ପୁରୀ ୫।୮: ଶ୍ରୀମନ୍ଦିରରେ ମହାପ୍ରସାଦ ପ୍ରସ୍ତୁତି ପାଇଁ ଜାଳେଣି କାଠର ଘୋର ଅଭାବ ଲାଗି ରହିଛି। ଗତ ଦୁଇରୁ ତିନି ବର୍ଷ ହେବ ମହାପ୍ରସାଦ ପ୍ରସ୍ତୁତି ପାଇଁ ଜାଳେଣି କାଠର ଅଭାବ ଲାଗି ରହିଥିବା ବେଳେ ଏହି ସମସ୍ୟାର ସମାଧାନ ପାଇଁ ପ୍ରଶାସନ ପଦକ୍ଷେପ ନେଉନଥିବା ଯୋଗୁଁ ଆଗାମୀ ଦିନରେ ମହାପ୍ରସାଦ ପ୍ରସ୍ତୁତିରେ ବଡ଼ ସମସ୍ୟା ସୃଷ୍ଟି ହେବ ବୋଲି ସୁଆର ମହାସୁଆର ନିଯୋଗ ଅଭିଯୋଗ କରିଛି। ତେବେ ଶ୍ରୀମନ୍ଦିରରେ ପ୍ରତ୍ୟେକ ଦିନ ବରାଦି ଭୋଗ ପ୍ରସ୍ତୁତି ପାଇଁ ୧୦୦ କ୍ବିଣ୍ଟାଲରୁ ଅଧିକ ଜାଳେଣି କାଠର ଆବଶ୍ୟକତା ରହିଛି। ହେଲେ ମାତ୍ର ୪୦ ରୁ ୫୦ କ୍ବିଣ୍ଟାଲ ଜାଳେଣି କାଠ ପ୍ରଶାସନ ପକ୍ଷରୁ ଯୋଗାଇ ଦିଆଯାଉଥିବା ଅଭିଯୋଗ କରିଛି ସୁଆର ମହାସୁଆର ନିଯୋଗ। କାଠର ଅଭାବ ହେତୁ ବାଧ୍ୟ ହୋଇ ଶ୍ରୀମନ୍ଦିର ସୁଆର ମହାସୁଆର ନିଯୋଗ ବାହାର କାଠ ଗୋଲା ରୁ ଉଚ୍ଚ ଦରରେ ଜାଳେଣି କାଠ କିଣିବା ପାଇଁ ବାଧ୍ୟ ହେଉଛି। ଏହାଦ୍ବାରା ଅଧିକ ଟଙ୍କା ଖର୍ଚ୍ଚ ହେଉଥିବା ବେଳେ ମହାପ୍ରସାଦର ମଧ୍ୟ ଦର ଉପରେ ପ୍ରଭାବ ପଡୁଛି।

ସେହିପରି ଅନେକ ସମୟରେ ପର୍ଯ୍ୟାପ୍ତ ଜାଳେଣି କାଠ ମିଳୁନଥିବାରୁ ଲୋକଙ୍କ ବରାଦ ମୁତାବକ ମହାପ୍ରସାଦ ପ୍ରସ୍ତୁତି କରାଯାଇ ପାରୁନାହିଁ ବୋଲି ଅଭିଯୋଗ କରିଛି ସୁଆର ମହାସୁଆର ନିଯୋଗ। ଦିନକୁ ଦିନ ଶ୍ରୀମନ୍ଦିରକୁ ଭକ୍ତଙ୍କ ଆଗମନ ବୃଦ୍ଧି ପାଉଥିବା ବେଳେ ବରାଦି ଭୋଗ ଚାହିଦା ମଧ୍ୟ ବୃଦ୍ଧି ପାଇବାରେ ଲାଗିଛି। ଜାଳେଣି କାଠ ଅଭାବ ହେତୁ ଆଗାମୀ ଦିନରେ ମହାପ୍ରସାଦ ପ୍ରସ୍ତୁତିରେ ବ୍ୟାପକ ପ୍ରଭାବ ପଡିବ ବୋଲି ଆଶଙ୍କା ପ୍ରକାଶ କରିଛନ୍ତି ଶ୍ରୀମନ୍ଦିର ସୁଆର ମହାସୁଆର ନିଯୋଗର ସମ୍ପାଦକ ନାରାୟଣ ମହାସୁଆର। ପୁରୀ ଜିଲ୍ଲା ପ୍ରଶାସନ କାଠ ସଙ୍କଟ ସମସ୍ୟାର ସମାଧାନ ଶିଘ୍ର ନକଲେ ବାଧ୍ୟ ହୋଇ ସୁଆର ମହାସୁଆର ନିଯୋଗ ମହାପ୍ରସାଦ ପ୍ରସ୍ତୁତି ବନ୍ଦ କରିବା ପାଇଁ ବାଧ୍ୟ ହେବ ବୋଲି ନିଯୋଗର ସମ୍ପାଦକ।

Also Read:- ବୈପାରୀଗୁଡାରେ ବିଲୁଆ ଆତଙ୍କ ; ଗାଁରେ ପଶି ଗୋଡ଼ାଇ ଗୋଡ଼ାଇ କାମୁଡ଼ିଲା, ୬ ଗୁରୁତର

ପୁରୀ ଜିଲ୍ଲାପାଳ ଦିବ୍ୟଜ୍ୟୋତି ପରିଡ଼ା କହିଛନ୍ତି ଶ୍ରୀମନ୍ଦିରକୁ କାଠ ଯୋଗାଣରେ କୌଣସି ସମସ୍ୟା ନାହିଁ। ବନବିଭାଗ ପକ୍ଷରୁ ଆବଶ୍ୟକତା ଅନୁସାରେ ଶ୍ରୀମନ୍ଦିରକୁ ଯୋଗାଇ ଦିଆଯାଉଛି କାଠ। ତେବେ କାଠକୁ ନେଇ ଯେଉଁ ସମସ୍ୟା ଥିବା ଅଭିଯୋଗ ହେଉଛି ସେନେଇ ସୁଆର ମହାସୁଆର ନିଯୋଗ ସହ ଆଲୋଚନା କରାଯାଇ କାଠ ସମସ୍ୟାର ସମାଧାନ କରାଯିବ। ସେପଟେ ଭକ୍ତ କହିଛନ୍ତି ଶ୍ରୀମନ୍ଦିରରେ ମହାପ୍ରସାଦ ପ୍ରସ୍ତୁତି କୁ ନେଇ ଯେଭଳି କାଠର କୌଣସି ସମସ୍ୟା ରହିବ ନାହିଁ ସେ ଦିଗରେ ପ୍ରଶାସନ ପଦକ୍ଷେପ ନେଉ।