ଭୁବନେଶ୍ବର ୧୬।୧୧: ଚଳିତ ପର୍ଯ୍ୟଟନ ଋତୁ ପାଇଁ ପର୍ଯ୍ୟଟନ ବିଭାଗ ପକ୍ଷରୁ ଆଜି ଠାରୁ ଇକୋ ରିଟ୍ରିଟ୍‌ର ଶୁଭାରମ୍ଭ ହୋଇଛି । ପ୍ରଥମ ପର୍ଯ୍ୟାୟରେ ହୀରାକୁଦ, ସାତକୋଶିଆ ଓ ଦାରିଙ୍ଗବାଡ଼ିରେ ଇକୋ ରିଟ୍ରିଟ୍‌ର ଶୁଭାରମ୍ଭ କରିଛନ୍ତି ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା । ଚଳିତ ବର୍ଷ ହୀରାକୁଦ, ସାତକୋଶିଆ, ଦାରିଙ୍ଗବାଡ଼ି ସମେତ ତଲମାଲି, କୋଲାବ, ସୋନାପୁର, କୁସୁମୀ ସହ କୋଣାର୍କ ଭଳି ୮ଟି ସ୍ଥାନରେ ଇକୋ ରିଟ୍ରିଟ୍ କରାଯିବାକୁ ଯୋଜନା କରିଛି ପର୍ଯ୍ୟଟନ ବିଭାଗ ।

ଓଡ଼ିଶା ସରକାରଙ୍କ ପର୍ଯ୍ୟଟନ ବିଭାଗ ପକ୍ଷରୁ ରାଜ୍ୟର ତିନୋଟି ପର୍ଯ୍ୟଟନସ୍ଥଳୀ ଯଥା ଦାରିଙ୍ଗବାଡ଼ି (କନ୍ଧମାଳ), ସାତକୋଶିଆ (କଟକ) ଓ ହୀରାକୁଦ (ସମ୍ବଲପୁର) ଠାରେ ଇକୋ ରିଟ୍ରିଟ୍ ୨୦୨୬–୨୭ର ଉଦ୍‌ଘାଟନ କରାଯାଇଛି । ଏହା ପ୍ରକୃତି, ବିଳାସପୂର୍ଣ୍ଣ ଆତିଥ୍ୟ ଓ ଅନୁଭୂତିମୂଳକ ପର୍ଯ୍ୟଟନର ଏକ ନିଆରା ସମନ୍ଵୟ । ଏଠାରେ ପର୍ଯ୍ୟଟକ ମାନଙ୍କୁ ପାରମ୍ପରିକ ହୋଟେଲ୍‌ ଓ ରିସର୍ଟ ଠାରୁ ଭିନ୍ନ ଭାବେ ପ୍ରାକୃତିକ ପରିବେଶ ମଧ୍ୟରେ ବିଳାସପୂର୍ଣ ଟେଣ୍ଟ୍‌ ଆବାସ ସହିତ ଦୁଃସାହସିକ କାର୍ଯ୍ୟକଳାପ, ସ୍ଥାନୀୟ ଖାଦ୍ୟ ଓ ଆଞ୍ଚଳିକ ସଂସ୍କୃତିର ଅନୁଭୂତି ମିଳିପାରିବ । ଭାଏବିଲିଟି ଗ୍ୟାପ୍ ଫଣ୍ଡିଂ (VGF) ମଡେଲ ଏହି ବ୍ୟବସ୍ଥାରେ ପର୍ଯ୍ୟଟନ ବିଭାଗ ଚୟନିତ ଇଭେଣ୍ଟ ମ୍ୟାନେଜମେଣ୍ଟ ଏଜେନ୍ସିମାନଙ୍କୁ ଇକୋ ରିଟ୍ରିଟ୍‌ର ପ୍ରତିଷ୍ଠା ଓ ପରିଚାଳନା ପାଇଁ କେବଳ ଆବଶ୍ୟକୀୟ ଭାଏବିଲିଟି ଗ୍ୟାପ୍ ସହାୟତା ପ୍ରଦାନ କରାଯାଇଛି ।

ଏହି ତିନୋଟି ସ୍ଥାନରେ ମୋଟ୍ ୧୨୫ଟି ବିଳାସପୂର୍ଣ୍ଣ ଟେଣ୍ଟର ସ୍ଥାପନ କରାଯାଇଛି । ଇଭେଣ୍ଟ ମ୍ୟାନେଜମେଣ୍ଟ ଏଜେନ୍ସିକୁ ଦାରିଙ୍ଗବାଡ଼ିରେ ୨୫ଟି ଟେଣ୍ଟକୁ ସର୍ବନିମ୍ନ ୧୫୦ଦିନ ପର୍ଯ୍ୟନ୍ତ, ହୀରାକୁଦରେ ୫୦ଟି ଟେଣ୍ଟକୁ ସର୍ବନିମ୍ନ ୧୨୦ଦିନ ପର୍ଯ୍ୟନ୍ତ ଏବଂ ସାତକୋଶିଆରେ ୫୦ଟି ଟେଣ୍ଟକୁ ସର୍ବନିମ୍ନ ୧୫୦ଦିନ ପର୍ଯ୍ୟନ୍ତ କାର୍ଯ୍ୟକ୍ଷମ ରହିବାକୁ ଚୁକ୍ତି ସ୍ବାକ୍ଷର କରାଯାଇଛି ।

Also Read:- ବିଧାୟକଙ୍କୁ ସଂସଦୀୟ ପରମ୍ପରା ଓ ଗୃହ ପରିଚାଳନାର ମନ୍ତ୍ର ଦେଲେ ଉପରାଷ୍ଟ୍ରପତି

ଇକୋ ରିଟ୍ରିଟ୍ ପ୍ରକୃତିଭିଭିକ ପର୍ଯ୍ୟଟନର ପ୍ରସାର, ସ୍ଥାନୀୟ ନିଯୁକ୍ତି ସୃଷ୍ଟି, ଉଦ୍ୟୋଗୀଙ୍କୁ ପ୍ରୋତ୍ସାହନ ଏବଂ ଓଡ଼ିଶାର ପର୍ଯ୍ୟଟନ ସମ୍ଭାବନାକୁ ଜାତୀୟ ଓ ଅନ୍ତର୍ଜାତୀୟ ସ୍ତରରେ ପରିଚିତ କରାଇବାରେ ସହାୟକ ହେବ ବୋଲି ଉପ ମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା କହିଛନ୍ତି ।

Watch Video: