ନୂଆଦିଲ୍ଲୀ: ଭାରତୀୟ ନିର୍ବାଚନ କମିଶନ ଭିତରେ ଆଭ୍ୟନ୍ତରୀଣ ବିବାଦ ଖବର ସାମ୍ନାକୁ ଆସିବା ପରେ ଦୁଇଜଣ ପ୍ରମୁଖ ଅଧିକାରୀ ଆଇଟି ମୁଖ୍ୟ ସୀମା ଖାନ୍ନା ଏବଂ ବରିଷ୍ଠ ଉପ ନିର୍ବାଚନ କମିଶନର ମନୀଷ ଗର୍ଗଙ୍କ ଭୂମିକା ଚର୍ଚ୍ଚାକୁ ଆସିଛି । ମିଡିଆ ରିପୋର୍ଟ ଅନୁଯାୟୀ, ଦୁଇ ନିର୍ବାଚନ କମିଶନର ଏସ୍.ଏସ୍.ସନ୍ଧୁ ଏବଂ ବିବେକ ଯୋଶୀ ଅନେକ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତିରେ ତାଙ୍କ ସହ ପରାମର୍ଶ କରାଯାଉ ନଥିବା ନେଇ ବାରମ୍ବାର ଆପତ୍ତି ଉଠାଇଛନ୍ତି ବୋଲି ଦର୍ଶାଯାଇଛି । ଏହି ନିଷ୍ପତ୍ତିଗୁଡ଼ିକ ଚାଲୁରହିଥିବା ଭୋଟର ତାଲିକାର ଏସଆଇଆର୍ ଏବଂ ନିର୍ବାଚନ କମିଶନଙ୍କ ଡିଜିଟାଲ୍ ପ୍ଲାଟଫର୍ମ ECINetର କେନ୍ଦ୍ରୀକରଣ ସହ ଜଡ଼ିତ ଥିଲା ।

ଏହି ପ୍ରସଙ୍ଗରେ, ନିର୍ବାଚନ ସଂସ୍ଥାର ଦୁଇଜଣ ଗୁରୁତ୍ୱପୂର୍ଣ୍ଣ ଅଧିକାରୀଙ୍କ ଭୂମିକାକୁ ବିଶେଷ ଭାବେ ଦର୍ଶାଯାଇଛି । ସେମାନଙ୍କ କାର୍ଯ୍ୟଶୈଳୀ ଉପରେ ଦୁଇ ନିର୍ବାଚନ କମିଶନର ପ୍ରଶ୍ନ ଉଠାଇବା ସହ ନାପସନ୍ଦ କରିଥିଲେ ।

ସୀମା ଖାନ୍ନା ଏବଂ ECINet

ସୀମା ଖାନ୍ନା, ନିର୍ବାଚନ କମିଶନଙ୍କ ମହାନିର୍ଦ୍ଦେଶକ (ଆଇଟି) ଭାବେ କାର୍ଯ୍ୟରତ । ସୀମ ହେଉଛନ୍ତି ସେହି ବିଭାଗର ମୁଖ୍ୟ, ଯାହାଦ୍ୱାରା ଭୋଟର ପଞ୍ଜୀକରଣ ଅଧିକାରୀ (ERO), ଜିଲ୍ଲା ନିର୍ବାଚନ ଅଧିକାରୀ (DEO) ଏବଂ ମୁଖ୍ୟ ନିର୍ବାଚନ ଅଧିକାରୀ (CEO)ମାନଙ୍କୁ ଭୋଟର ପଞ୍ଜୀକରଣ ପାଇଁ ନିର୍ବାଚନ ସଂସ୍ଥାର ଆପ୍ ECINet ବ୍ୟବହାର କରିବାରୁ ବଞ୍ଚିତ କରାଯାଇଥିବା ଅଭିଯୋଗ ହୋଇଛି ।

୨୦୨୫ରେ ଡେପୁଟେସନରେ ନିର୍ବାଚନ କମିଶନରେ ଯୋଗଦେବା ପୂର୍ବରୁ ସୀମା ଭାରତ ସରକାରଙ୍କ ଆଇଟି ମନ୍ତ୍ରଣାଳୟ ଅଧୀନରେ ଥିବା ନ୍ୟାସନାଲ ଇନଫର୍ମାଟିକ୍ସ ସେଣ୍ଟର ସହ ଜଡ଼ିତ ଥିଲେ । ସେ ଆରୋଗ୍ୟ ସେତୁ (AarogyaSetu) ଆପ୍ ବିକଶିତ ଏବଂ କାର୍ଯ୍ୟକାରୀ କରିଥିବା ଟିମର ସଦସ୍ୟ ବି ଥିଲେ । କୋଭିଡ-୧୯ ମହାମାରୀ ସମୟରେ କଣ୍ଟାକ୍ଟ ଟ୍ରେସିଂ, ଲକ୍ଷଣ ଚିହ୍ନଟ ପାଇଁ ଏହି ଆପ୍ ବ୍ୟାପକ ଭାବରେ ବ୍ୟବହୃତ ହୋଇଥିଲା । ଏହା ବିଶ୍ୱସ୍ତରରେ ସବୁଠାରୁ ଦ୍ରୁତ ଗତିରେ ଡାଉନଲୋଡ୍ ହୋଇଥିବା ଆପ୍ ଥିଲା ।

