ଉମରକୋଟ: ଶବ ସତ୍କାରକୁ ନେଇ ବିବାଦ । ଫଳରେ ୩୦ ଘଣ୍ଟା ପରେ ବି ହୋଇପାରିନି ଅନ୍ତିମ ସଂସ୍କାର । ନବରଙ୍ଗପୁର ଜିଲ୍ଲା ରାଇଘର ଥାନା ଅନ୍ତର୍ଗତ ଅଡ଼ଣ୍ଡି ଗ୍ରାମରେ ଶବ ସତ୍କାରକୁ ନେଇ ପୁଣି ବିବାଦ ଦେଖାଦେଇଛି। ଧର୍ମ ପରିବର୍ତ୍ତନ କରିଥିବା ଜଣେ ବ୍ୟକ୍ତିଙ୍କ ମୃତଦେହ କେଉଁ ସ୍ଥାନରେ ସତ୍କାର କରାଯିବ ? ତାହାକୁ ନେଇ ମତଭେଦ ଯୋଗୁ ପ୍ରାୟ ୩୦ ଘଣ୍ଟା ଧରି ମୃତଦେହ ଘରେ ପଡ଼ିରହିଛି।

ସୂଚନା ଅନୁଯାୟୀ, ଅସୁସ୍ଥତା କାରଣରୁ ସୋମବାର ଅଡ଼ଣ୍ଡି ଗ୍ରାମର ଗାଗରୀ ଗଣ୍ଡଙ୍କର ଅପରାହ୍ଣ ପ୍ରାୟ ୩ଟା ବେଳେ ମୃତ୍ୟୁ ହୋଇଥିଲା। କିନ୍ତୁ ଅନ୍ତିମ ସଂସ୍କାର ପାଇଁ ମୃତଦେହ ନିଆଯିବା ସମୟରେ ଗ୍ରାମରେ ବିବାଦ ଉପୁଜିଥିବା ଜଣାପଡ଼ିଛି। ଗ୍ରାମବାସୀଙ୍କ ଏକ ପକ୍ଷର ଦାବି, ଯେଉଁମାନେ ଅନ୍ୟ ଧର୍ମ ଗ୍ରହଣ କରିଛନ୍ତି ଯେ, ସେମାନେ ନିଜ ଧର୍ମର ଶ୍ମଶାନରେ ମୃତଦେହ ସତ୍କାର କରନ୍ତୁ । ଗ୍ରାମର ପାରମ୍ପରିକ ଶ୍ମଶାନରେ ଅନ୍ୟ ଧର୍ମାବଲମ୍ବୀଙ୍କ ଶବ ସତ୍କାରକୁ ସେମାନେ ବିରୋଧ କରୁଥିବା କହିଛନ୍ତି।

Also Read: ଭୟଙ୍କର ଦୁର୍ଘଟଣା, ଦ୍ରୁତଗତି ଲାଗି ହିଁ ଚାଲିଗଲା ଜୀବନ !

ସେପଟେ ଏହି ଅଞ୍ଚଳରେ ଏଭଳି ଶବ ସତ୍କାରକୁ ନେଇ ପୂର୍ବରୁ ମଧ୍ୟ ଏକାଧିକ ଥର ବିବାଦ ହୋଇଥିବା ସ୍ଥାନୀୟ ଲୋକେ କହିଛନ୍ତି। ଘଟଣାସ୍ଥଳରେ ଉମରକୋଟ ଥାନା ଆଇଆଇସି ଯୁଗଳ ଶବର, ପାପଡ଼ାହାଣ୍ଡି ଏସ୍ଡିପିଓ ସୁରଜିତ କାଣ୍ଡେଲ ଓ ରାଇଘର ଅତିରିକ୍ତ ତହସିଲଦାର ଶିବାନୀ ନାୟକ ପହଞ୍ଚି ଉଭୟ ପକ୍ଷଙ୍କ ସହ ଆଲୋଚନା କରି ବୁଝାସୁଝା ଜାରି ରଖିଛନ୍ତି। ରାତି ସୁଦ୍ଧା ବିବାଦର ସମାଧାନ ହୋଇନାହିଁ ଏବଂ ଉତ୍ତେଜନା ଲାଗି ରହିଛି, ତେଣୁ ଅନ୍ତିମ ସଂସ୍କାରକୁ ନେଇ ଅନିଶ୍ଚିତତା ଲାଗିରହିଛି। ଶାନ୍ତିପୂର୍ଣ୍ଣ ସମାଧାନ ସହ ମୃତଦେହର ସମ୍ମାନଜନକ ସତ୍କାର ପାଇଁ ପ୍ରଶାସନ କି ପଦକ୍ଷେପ ନେଉଛି, ତାହା ଉପରେ ନଜର ରହିଛି।