ନୂଆଦିଲ୍ଲୀ ୧୩।୧୦:  କର୍ମଚାରୀ ଭବିଷ୍ୟନିଧି ସଙ୍ଗଠନ (ଇପିଏଫଓ) ସୋମବାର ତାଙ୍କର ୭ କୋଟିରୁ ଅଧିକ ସଦସ୍ୟଙ୍କୁ ଆଂଶିକ ଉଠାଣ ନିୟମରେ ବଡ଼ ରିହାତି ଦେଇ ୧୦୦% ପର୍ଯ୍ୟନ୍ତ ଉଠାଣର ମଞ୍ଜୁରୀ ଦେଇଛନ୍ତି। ସିବିଟି ବୈଠକରେ ଏହି ନିଷ୍ପତ୍ତି ହୋଇଛି। କେନ୍ଦ୍ରମନ୍ତ୍ରୀ ମନସୁଖ ମାଣ୍ଡବ୍ୟ ଏହି ବୈଠକରେ ଅଧ୍ୟକ୍ଷତା କରିଥିଲେ। ଶ୍ରମ ମନ୍ତ୍ରାଳୟ ଏକ ବୟାନରେ କହିଛନ୍ତି ଯେ ଏବେ ଇପିଏଫଓଙ୍କ ଅଂଶଧାରୀ ସଦସ୍ୟ ଭବିଷ୍ୟନିଧିରେ କର୍ମଚାରୀଙ୍କ ଯୋଗଦାନ ଓ ନିଯୁକ୍ତିଦାତାଙ୍କ ଅଂଶ ସହିତ ପାତ୍ର ଶେଷ ରାଶିର ୧୦୦% ପର୍ଯ୍ୟନ୍ତ ଉଠାଣ କରିପାରିବେ।

ଏହା ସହିତ ଆଂଶିକ ଉଠାଣ ନିମନ୍ତେ ଥିବା ୧୩ ଜଟିଳ ପ୍ରାବଧାନକୁ ମଧ୍ୟ ଶରଳ କରାଯାଇଛି ଓ ଏହାକୁ ୩ ଶ୍ରେଣୀରେ ସାମିଲ କରିଦିଆଯାଇଛି। ଏଥିରେ ଶିକ୍ଷା ଓ ବିବାହ ନିମନ୍ତେ ଉଠାଣ ସୀମା ୧୦ ଓ ୫ ଥର କରାଯାଇଛି। ବିଶେଷ ପରିସ୍ଥିତିରେ ଉଠାଣ ପାଇଁ ଏବେ ଆଉ କାରଣ ଦର୍ଶାଇବାକୁ ମଧ୍ୟ ପଡିବନି। ଏଣୁ ଆଗକୁ କୌଣସି କ୍ଲେମ ଆଉ ଅସ୍ୱୀକାର ହେବନି। ଏହା ଛଡା ସବୁ ଆଂଶିକ ଉଠାଣ ନିମନ୍ତେ ସେବା ଅବଧିକୁ ହ୍ରାସ କରି ୧୨ ମାସ କରିଦିଆଯାଇଛି। ଇପିଏଫଓ ଏହା ବି ନିର୍ଦ୍ଧାରିତ କରିଛନ୍ତି ଯେ ସଦସ୍ୟଙ୍କୁ ତାଙ୍କ ଅଂଶଦାନ ରାଶିର ୨୫% ସର୍ବଦା କାୟମ ରଖିବାକୁ ପଡିବ। ଏହା ଦ୍ୱାରା ସଦସ୍ୟ ଉଚ୍ଚ ବାର୍ଷିକ ସୁଧ ସହିତ ଚକ୍ରବୃଦ୍ଧି ଲାଭ ଦ୍ୱାରା ନିଜ ପାଇଁ ବଡ଼ ସେବା ନିବୃତ୍ତି କୋଷ ନିର୍ମାଣ କରିପାରିବେ।

ସେହିପରି ‘ବିଶ୍ୱାସ’ ଯୋଜନାରେ ଅର୍ଥଦଣ୍ଡ ହାରକୁ ମାସିକ ୧%ରେ ସୀମିତ କରିଦିଆଯାଇଛି। ଏହି ଯୋଜନା ୬ ମାସ ନିମନ୍ତେ ଲାଗୁ ହେବ ଓ ଆବଶ୍ୟକପଡିଲେ ଆଉ ୬ ମାସ ଲାଗି ଆଗକୁ ବଢା ଯାଇ ପାରିବ। ଏହା ଛଡା ସିବିଟି ଇଣ୍ଡିଆ ପୋଷ୍ଟ ପେମେଣ୍ଟସ୍ ବ୍ୟାଙ୍କ ସହିତ ଏମଓୟୁକୁ ମଧ୍ୟ ମଞ୍ଜୁରୀ ଦେଇଛି। ଏଣୁ କର୍ମଚାରୀ ପେନସନ ଯୋଜନା ୧୯୯୫ (ଇପିଏସ-୯୫)ରେ ପେନସନଧାରୀଙ୍କୁ ନିଜ ଘରେ ଡିଜିଟାଲ ଜୀବନ ପ୍ରାମାଣପତ୍ର (ଡିଏଲସି) ଜାରି କରାଯାଇ ପାରିବ। ପ୍ରତ୍ୟେକ ପ୍ରମାଣପତ୍ରର ଶୁଳ୍କ ମାତ୍ର ୫୦ ଟଙ୍କା ହେବ ଓ ଏହା ଇପିଏଫଓ ବହନ କରିବେ।