ନିର୍ବାଚନ କମିଶନରେ ଡିଜି (ଆଇଟି) ଭାବରେ, ECINet ଆପ୍ ସହିତ ଜଡ଼ିତ ପ୍ରଯୁକ୍ତିବିଦ୍ୟା ଭିତ୍ତିଭୂମିର ବିକାଶରେ ଖାନ୍ନାଙ୍କ ବିଭାଗର ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିଛି । ଗଣମାଧ୍ୟମ ରିପୋର୍ଟ ଅନୁଯାୟୀ, ଏହି ବିବାଦର ମୁଖ୍ୟ କାରଣ ହେଉଛି, ECINetରେ ଭୋଟର ଡାଟାବେସର ପହଞ୍ଚ ନିର୍ବାଚନ କମିଶନଙ୍କ ଆଇଟି ବିଭାଗ ଅଧୀନରେ କେନ୍ଦ୍ରୀଭୂତ ହୋଇଯାଇଛି ।

ଗଣମାଧ୍ୟମ ରିପୋର୍ଟ ଅନୁଯାୟୀ, ସନ୍ଧୁ ଏବଂ ଯୋଶୀ ଦର୍ଶାଇଥିଲେ ଯେ ନିର୍ବାଚନ ପଞ୍ଜୀକରଣ ଅଧିକାରୀମାନଙ୍କ ନିର୍ବାଚନ କମିଶନଙ୍କ ଡିଜିଟାଲ ପ୍ଲାଟଫର୍ମ ERONet (ECINetର ପୂର୍ବ ବ୍ୟବସ୍ଥା) କୁ ବ୍ୟବହାର କରିବାର ସୁବିଧାକୁ ସୀମିତ କରାଯାଉଥିଲା । ସନ୍ଧୁ ଦୋହରାଇଥିଲେ ଯେ, ଏପରି କରିବାର ସୀମା ଖାନ୍ନାଙ୍କ ପାଖରେ କୌଣସି ଆଇନଗତ ଅଧିକାର ନାହିଁ ।

ମନୀଷ ଗର୍ଗଙ୍କ ଭୂମିକା

ଅନ୍ୟ ଯେଉଁ ଅଧିକାରୀଙ୍କ ଭୂମିକା ଉପରେ ଆପତ୍ତି ଉଠାଯାଉଛି, ସେ ହେଉଛନ୍ତି ବରିଷ୍ଠ ଉପ ନିର୍ବାଚନ କମିଶନର ମନୀଷ ଗର୍ଗ । ଗଣମାଧ୍ୟମ ରିପୋର୍ଟ ଅନୁଯାୟୀ, ଗର୍ଗ ନିର୍ବାଚନ ସଂସ୍ଥାରେ ପ୍ରଶାସନର ଅତିରିକ୍ତ ଦାୟିତ୍ୱ ପାଇବା ପରେ ଦୁଇ ନିର୍ବାଚନ କମିଶନରଙ୍କ ସହ ପରାମର୍ଶ ନକରି କାର୍ଯ୍ୟ ଆବଣ୍ଟନ ବଦଳାଇ ଥିଲେ । ଡିଜି (ଆଇଟି)ଙ୍କ ତତ୍ତ୍ୱାବଧାନରୁ ଆଉ ଜଣେ ସହଯୋଗୀ ଅଧିକାରୀଙ୍କୁ ହଟାଇ ଦେଇଥିବା ଅଭିଯୋଗରେ ବିବାଦର କେନ୍ଦ୍ରବିନ୍ଦୁ ପାଲଟିଛନ୍ତି ।

ଏହି ପଦକ୍ଷେପକୁ ସନ୍ଧୁ ଏବଂ ଯୋଶୀ ବିରୋଧ କରିଥିଲେ । ଏହି ପ୍ରସଙ୍ଗରେ ଉପଯୁକ୍ତ କାର୍ଯ୍ୟାନୁଷ୍ଠାନ ଦାବି କରି କ୍ୟାବିନେଟ୍ ସଚିବଙ୍କୁ ପୃଥକ ଭାବେ ଚିଠି ଲେଖିଥିଲେ । ଗର୍ଗ ହିମାଚଳ ପ୍ରଦେଶ କ୍ୟାଡରର ୧୯୯୬-ବ୍ୟାଚର ଜଣେ ଆଇଏଏସ୍ ଅଧିକାରୀ । ସେ ୨୦୨୪ ସେପ୍ଟେମ୍ବରରୁ ଭାରତୀୟ ନିର୍ବାଚନ କମିଶନରେ ଅବସ୍ଥାପିତ ଅଛନ୍ତି । ଏହି ବର୍ଷ ଜୁଲାଇ ମାସରେ ଯୁଗ୍ମ ସଚିବ ସ୍ତରରୁ ଅତିରିକ୍ତ ସଚିବ ସ୍ତରକୁ ତାଙ୍କର ପଦୋନ୍ନତି ହୋଇଥିଲା । ତାଙ୍କ କାର୍ଯ୍ୟକାଳକୁ ୧ ସେପ୍ଟେମ୍ବର ୨୦୨୭ ପର୍ଯ୍ୟନ୍ତ ବୃଦ୍ଧି କରାଯାଇଥିଲା । ସେ ବର୍ତ୍ତମାନ ସେପ୍ଟେମ୍ବର ୨୦୨୪ ରୁ ସେପ୍ଟେମ୍ବର ୨୦୨୮ ପର୍ଯ୍ୟନ୍ତ କେନ୍ଦ୍ରୀୟ ଡେପୁଟେସନରେ ନିର୍ବାଚନ କମିଶନରେ କାର୍ଯ୍ୟରତ ଅଛନ୍ତି ।