ନୂଆଦିଲ୍ଲୀ: ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ED) 1xBet ବେଟିଂ ଆପ୍ ମାମଲାରେ ବଲିଉଡ୍ ଅଭିନେତ୍ରୀ ଉର୍ବଶୀ ରାଉତେଲାଙ୍କୁ ସମନ କରିଛି। ସେ ସେପ୍ଟେମ୍ବର ୧୬ ରେ ଦିଲ୍ଲୀ ସ୍ଥିତ ଇଡି ମୁଖ୍ୟାଳୟରେ ହାଜର ହେବାକୁ ନିର୍ଦ୍ଦେଶ ଦିଆଯାଇଛି। ଏହା ପୂର୍ବରୁ ସମାନ ମାମଲାରେ ଟିଏମ୍‌ସି ସାଂସଦ ମିମି ଚକ୍ରବର୍ତ୍ତୀଙ୍କୁ ବି ଇଡି ସମନ କରିଥିଲା। ତାଙ୍କୁ ସେପ୍ଟେମ୍ବର ୧୫ ତାରିଖରେ ହାଜର ହେବାକୁ ନିର୍ଦ୍ଦେଶ ରହିଛି।

ଏହା ପୂର୍ବରୁ ଏକ ଅନଲାଇନ ବେଟିଂ ଆପ ମାମଲାରେ ପୂର୍ବତନ କ୍ରିକେଟର ସୁରେଶ ରାଇନା ଏବଂ ଶିଖର ଧାୱନଙ୍କ ସମେତ ଅନେକ ହାଇ-ପ୍ରୋଫାଇଲ୍ ବ୍ୟକ୍ତିଙ୍କୁ ପଚରାଉଚରା କରାଯାଇସାରିଛି। ଘଟଣାରେ ଇଡି ଶିଖର ଧାୱନଙ୍କୁ ୮ ଘଣ୍ଟା ଧରି ପଚରାଉଚରା କରିଥିଲା। ୩୯ ବର୍ଷୀୟ ପୂର୍ବତନ କ୍ରିକେଟର କିଛି ନିର୍ଦ୍ଦିଷ୍ଟ ବିଜ୍ଞାପନ ପାଇଁ ଆପ୍ ସହିତ ଜଡିତ ଥିବା ଜଣାପଡିଛି।

ନିକଟରେ ସଂସଦରେ ଏକ ବିଲ୍ ଆଣି ଅନ୍‌ଲାଇନ ଗେମିଂ ଆପ୍‌ଗୁଡ଼ିକୁ ବ୍ୟାନ୍ କରିଥିଲେ କେନ୍ଦ୍ର ସରକାର। ଏଥିରେ ଯୁବପିଢ଼ି ଫସି ରହୁଛନ୍ତି। ଅର୍ଥହାନୀ ସହିତ ଜୀବନ ଯାଉଛି ବୋଲି କେନ୍ଦ୍ର ସରକାର କହିଥିଲେ। ତେଣୁ ଅନ୍‌ଲାଇନ୍ ବେଟିଂ ଆପ୍‌ରେ ଯେଉଁ କେତେକ କ୍ରୀଡ଼ାବିତ ଓ ଅଭିନେତା ଅଭିନେତ୍ରୀ ବିଜ୍ଞାପନ କରୁଥିଲେ, କିମ୍ବା ସେମାନଙ୍କ ସହିତ କୌଣସି ପ୍ରକାର ଜଡ଼ିତ ଥିଲେ, ଇଡି ସେଗୁଡ଼ିକର ତଦନ୍ତ କରୁଛି। ଏହା ପୂର୍ବରୁ ମଧ୍ୟ ଏକାଧିକ କ୍ରିକେଟର ଓ ଅଭିନେତା ଅଭିନେତ୍ର ତଦନ୍ତ ପରିସରକୁ ଆସି ସାରିଛନ୍ତି।