ନ୍ୟୁୟର୍କ ୮।୩: ନ୍ୟୁୟର୍କ ସହରର ମେୟର ଜୋହରାନ ମମଦାନୀଙ୍କ ସରକାରୀ ଆବାସ ‘ଗ୍ରେସୀ ମାନସନ’ ବାହାରେ ବିକ୍ଷୋଭ ପ୍ରଦର୍ଶନ କରାଯାଇଛି। ଏହି ପ୍ରଦର୍ଶନ ସେତେବେଳେ ଉଗ୍ର ରୂପ ଧାରଣ କରିଥିଲା ଯେତେବେଳେ ପ୍ରଦର୍ଶନକାରୀଙ୍କ ମଧ୍ୟରେ ଝଗଡ଼ା ହୋଇ ଜଳନ୍ତା ବିସ୍ଫୋରକ ଫିଙ୍ଗା ଗଲା। ମାମଲାରେ ମାନହାଟ୍ଟନ ପୋଲିସ ୬ ଜଣଙ୍କୁ ଗିରଫ କରିଛି। ଅଧିକାରୀମାନେ କହିଛନ୍ତି ଯେ ପ୍ରଦର୍ଶନକାରୀଙ୍କ ମଧ୍ୟରେ ଝଗଡ଼ା କାଳରେ ବୋଲ୍ଟ ଓ ସ୍କରୁ ଥିବା ୨ଟି ପ୍ରୋଜେକ୍ଟାଇଲ ଫିଙ୍ଗା ଯାଇଥିଲା। ଏହା ପରେ ଯାଞ୍ଚ ହେବା ସହ ଲୋକଙ୍କୁ ଗିରଫ କରାଯାଇଛି।

ଅନଲାଇନରେ ପ୍ରସାରିତ ହେଉଥିବା ଭିଡିଓରେ ଜନୈକ ପ୍ରଦର୍ଶନକାରୀ କଥିତ ରୂପେ ଅନ୍ୟ ଜଣକୁ ଡିଭାଇସ ଦେଉଥିବାର ଦେଖା ଯାଇଛି। ପୋଲିସ କମିଶନର ଜେସିକା ଟିସ୍ କହିଛନ୍ତି ଯେ ଡିଭାଇସ କୌଣସି ହାତତିଆରି ଜିନିଷ ଭଳି ଦେଖା ଯାଉଛି। ନ୍ୟୁୟର୍କ ଟାଇମ୍ସ ରିପୋର୍ଟ ଅନୁସାରେ ଟିସ୍ କହିଛନ୍ତି ଯେ ବମ ସ୍କ୍ୱାର୍ଡ ତୁରନ୍ତ ଏହାର ଜବାବ ଦେଇଥିଲା। ତେବେ ଏଥିରେ ବିସ୍ଫୋରକ ଥିଲା କି ନା ସେ ନେଇ ଆମେ ଏ ପର୍ଯ୍ୟନ୍ତ ସ୍ପଷ୍ଟ ହୋଇ ପାରି ନାହୁଁ। ହେଲେ ଏଫବିଆଇ ନ୍ୟୁୟର୍କ ଫିଲ୍ଡ ଅଫିସ ପୁଷ୍ଟି କରିଛି ଯେ ଗ୍ରେସୀ ମାନସନ ନିକଟରୁ ଆମକୁ ଦୁଇଟି ସନ୍ଦିଗ୍ଧ ଜିନିଷ ମିଳିଛି।

ଏହି ଘଟଣା ସେତେବେଳେ ଘଟିଛି ଯେତେବେଳେ ଦକ୍ଷିଣପନ୍ଥୀ ଆକ୍ଟିଭିଷ୍ଟ ଜ୍ୟାକ୍ ଲେଙ୍ଗ ମେୟର ମମଦାନୀଙ୍କ ଅପର ଇଷ୍ଟ ସାଇଡ ଘର ନିକଟରେ ନ୍ୟୁୟର୍କ ସହର ଉପରେ ଇସ୍ଲାମିକ୍ ନିୟନ୍ତ୍ରଣ ରୋକିବା ଦାବିରେ ବିକ୍ଷୋଭ କରୁଥିଲେ। ଉଲ୍ଲେଖଯୋଗ୍ୟ ଯେ ମମଦାନୀ ନ୍ୟୁୟର୍କର ପ୍ରଥମ ମୁସଲମାନ ମେୟର। ଏହି ବିକ୍ଷୋଭ ପ୍ରଦର୍ଶନ ପାଇଁ ଲେଙ୍ଗ ପାଖାପାଖି ୨୦ ଜଣ ପ୍ରଦର୍ଶନକାରୀଙ୍କୁ ନେଇ ମମଦାନୀଙ୍କ ସରକାରୀ ବାସଭବନ ସମ୍ମୁଖକୁ ପହଞ୍ଚିଥିଲେ। ଏମାନଙ୍କ ମଧ୍ୟରୁ କେତେକ ଆମେରିକା ଜାତୀୟ ପତାକା ଛବିଥିବା ଟୋପି ଓ ଫ୍ରିଡମ ଲେଖାଥିବା ସ୍ୱେଟସାର୍ଟ ପିନ୍ଧିଥିଲେ।