କୋଲକାତା: ବିଧାନସଭା ନିର୍ବାଚନରେ ଶୋଚନୀୟ ପରାଜୟ ପରେ ତୃଣମୂଳ କଂଗ୍ରେସ (ଟିଏମସି) ସମସ୍ୟା ଏବେ ବଢିବା ଭଳି ଲାଗୁଛି। କାରଣ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି) ବୁଧବାର କୋଲକାତାରେ ପାର୍ଟିର ବରିଷ୍ଠ ନେତା ସୁଜିତ ବୋଷ ଓ ରାଥିନ ଘୋଷଙ୍କୁ ନଗର ପାଳିକା ନିଯୁକ୍ତି ଅନିୟମିତତା ଯାଞ୍ଚରେ ପଚରା ଉଚରା କରିବାକୁ ଯୋଜନା କରିଛି। ଘୋଷ ଓ ବୋସଙ୍କୁ ଇଡିଙ୍କ ଏହା ଦ୍ୱିତୀୟବାର ପଚରା ଉଚରା ହେବ। ମାମଲାର ତଦନ୍ତରେ ସହଯୋଗ କରିବାକୁ କୋର୍ଟ ସେମାନଙ୍କୁ ନିର୍ଦ୍ଦେଶ ଦେଇଥିଲେ।

ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ କାର୍ଯ୍ୟକାଳରେ ଅନେକ ଅନିୟମିତତାର ଅଭିଯୋଗ ହୋଇଛି। ହେଲେ ଏଥିରେ ନଗର ପାଳିକା ନିଯୁକ୍ତି ଦୁର୍ନୀତି ସ୍ୱତନ୍ତ୍ର, କାରଣ ଏଥିରେ ଧନର ବ୍ୟାପକ କାରବାର ହୋଇଥିଲା। ଇଡି ସୂତ୍ର ଅନୁସାରେ ଏହି ନେଣଦେଣ ନେଟୱାର୍କରେ ଡାଇମଣ୍ଡ ହାର୍ବରରୁ ସାଂସଦ ତଥା ମମତାଙ୍କ ପୁତୁରା ଅଭିଷେକ ବାନାର୍ଜୀ ମଧ୍ୟ ଅଛନ୍ତି। ଅଭିଷେକଙ୍କୁ ମମତାଙ୍କ ଉତ୍ତରାଧିକାରୀ ମନେ କରାଯାଉଥିଲା ଏଣୁ ଗତ ନିର୍ବାଚନରେ ତାଙ୍କୁ ଭାବି ମୁଖ୍ୟମନ୍ତ୍ରୀ ଭାବେ ଦେଖା ଯାଉଥିଲା। ଇଡି ଦ୍ୱାରା ଯାଞ୍ଚ କରାଯାଉଥିବା ଅନେକ ମନି ଲଣ୍ଡ୍ରିଂ ମାମଲା ଯେଉଁଥିରେ କୋଇଲା ସ୍ମଗଲିଂ ଘଟଣାରେ ରାଜନୈତିକ ପରାମର୍ଶ ଫାର୍ମ ଆଇ-ପିଏସି ମାମଲା ମଧ୍ୟ ରହିଛି, ଯାହାକୁ ଦିଲ୍ଲୀରୁ କୋଲକାତା ଅଣାଯିବା ଏବେ ନିଶ୍ଚିତ ଲାଗୁଛି।

କୋଲକାତାରେ ଇଡି ଅଧିକାରୀମାନଙ୍କୁ ଧମକାଇବା ଓ ବାରମ୍ବାର ସମନ ପଠାଯିବା ସତ୍ତ୍ୱେ ଅଭିଯୁକ୍ତ ଯାଞ୍ଚରେ ସହଯୋଗ ନ କରିବା ଯୋଗୁ ତଦନ୍ତ ଧିମେଇ ଯାଇଥିଲା। ଏଣୁ ଏବେ ଅନୁମାନ କରାଯାଉଛି ଇଡି ଅଭିଷେକ, ତାଙ୍କ ପତ୍ନୀ ଋଚିରା, ପୂର୍ବତନ ପୋଲିସ ମହାନିର୍ଦ୍ଦେଶକ ରାଜୀବ କୁମାର, ପୂର୍ବତନ କୋଲକାତା ପୋଲିସ କମିଶନର ମନୋଜ ବର୍ମା, ତତ୍କାଳୀନ ଡିସିପି ପ୍ରିୟବ୍ରତ ରାୟ ଓ ଆଇ-ପିଏସି ପ୍ରମୁଖ ପ୍ରତୀକ ଜୈନଙ୍କ ସମେତ ଅନ୍ୟମାନଙ୍କୁ ଏବେ ପୁଣି ପଚରା ଉଚରା ଆରମ୍ଭ ହୋଇପାରେ।

ପ୍ରତୀକ ଜୈନଙ୍କ ପରିସରରୁ ମମତା ବାନାର୍ଜୀ ଜାନୁୟାରୀ ୮ ତାରିଖ ଇଡି ଚଢଉ କାଳରେ ଇଡି ଜବତ କରିଥିବା ଫାଇଲ ଛଡେଇ ନେଇଥିଲେ। ଏହା ଛଡା ଋଚିରାଙ୍କ ଉପରେ କୋଇଲା ଦୁର୍ନୀତିରୁ ପ୍ରାପ୍ତ ୧୬୮ କୋଟି ଟଙ୍କା ମନିଲଣ୍ଡ୍ରିଂ ଅଭିଯୋଗ ରହିଛି। ଏବେବି ଏହି ମାମଲାର ତଦନ୍ତ ଜାରି ରହିଛି। ଏହା ପୂର୍ବରୁ ଇଡି ଦାବି କରିଥିଲା ଯେ ଏହି ରାଶିର କିଛି ଅଂଶ ହୱାଲା ଚ୍ୟାନେଲ ମାଧ୍ୟମରେ ବିଦେଶ ପଠାଯାଇଥିଲା। ଯାହା ଥାଇଲ୍ୟାଣ୍ଡ ଓ ଲଣ୍ଡନରେ ଥିବା ସେମାନଙ୍କ ବ୍ୟାଙ୍କ ଆକାଉଣ୍ଟରେ ଜମା ହୋଇଛି। ଏବେ ନିର୍ବାଚନରେ ମମତା ବାନାର୍ଜୀ ଓ ତାଙ୍କ ପାର୍ଟିର ଶୋଚନୀୟ ପରାଜୟ ହୋଇଛି। ଏଣୁ ମାମଲାର ଯାଞ୍ଚରେ ଉପୁଜୁଥିବା ବାଧା ଦୂର ହୋଇଯାଇଛି। ବେଙ୍ଗଲ ସରକାର ମାମଲାରେ ଏଫଆଇଆର ରୁଜୁ କରିବାକୁ ରାଜି ହେଉନଥିବାରୁ ଇଡିକୁ ମାମଲାର ପ୍ରାରମ୍ଭିକ ଯାଞ୍ଚ ପାଇଁ ଆଧାର ମିଳି ପାରୁ ନଥିଲା।

Also Read..ଖାଲି ମମତା ନୁହେଁ, ହାରିଗଲେ ଟିଏମସିର ୨୨ ମନ୍ତ୍ରୀ : ୫୪ ବର୍ଷ ପରେ ପ୍ରଥମ ଘଟଣା