ନୂଆଦିଲ୍ଲୀ: ସ୍ୱଚ୍ଛ ପରିବହନ ଦିଗରେ ଭାରତ ଏକ ବଡ଼ ପଦକ୍ଷେପ ଗ୍ରହଣ କରିଛି, ୧ ଏପ୍ରିଲ ୨୦୨୬ରୁ ସାରା ଦେଶରେ ଇ୨୦ ପେଟ୍ରୋଲ ବିକ୍ରି ଆରମ୍ଭ ହୋଇଛି। ନୂଆ ନିୟମ ଅନୁସାରେ ସାରା ଦେଶରେ ଥିବା ପେଟ୍ରୋଲ ପମ୍ପମାନଙ୍କରେ ଏଣିକି ୨୦% ଇଥନଲ ମିଶ୍ରିତ ଇନ୍ଧନ ମିଳିବା ଆରମ୍ଭ ହେବ। ପେଟ୍ରୋଲିୟମ ଓ ଗ୍ୟାସ୍ ମନ୍ତ୍ରାଳୟଙ୍କ ଦ୍ୱାରା ଜାରି ଏହି ନିର୍ଦ୍ଦେଶ ସବୁ ରାଜ୍ୟ ଓ କେନ୍ଦ୍ର ଶାସିତ ପ୍ରଦେଶରେ ଲାଗୁ ହେବ। ଏବେ ଆସନ୍ତୁ ଏହି ନିର୍ଦ୍ଦେଶ ସମ୍ପର୍କରେ ବିସ୍ତୃତ ଜାଣିବା।

ଇ୨୦ ଇନ୍ଧନ କ’ଣ, କିପରି ଚାଲିବ ଆପଣଙ୍କ ଗାଡି?
ଶରଳ ଶବ୍ଦରେ କହିଲେ ପେଟ୍ରୋଲ ସହିତ ୨୦ ପ୍ରତିଶତ ଇଥନଲ ମିଶାଇ ଏହି ଇନ୍ଧନ ପ୍ରସ୍ତୁତ କରାଯାଉଛି। ଇଥନଲ ଏକ ଜୈବ ଇନ୍ଧନ, ଯାହା ଆଖୁ ଓ ମକ୍କା ଭଳି ଫସଲରୁ ପ୍ରସ୍ତୁତ ହୁଏ। ଏହା ଶୁଦ୍ଧ ପେଟ୍ରୋଲ ତୁଳନାରେ ଅଧିକ ସ୍ୱଚ୍ଛ ଓ ଏହାର ଅକ୍ଟେନ ମାନ ମଧ୍ୟ ଅଧିକ ଥାଏ। ଭାରତରେ ସାଧାରଣ ପେଟ୍ରୋଲର ଅକ୍ଟେନ ମାନ ୯୧ରୁ ୯୨ ଆରଓଏନ ମଧ୍ୟରେ ରହୁଛି। ତେବେ ଇ୨୦ର ସର୍ବନିମ୍ନ ଅକ୍ଟେନ ମାନ ୯୫ଆରଓଏନ। ଏହି ଉଚ୍ଚ ଅକ୍ଟେନ ମାନ ଇନ୍ଧନର ସୂଚାରୁ ଦହନରେ ସହାୟକ ହୁଏ।

କାର ଉପରେ କିପରି ପଡିବ ପ୍ରଭାବ?
କାର ମାଲିକଙ୍କ ଲାଗି ଏହାର ପ୍ରଭାବ ବାହନ ଉପରେ ନିର୍ଭର କରେ। ଭାରତରେ ବିକ୍ରି ହେଉଥିବା ଅଧିକାଂଶ ନୂଆ କାର ବିଶେଷ କରି ଗତ କିଛି ବର୍ଷ ହେଲା ନିର୍ମିତ କାରକୁ ଇ୨୦ ଅନୁକୂଳ ଡିଜାଇନ କରାଯାଇଛି। ବାହନ ନିର୍ମାତା କମ୍ପାନୀ ଉଚ୍ଚ ଇଥନଲ ମିଶ୍ରଣ ସହ ସୁହାଇବା ଭଳି ଇଞ୍ଜିନ ଓ ଇନ୍ଧନ ପ୍ରଣାଳୀକୁ ଅପଡେଟ କରୁଛନ୍ତି, ଯାହା ଦ୍ୱାରା ପ୍ରଦର୍ଶନ ଓ ବିଶ୍ୱସନୀୟତା ଅପ୍ରଭାବିତ ରହେ।

ପୁରୁଣା ବାହନ କିପରି ଚାଲିବ?
ପୁରୁଣା ବାହନଙ୍କ ଲାଗି ସରକାର ଓ ନିର୍ମାତାମାନେ କହୁଛନ୍ତି ଯେ ଇ୨୦ ଉପଯୋଗ ହୋଇ ପାରିବ। ତେବେ କିଛି କ୍ଷେତ୍ରରେ ବାହନର ଇନ୍ଧନ ଦକ୍ଷତା ହ୍ରାସ ହୋଇପାରେ। ତେବେ ଉଚ୍ଚ ଅକ୍ଟେନ ରେଟିଂ ବିଶେଷ ପରିସ୍ଥିତିରେ ଇଞ୍ଜିନକୁ ସୂଚାରୁ ରୂପେ ଚଳାଇବାରେ ମଧ୍ୟ ସହାୟତା କରିବ।

ଏହି ପରିବର୍ତ୍ତନ ପଛର ଉଦ୍ଦେଶ୍ୟ କେବଳ ବାହନ ପର୍ଯ୍ୟନ୍ତ ସୀମିତ ନାହିଁ। ଏହାର ମୁଖ୍ୟ ଲକ୍ଷ୍ୟ ଅଶୋଧିତ ତୈଳ ଆମଦାନୀ ଉପରେ ଭାରତର ନିର୍ଭରତା ହ୍ରାସ କରିବା, ଯାହାକୁ ଦେଶ ପାଇଁ ଏବେବି ଏକ ବଡ଼ ଖର୍ଚ୍ଚ ଭାବେ ଦେଖା ଯାଉଛି। ଘରୋଇ ସ୍ତରେର ଉତ୍ପାଦିତ ଇଥନଲର ଉପଯୋଗ ବଢାଇ ସରକାର ବୈଦେଶିକ ମୁଦ୍ରା ସଞ୍ଚୟ କରିବା ସହିତ ସମୟ ଓ ଶକ୍ତି ସୁରକ୍ଷା ସୁଧାର କରିବାକୁ ଆଶା ରଖିଛନ୍ତି।

Also Read...
​​​​​​​ଆରମ୍ଭ ହେଲା ନୂଆ ଆର୍ଥିକ ବର୍ଷ, ବଦଳିଗଲା ଏହି ସବୁ ନିୟମ : ଜାଣନ୍ତୁ ୮ଟି ବଡ ପରିବର୍ତ୍ତନ ବିଷୟରେ...