କେନ୍ଦ୍ରାପଡ଼ା: ବିଭିନ୍ନ ଦାବି ନେଇ ନଭେମ୍ବର ୨୦ ଠାରୁ ରାଜ୍ୟବ୍ୟାପୀ ଆନ୍ଦୋଳନ ଚଳାଇଥିବା ଡାକ୍ତର ସଂଘ ଆସନ୍ତା ଜାନୁଆରୀ ମାସରେ ଚରମ ନିଷ୍ପତ୍ତି ନେବ ବୋଲି ଚେତାବନୀ ଦେଇଛି l ଆଜି ଡାକ୍ତର ସଂଘ ଓମସା ପକ୍ଷରୁ କେନ୍ଦ୍ରାପଡ଼ା ପୁରୁଣା ମେଡିକାଲ ପରିସରରେ ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ ଏ ସମ୍ପର୍କରେ ସୂଚନା ଦିଆଯାଇଛି l

ରାଜ୍ୟରେ ରୋଗୀସେବାକୁ ସହଜ ଓ ଲୋକାଭିମୁଖୀ କରିବା ପାଇଁ ଦୀର୍ଘଦିନ ଧରି ଡାକ୍ତର ସଂଘ ପକ୍ଷରୁ ସରକାରଙ୍କ ନିକଟରେ ୧୮ ଗୋଟି ଦାବି ରଖାଯାଇଅଛି l ଦାବି ସମ୍ପର୍କରେ ସରକାର ବାରମ୍ବାର ଆଲୋଚନା କରୁଥିଲେ ସୁଦ୍ଧା କୌଣସି ସୁଫଳ ମିଳୁନାହିଁ l ଏହାର ପ୍ରତିବାଦରେ ଗତ ନଭେମ୍ବର ୨୦ ଠାରୁ ରାଜ୍ୟବ୍ୟାପୀ ଡାକ୍ତର ମାନେ କଳା ବ୍ୟାଜ୍ ପିନ୍ଧି ଶାନ୍ତିପୂର୍ଣ୍ଣ ଆନ୍ଦୋଳନ ଚଳାଇଛନ୍ତି l କିନ୍ତୁ ଏବେ ପ୍ରତ୍ୟେକ୍ଷ ଆନ୍ଦୋଳନକୁ ଓହ୍ଲାଇବା ପାଇଁ ସଂଘ ନିଷ୍ପତ୍ତି ନେଇଛି l

ଖୁବ୍ ଶୀଘ୍ର କେନ୍ଦ୍ରୀୟ କାର୍ଯ୍ୟକାରିଣୀ ପରବର୍ତ୍ତୀ ନିଷ୍ପତି ନେବ ବୋଲି ସାମ୍ବାଦିକ ସମ୍ମିଳନୀରେ ସୂଚନା ଦିଆଯାଇଛିl ଆଗାମୀ ଜାନୁଆରୀରୁ ଡାକ୍ତର ମାନେ OPD ବନ୍ଦ କରିବା ସହିତ ସ୍ୱାସ୍ଥ୍ୟ ସମ୍ପର୍କିତ ଜାତୀୟ କାର୍ଯ୍ୟକ୍ରମ ଗୁଡିକ ବୟକଟ୍ କରିବେ ବୋଲି ଓମସା ରାଜ୍ୟ ସଭାପତି ଡାକ୍ତର୍ କିଶୋର ଚନ୍ଦ୍ର ମିଶ୍ର ସୂଚନା ଦେଇଛନ୍ତି l​​​​​​​

କଣ ରହିଛି ୧୮ ଦଫା ଦାବି

୧୮ ଦଫା ଦାବି ମଧ୍ୟରୁ କିଛି ମୁଖ୍ୟ ଦାବି ଗୁଡିକ ହେଉଛି, ଡିଏସପି , କ୍ୟାଡର ପୁନର୍ଗଠନ, କେବିକେ ଅଞ୍ଚଳରେ ଦୀର୍ଘ ୫ ବର୍ଷ ରହିଥିବା ଡାକ୍ତରଙ୍କୁ ସେମାନଙ୍କ ନିଜ ଅଞ୍ଚଳକୁ ଫେରାଇ ଆଣିବା ଇତ୍ୟାଦି । କାରଣ ରାଜ୍ୟ ସରକାରଙ୍କ ସର୍ତ୍ତ ଅନୁଯାୟୀ ଏହି ଡାକ୍ତରମାନେ କେବିକେ ଯାଇଥିଲେ । ଏହା ବ୍ୟତୀତ ଡାକ୍ତରଙ୍କ ପଦୋନ୍ନତି କରିବା ପାଇଁ ମଧ୍ୟ ଦାବି କରିଛି ସଂଘ ।

ଡାକ୍ତର କିଶୋର ଚନ୍ଦ୍ର ମିଶ୍ରଙ୍କ ମତରେ, ଡିଏସ୍‌ପି ଏକ ଗୁରୁତ୍ୱପୂର୍ଣ୍ଣ ଦାବି । ଏହାର ଅର୍ଥ ହେଉଛି, ଯେହେତୁ ଡାକ୍ତରମାନଙ୍କ ପାଇଁ ପଦୋନ୍ନତିର ବିଶେଷ ସୁଯୋଗ ନାହିଁ ତେଣୁ ସେମାନଙ୍କୁ ପଦୋନ୍ନତିର ଦରମା ଦିଆଯାଇଥାଏ । ହେଲେ ଓଡିଶାରେ ଏହା ଆଜିଯାଏ ଲାଗୁ ହୋଇ ନାହିଁ । ସଂଘ ଅଭିଯୋଗ କରିଛି ଯେ, ଅଧିକାଂଶ ରାଜ୍ୟରେ ଡିଏସ୍‌ପି ଲାଗୁ କରାଯାଇଛି । ଡାକ୍ତର ମିଶ୍ର ଆହୁରି ଅଭିଯୋଗ କରିଥିଲେ ଯେ, ୨୦୧୭ ପରଠାରୁ କ୍ୟାଡର ଗଠନ ହୋଇନାହିଁ। ରାଜ୍ୟରେ ୧୫,୭୭୪ ଡାକ୍ତର ପଦବୀ ରହିଥିବା ବେଳେ ସ୍ପେସିଆଲ ସେକ୍ରେଟାରୀ ମାତ୍ର ଅଛନ୍ତି ୧୪ ଜଣ । ଏହାକୁ ୩୦୦କୁ ବୃଦ୍ଧି କରିବାକୁ ଦାବି ରଖିଛନ୍ତି ସଂଘ ।