ନୂଆଦିଲ୍ଲୀ ୧୦।୧: ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି) କୋଲକାତାରେ ଇଣ୍ଡିଆନ ପଲିଟିକାଲ ଆକ୍ସନ କମିଟି (ଆଇ-ପିଏସି) ଚଢଉ ଘଟଣାକ୍ରମକୁ ନେଇ ଶନିବାର ସୁପ୍ରିମକୋର୍ଟରେ ପହଞ୍ଚିଛି। ଇଡି ନିଜ ଆବେଦନରେ ସମ୍ପୂର୍ଣ୍ଣ ଘଟଣାକ୍ରମର ବିସ୍ତାର ପୂର୍ବକ ଉଲ୍ଲେଖ କରି ରାଜ୍ୟ ମେସିନାରୀ ନିରପେକ୍ଷ ଯାଞ୍ଚ ଏଜେନ୍ସୀ ଅଧିକାରକୁ ରୋକି ଥିବାର ଅଭିଯୋଗ ଆଣିଛି। ଏବେ ଏଜେନ୍ସୀ ସୁପ୍ରିମକୋର୍ଟରେ ଏହି ମାମଲାର ସିବିଆଇ ତଦନ୍ତ ଦାବି କରିଛି।

ମମତା ବାନାର୍ଜୀଙ୍କ ବିରୋଧରେ ଆଣିଲା ହସ୍ତକ୍ଷେପ ଅଭିଯୋଗ
ଇଡି ପିଟିସନରେ କହିଛି ଯେ ଆଇ-ପିଏସି ଚଢଉ କାଳରେ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ କଥିତ ହସ୍ତକ୍ଷେପ ଯାଞ୍ଚ ପ୍ରକ୍ରିୟାକୁ ବାଧିତ କରିଛି। ଏଣୁ ଇଡି ପ୍ରଥମେ ମାମଲାରେ କୋଲକାତା ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିବା ବେଳେ କୋର୍ଟରୁମରେ ଅବ୍ୟବସ୍ଥା ଓ ହଙ୍ଗାମା ଯୋଗୁ ଶୁଣାଣି ସମ୍ଭବ ହୋଇ ପାରି ନାହିଁ ବୋଲି ସୂଚିତ କରିଛି। ଏହି ମାମଲାର ଶୁଣାଣିକୁ ହାଇକୋର୍ଟ ଜାନୁୟାରୀ ୧୪ ତାରିଖକୁ ନିର୍ଦ୍ଧାରିତ କରିଥିବା ଇଡି କହିଛି।

ଜାଣନ୍ତୁ ପୁରା ମାମଲା କ’ଣ?
ଗତ ଦିନରେ ଇଡି ଆଇ-ପିଏସି ପରିସରରେ ମନିଲଣ୍ଡ୍ରିଂ ଓ ଅବୈଧ ଫଣ୍ଡିଂ ଅଭିଯୋଗରେ ଚଢଉ କରିଥିଲା। ତଦନ୍ତ କାଳରେ କଥିତ ରୂପେ ସ୍ଥାନୀୟ ପୋଲିସ ଓ ଟିଏମସି କାର୍ଯ୍ୟକର୍ତ୍ତାମାନେ ବାଧା ସୃଷ୍ଟି କରିଥିଲେ। ଏପରିକି ମୁଖ୍ୟମନ୍ତ୍ରୀ ଫୋନ କଲ ମାଧ୍ୟମରେ ଚଢଉ ରୋକିବାକୁ ଉଦ୍ୟମ କରିଥିବା, ଯାହା ଯାଞ୍ଚ ଏଜେନ୍ସୀର ଅଧିକାର କ୍ଷେତ୍ର ବାହାରେ ବୋଲି କୁହାଯାଇଛି। ସେହିପରି କୋଲକାତା ହାଇକୋର୍ଟରେ ଇଡି ଓକିଲଙ୍କୁ ବିରୋଧର ସାମ୍ନା କରିବାକୁ ପଡିଥିଲା। ଏଣୁ ଶୁଣାଣି ଅଟକି ଯାଇଥିବା ବେଳେ ଇଡି ମାମଲାରେ ସୁପ୍ରିମକୋର୍ଟଙ୍କୁ ତତ୍କାଳ ଶୁଣାଣି ନିମନ୍ତେ ନିବେଦନ କରିଛି।

ପଶ୍ଚିବଙ୍ଗ ସରକାର ଦାୟର କରିଛନ୍ତି କ୍ୟାଭିଏଟ
ତେବେ ଇଡି ସୁପ୍ରିମକୋର୍ଟ ପହଞ୍ଚିବା ପୂର୍ବରୁ ପଶ୍ଚିମବଙ୍ଗ ସରକାର ଶନିବାର ପୂର୍ବାହ୍ନରେ ସୁପ୍ରିମକୋର୍ଟରେ କ୍ୟାଭିଏଟ ଆବେଦନ ଦାୟର କରିଛନ୍ତି। ଏଥିରେ ଯଦି ମାମଲାରେ କୌଣସି ଆବେଦନ ଅଥବା ଅପିଲ ହୁଏ ତେବେ ଶୁଣାଣିରେ ରାଜ୍ୟ ସରକାରଙ୍କୁ ପକ୍ଷ ରଖିବାକୁ ଅନୁମତି ଦେବାକୁ ନିବେଦନ କରାଯାଇଛି। ଏକତରଫା ଭାବେ କୋର୍ଟ ମାମଲାରେ କୌଣସି ଶୁଣାଣି ଯେପରି ନ କରନ୍ତି ସେ ନେଇ କ୍ୟାଭିଏଟରେ ନିବେଦନ କରାଯାଇଛି।