ଭୁବନେଶ୍ବର: ରାଜ୍ୟର ସମସ୍ତ ୩୦ଟି ଜିଲ୍ଲାର ତୃଣମୂଳ ସ୍ତରର ସମ୍ପ୍ରସାରଣ ଅଧିକାରୀଙ୍କୁ ନେଇ ଗଠିତ "ଅଲ୍ ଓଡ଼ିଶା ଏକ୍ସଟେନସନ୍ ଅଫିସର୍ସ ଆସୋସିଏସନ୍"ର ଏକ ଗୁରୁତ୍ୱପୂର୍ଣ୍ଣ ସାଧାରଣ ପରିଷଦ ବୈଠକ ରବିବାର ଭୁବନେଶ୍ୱରସ୍ଥିତ ଓଏସଏସଏ (OSSA) ଭବନଠାରେ ସଫଳତାର ସହ ଅନୁଷ୍ଠିତ ହୋଇଯାଇଛି। ଚାରୋଟି ମୁଖ୍ୟ କ୍ୟାଡର—ବ୍ଲକ୍ ସାମାଜିକ ସୁରକ୍ଷା ଅଧିକାରୀ (BSSO), ଗ୍ରାମ ପଞ୍ଚାୟତ ଉନ୍ନୟନ ଅଧିକାରୀ (GPDO), ମାର୍କେଟ ଇଣ୍ଟେଲିଜେନ୍ସ/ଯୋଗାଣ ପରିଦର୍ଶକ (MI/IoS) ଏବଂ ମଙ୍ଗଳ ସମ୍ପ୍ରସାରଣ ଅଧିକାରୀ (WEO)ର ଶହ ଶହ ପ୍ରତିନିଧି ଏହି ସମ୍ମିଳନୀରେ ଯୋଗଦେଇ ସେମାନଙ୍କର ବହୁଦିନର ସେବା ଓ କ୍ୟାଡର ସମ୍ବନ୍ଧୀୟ ସମସ୍ୟା ଉପରେ ଆଲୋଚନା କରିଥିଲେ।

ଗୌରାଙ୍ଗ କୁମାର କୁଅଁର (BSSO)ଙ୍କ ପ୍ରାରମ୍ଭିକ ସୂଚନା ସହ ବୈଠକ ଆରମ୍ଭ ହୋଇଥିଲା ଏବଂ ସମରେଶ୍ୱର ବେହେରା (MI) ଏହାକୁ ସଂଯୋଜନା କରିଥିଲେ। ତୃଣମୂଳ ସ୍ତରରେ ପ୍ରତ୍ୟକ୍ଷ ଭାବେ କାର୍ଯ୍ୟ କରୁଥିବା ଅଧିକାରୀମାନେ ଅତ୍ୟନ୍ତ ଚାପପୂର୍ଣ୍ଣ ପରିସ୍ଥିତିରେ କାମ କରୁଛନ୍ତି ବୋଲି ପ୍ରତିନିଧିମାନେ ଦର୍ଶାଇଥିଲେ। ସମାନ୍ତରାଳ ପ୍ରଶାସନିକ କ୍ୟାଡରଗୁଡ଼ିକର ଦରମା ହାର (Pay Scale) ଲେଭଲ-୧୨କୁ ବୃଦ୍ଧି କରାଯାଇଥିବା ବେଳେ, ଏହି ଚାରୋଟି କ୍ୟାଡର ଏବେବି ଲେଭଲ-୯ରେ ରହିଛନ୍ତି। ଏହି ପାର୍ଥକ୍ୟକୁ ଦୂର କରିବା ପାଇଁ ଆସୋସିଏସନ୍ ପକ୍ଷରୁ ପ୍ରାରମ୍ଭିକ ଦରମା ହାରକୁ ଲେଭଲ-୧୦କୁ ବୃଦ୍ଧି କରିବାକୁ ଦାବି କରାଯାଇଛି।

Also Read: ପାଠ୍ୟପୁସ୍ତକ ତ୍ରୁଟି ପ୍ରସଙ୍ଗରେ ଗଣଶିକ୍ଷା ମନ୍ତ୍ରୀଙ୍କ ଇସ୍ତଫା ଦାବି କଲେ ନବୀନ, ଲକ୍ଷ୍ମଣ କହିଲେ ନୈତିକତାର ପାଠ ନ ପଢାନ୍ତୁ​​​​​​​

ଏହା ସହିତ ଅନ୍ୟାନ୍ୟ ପ୍ରମୁଖ ଦାବିଗୁଡ଼ିକ ଉପରେ ମଧ୍ୟ ବିସ୍ତୃତ ଆଲୋଚନା କରାଯାଇଥିଲା, ଯେପରିକି, ଓଡ଼ିଶା ଲୋକସେବା ଆଯୋଗ (OPSC) ମାଧ୍ୟମରେ ସମ୍ପ୍ରସାରଣ ପଦବୀଗୁଡ଼ିକ ପାଇଁ ସିଧାସଳଖ କ୍ୟାଡର ନିଯୁକ୍ତି। ଏହି ଚାରୋଟି କ୍ୟାଡରର ଅଧିକାରୀଙ୍କ ପାଇଁ ଗୋଷ୍ଠୀ ଉନ୍ନୟନ ଅଧିକାରୀ (BDO) ପଦବୀକୁ ପଦୋନ୍ନତି ପାଇଁ ସଂରକ୍ଷିତ କୋଟା। କ୍ଷେତ୍ର ପରିଦର୍ଶନ ଏବଂ ସହାୟକ ପ୍ରଶାସନିକ କର୍ମଚାରୀଙ୍କ ପାଇଁ ସରକାରୀ ଗାଡ଼ିର ବ୍ୟବସ୍ଥା।ସମସ୍ତ ଅଧିକାରୀଙ୍କ ପାଇଁ ବ୍ୟାପକ ସ୍ୱାସ୍ଥ୍ୟ ବୀମା ଏବଂ ଅନ୍ୟାନ୍ୟ ସୁବିଧା।

ତାପସ ତ୍ରିପାଠୀ (ଯୋଗାଣ ପରିଦର୍ଶକ) ଧନ୍ୟବାଦ ଅର୍ପଣ କରିବା ସହ ବୈଠକ ଶେଷ ହୋଇଥିଲା। ନିଜର ନାର୍ଯ୍ୟ ହକ୍ ପାଇବା ପାଇଁ ଏକଜୁଟ ହୋଇ ମିଳିମିଶି ସଂଗ୍ରାମ ଜାରି ରଖିବାକୁ ସମସ୍ତ କ୍ୟାଡରର ସଦସ୍ୟମାନେ ପୁନର୍ବାର ସଙ୍କଳ୍ପବଦ୍ଧ ହୋଇଛନ୍ତି।