ୍ଡରେ ପ୍ରବେଶ କରିଛି। ଦଳ ଅନ୍ତିମ ମ୍ୟାଚରେ ଆସନ୍ତା ୧୯ ତାରିଖରେ ୱେଲ୍ସକୁ ଭେଟିବ। ଭାରତ ଗୋଟିଏ ବିଜୟ ସହ ୩ ପଏଣ୍ଟ ପାଇ ଟେବୁଲରେ ଦ୍ଵିତୀୟ ସ୍ଥାନରେ ରହିଛି। ଅନ୍ତିମ ମ୍ୟାଚରେ ଦଳ ଆସନ୍ତା ୧୯ ତାରିଖରେ ପାରମ୍ପରିକ ପ୍ରତିଦ୍ଵନ୍ଦୀ ପାକିସ୍ତାନକୁ ଭେଟିବ। ଏହି ମ୍ୟାଚରେ ଭାରତ ବିଜୟୀ ହେଲେ ଦ୍ଵିତୀୟ ରାଉଣ୍ଡକୁ ଉନ୍ନୀତ ହେବ।

ଭାରତ ୨-୪ ଇଂଲଣ୍ଡ:

ଭାରତୀୟ ଦଳର ପ୍ରଦର୍ଶନ ସେଭଳି ପ୍ରଭାବଶାଳୀ ନଥିଲା। ଇଂଲଣ୍ଡ ୧୩ ମିନିଟରେ ପ୍ରଥମ ଗୋଲ୍ ଦେଇଥିଲା । ୧୬ ମିନିଟରେ ହର୍ମନପ୍ରୀତ ସିଂ ଏହି ଗୋଲ ପରିଶୋଧ କରିଥିଲେ। ପୁଣି ୨୪ ମିନିଟରେ ଦିଲପ୍ରୀତ ସିଂ ଦ୍ଵିତୀୟ ଗୋଲ୍ ଦେଇ ଭାରତକୁ ୨-୧ରେ ଅଗ୍ରଣୀ କରାଇଥିଲେ।

କିନ୍ତୁ ପରବର୍ତ୍ତୀ ସମୟରେ ଭାରତୀୟ ଦଳ ମନ୍ଥର ହୋଇଯାଇଥିଲା। ଯାହାର ଫାଇଦା ଇଂଲଣ୍ଡ ଦଳକୁ ମିଳିଥିଲା । ୩୮, ୪୨ ଓ ୫୫ ମିନିଟରେ ଦଳ ଆଉ ୩ଟି ଗୋଲ୍ ଦେଇ ଶେଷରେ ମ୍ୟାଚକୁ ୪-୨ ଗୋଲରେ ଜିତି ନେଇଥିଲା। ନିକୋଲାସ (୧୩ ଓ ୫୫ ମିନିଟ) ଡବଲ ଗୋଲ୍ ଦେଇ ଦଳକୁ ଜିତାଇବାରେ ପ୍ରମୁଖ ଭୂମିକା ନିର୍ବାହ କରିଥିଲେ। ଶେଷ ପର୍ଯ୍ୟନ୍ତ ବହୁ ପ୍ରୟାସ କରି ଭାରତ ଆଉ ପ୍ରତ୍ୟାବର୍ତ୍ତନର ସୁଯୋଗ ପାଇ ପାରି ନଥିଲା।

ପୁଲର ଅନ୍ୟ ଏକ ମ୍ୟାଚ ପାକିସ୍ତାନ ଓ ୱେଲ୍ସ ମଧ୍ୟରେ ୩-୩ ଗୋଲରେ ମ୍ୟାଚ ଅମୀମାଂସିତ ରହିଥିଲା। ଉଭୟ ଦଳ ପଏଣ୍ଟ ଭାଗ କରିଥିଲେ। ପୁଲ ବି’ରେ ଫ୍ରାନ୍ସ-ମାଲେସିଆ ୩–୩ ଗୋଲରେ ଡ୍ର' ରଖି ପଏଣ୍ଟ ବାଣ୍ଟି ନେଇଥିଲେ।