ବରେଲୀ: ସୋସିଆଲ ମିଡିଆରେ ପ୍ରେମ କିମ୍ବା ନିଜକୁ ବଡ଼ ଅଫିସର ପରିଚୟ ଦେଇ ଲୋକଙ୍କୁ ଠକିବା ନୂଆ କଥା ନୁହେଁ। କିନ୍ତୁ ଉତ୍ତର ପ୍ରଦେଶ ବରେଲୀରୁ ଯେଉଁ ଚାଞ୍ଚଲ୍ୟକର ମାମଲା ସାମ୍ନାକୁ ଆସିଛି, ତାହା ଶୁଣିଲେ ଆପଣ ବି ଆଶ୍ଚର୍ଯ୍ୟ ହୋଇଯିବେ। ଜଣେ ମହିଳା ଫେସବୁକରେ ନିଜକୁ ଆଇଏଏସ ଅଫିସର କହି ପ୍ରଥମେ ଯୁବକଙ୍କୁ ପ୍ରେମ ଜାଲରେ ଫସାଇଲେ ଏବଂ ପରେ ବିବାହ ମଧ୍ୟ କଲେ। କିନ୍ତୁ ବିବାହର କିଛି ଦିନ ପରେ ଯେତେବେଳେ ସେ ୪୦ ଲକ୍ଷ ଟଙ୍କା ଦାବି କରି ଧମକ ଦେବା ଆରମ୍ଭ କଲେ, ସେତେବେଳେ ଖୋଲିଗଲା 'ନକଲି ଆଇଏଏସ' ମ୍ୟାଡାମଙ୍କ ଅସଲ ଚେହେରା। ପୋଲିସ ଏବେ ଅଭିଯୁକ୍ତ ମହିଳାଙ୍କୁ ଗିରଫ କରି ଜେଲ ପଠାଇଛି।

କ'ଣ ଥିଲା ପୂରା ଘଟଣା ?

ବରେଲୀର ଫରିଦପୁର ଥାନା ଅଞ୍ଚଳର ଅଭିଷେକ ପୋଲିସରେ ଅଭିଯୋଗ ପରେ ଘଟଣା ସାମ୍ନାକୁ ଆସିଥିଲା। ଅଭିଯୋଗ ଅନୁସାରେ, ପ୍ରାୟ ମାସେ ତଳେ ସାଧନା ନାମକ ଜଣେ ମହିଳାଙ୍କ ସହ ତାଙ୍କର ବିବାହ ହୋଇଥିଲା। ବିବାହ ପୂର୍ବରୁ ସାଧନା ନିଜକୁ ଜଣେ IAS ଅଧିକାରୀ ବୋଲି ପରିଚୟ ଦେଇଥିଲେ। ସେ ଏହା ମଧ୍ୟ କହିଥିଲେ ଯେ, କୋର୍ଟରେ ତାଙ୍କର ଏକ ମାମଲା ଚାଲିଛି। ଯୁବକ ଜଣକ ମହିଳାଙ୍କ କଥାକୁ ସତ ଭାବି ବିବାହ ପାଇଁ ରାଜି ହୋଇଯାଇଥିଲେ।

ବିବାହ ପରେ ଆରମ୍ଭ ହେଲା ଅସଲ ଖେଳ

ଅଭିଷେକଙ୍କ ଅଭିଯୋଗ ଅନୁସାରେ, ବିବାହ ସରିବା ପରେ ସାଧନାଙ୍କ ରୂପ ବଦଳି ଯାଇଥିଲା। ସେ ତାଙ୍କୁ ଏବଂ ତାଙ୍କ ପରିବାର ଲୋକଙ୍କୁ ୪୦ ଲକ୍ଷ ଟଙ୍କା ମାଗିବା ଆରମ୍ଭ କରିଥିଲେ । ଟଙ୍କା ନଦେଲେ ସେ ସେମାନଙ୍କୁ ମିଥ୍ୟା ମାମଲାରେ ଫସାଇଦେବା, ପୂରା ପରିବାରକୁ ବରବାଦ କରିଦେବା ଏବଂ ଜୀବନରୁ ମାରିଦେବାକୁ ଧମକ ଦେଇଥିଲେ। ଏପରିକି ମହିଳା ଜଣକ ତାଙ୍କୁ ହତ୍ୟା କରିବାକୁ ମଧ୍ୟ ଚେଷ୍ଟା କରିଥିବା ଅଭିଷେକ ଅଭିଯୋଗ କରିଛନ୍ତି।

Also Read: ମହିଳାଙ୍କୁ ଅସଦାଚରଣ, ବିରୋଧ କରିବାରୁ ୧୫ କିଲୋମିଟର ପର୍ଯ୍ୟନ୍ତ ଗୋଡ଼ାଇ ଆକ୍ରମଣ, ୯ ଜଣ ଗିରଫ

ତେବେ ଧମକରେ ଅତିଷ୍ଠ ହୋଇ ଅଭିଷେକ ଫରିଦପୁର ଥାନାରେ ମାମଲା ରୁଜୁ କରାଇଥିଲେ। ପୋଲିସ ଘଟଣାର ତଦନ୍ତ ଆରମ୍ଭ କରିବା ପରେ ଜାଣିବାକୁ ପାଇଥିଲା ଯେ, ସାଧନା କୌଣସି ସରକାରୀ ଚାକିରି କରନ୍ତି ନାହିଁ ଏବଂ ସେ IAS ମଧ୍ୟ ନୁହଁନ୍ତି। ସେ କେବଳ ଲୋକଙ୍କୁ ଠକିବା ପାଇଁ ଏଭଳି ମିଛ ପରିଚୟ ଦେଇଥିଲେ।

ଘଟଣା ସମ୍ପର୍କରେ ସୂଚନା ଦେଇଛି ଏସପି ଗ୍ରାମୀଣ ଅଂଶିକା ବର୍ମା ସୂଚନା ଦେଇ କହିଛନ୍ତି ଯେ, ପୀଡ଼ିତଙ୍କ ଅଭିଯୋଗ ଆଧାରରେ ମାମଲା ରୁଜୁ କରାଯାଇ ତଦନ୍ତ କରାଯାଇଥିଲା। ମହିଳାଙ୍କ IAS ଦାବି ମିଛ ପ୍ରମାଣିତ ହେବା ପରେ ପୋଲିସ ବଦାୟୁଁ ଜିଲ୍ଲାର ବିଲ୍‌ସୀ ଥାନା ଅନ୍ତର୍ଗତ ସତେତୀ ଗାଁର ବାସିନ୍ଦା ଆରୋପୀ ସାଧନାଙ୍କୁ ଗିରଫ କରିଛି। କୋର୍ଟରେ ହାଜର କରାଯିବା ପରେ ତାଙ୍କୁ ଜେଲ୍ ପଠାଇ ଦିଆଯାଇଛି ଏବଂ ପୋଲିସ ଏହି ଘଟଣାର ଅଧିକ ଖୋଳତାଡ଼ ଜାରି ରଖିଛି।