ବେଙ୍ଗାଲୁରୁ: କର୍ଣ୍ଣାଟକ ସରକାର ବେଙ୍ଗାଲୁରୁର ଦେଭନାଗୋନ୍ଥୀସ୍ଥିତ ଇଣ୍ଡିଆନ ଅଏଲ କର୍ପୋରେସନ ଲିମିଟେଡ (ଆଇଓସିଏଲ) ଟର୍ମିନାଲରେ ଇଥାନଲ ଓ ମୋଟର ଗ୍ୟାସୋଲିନ (ପେଟ୍ରୋଲ) ମାପରେ ଗଡ଼ବଡ଼ି ଧରାପଡିଛି। ତଦନ୍ତରୁ ଇଥାନଲ ଯୋଗାଣ ନିର୍ଦ୍ଧାରିତ ସୀମାରୁ ଅଧିକ ଥିବା ବେଳେ ପେଟ୍ରୋଲ ସୀମା କମ୍ ଥିଲା। ଖାଦ୍ୟ, ବେସାମରିକ ଯୋଗାଣ ଓ ଉପଭୋକ୍ତା ବ୍ୟାପାର ମନ୍ତ୍ରୀ ରିଜୱାନ ଅର୍ସଦ ଶୁକ୍ରବାର କହିଛନ୍ତି ଯେ ରାଜ୍ୟ ସରକାର ପେଟ୍ରୋଲରେ ଧାର୍ଯ ୨୦% ସୀମାରୁ ଅଧିକ ଇଥାନଲ ମିଳିବା ଯୋଗୁ ଲିଗାଲ ମେଟ୍ରୋଲଜି ବିଭାଗ ଟର୍ମିନାଲର ଯାଞ୍ଚ ଆରମ୍ଭ କରିଛି।

ମନ୍ତ୍ରୀ କହିଛନ୍ତି ଯେ କର୍ଣ୍ଣାଟକ ସରକାରଙ୍କ ଦ୍ୱାରା ଦେଭନାଗୋନ୍ଥୀସ୍ଥିତ ଆଇଓସିଏଲ ଟର୍ମିନାଲରେ ଯେତେବେଳେ ମାସ୍ ଫ୍ଲୋ ମିଟରର ଯାଞ୍ଚ ଏକ ପ୍ରମାଣିତ ପ୍ରୁଭିଂ ମେଜରରେ କରାଗଲା ଜଣାପଡିଲା ଯେ ପ୍ରତି ୩ ହଜାର ଲିଟର ପେଟ୍ରୋଲରେ ୧୪ ଲିଟର ଇଥାନଲ ଅଧିକ ଦିଆଯାଉଥିଲା। ଏଥିରେ ପେଟ୍ରୋଲର ମାତ୍ରା ୪ରୁ ୬ ଲିଟର କମାଇ ଦିଆଯାଉଥିଲା। ଏହି ଉଭୟ ମାମଲା ନିର୍ଦ୍ଧାରିତ ସୀମାଠାରୁ ଅଧିକ ଥିଲା। ଲିଗାଲ ମେଟ୍ରୋଲଜି ଆକ୍ଟ ୨୦୦୯ ଅନୁସାରେ ଟର୍ମିନାଲକୁ ଏକ କାରଣ ଦର୍ଶାଅ ନୋଟିସ୍ ଜାରି ହୋଇଛି।

ନୋଟିସ୍ ଅନୁସାରେ ନଭେମ୍ବର ୨୫ ତାରିଖରେ ଟର୍ମିନାଲର ନିରୀକ୍ଷଣ କରାଯାଇଥିଲା। ଏହି ସମୟରେ ଏକ ପ୍ରମାଣିତ ମାଷ୍ଟର ପ୍ରୁଭିଂ ମେଜର ଉପଯୋଗ କରି ମାସ ଫ୍ଲୋ ମିଟରର ଯାଞ୍ଚ କରାଯାଇଥିଲା। ଏଥିରୁ ବ୍ୟାଚ୍ କଣ୍ଟ୍ରୋଲ ୟୁନିଟି ସିରିଏଲ ନମ୍ବର ୧୯୦୬୧୦୫୬ ଓ ବେ ନମ୍ବର ୯ରେ ଇଥାନଲ ମାସ ଫ୍ଲୋ ମିଟର ପ୍ରତି ୩ ହଜାର ଲିଟର ମାପ ଉପରେ ୧୪ ଲିଟର ଇଥାନଲ ଅଧିକ ମିଳିଥିଲା। ସେହିପରି ଅନ୍ୟ ଏକ ମାସ୍ ଫ୍ଲୋ ମିଟରରୁ ପ୍ରତି ୩ ହଜାର ଲିଟରରେ ୩ ଲିଟର ଅଧିକ ଇଥାନଲ ଯୋଗାଣ ରେକର୍ଡ କରାଯାଇଥିବା କୁହାଯାଇଛି।

ନୋଟିସ୍ ରେ କୁହାଯାଇଛି ଏହି ବିସଙ୍ଗତି ଲିଗାଲ ମେଟ୍ରୋଲଜି ଆକ୍ଟ ଓ ଲାଗୁ ନିୟମ ଅନୁସାରେ ନିର୍ଦ୍ଧାରିତ ସ୍ୱୀକାର୍ଯ୍ୟ ସୀମାରୁ ଅଧିକ। ଏଥିରୁ ଉପଭୋକ୍ତା, ଡିଲର ଓ ଅନ୍ୟ ହିତାଧିକାରୀଙ୍କ ଉପରେ ପ୍ରଭାବ ପଡିପାରେ। ଆଇଓସିଏଲ ଟର୍ମିନାଲ ପ୍ରବନ୍ଧନକୁ ବିସଙ୍ଗତି କାରଣ ସମ୍ପର୍କରେ ସ୍ପଷ୍ଟିକରଣ ମଗା ଯାଇଛି। ଏହା ସହିତ ମାସ ଫ୍ଲୋ ମିଟର ଓ ସମ୍ପର୍କିତ ବ୍ୟାଚ୍ କଣ୍ଟ୍ରୋଲ ୟୁନିଟିର ମାପ ସତ୍ୟାପନ ଓ ରକ୍ଷଣାବେକ୍ଷଣ ରେକର୍ଡର ବିବରଣୀ ଦେବାକୁ କୁହାଯାଇଛି। ଏହା ଛଡା ଆଇନଗତ ଆବଶ୍ୟକତା ପୂରଣ କରିବା ଲାଗି ନିଆଯିବାକୁ ଥିବା ସଂଶୋଧନାତ୍ମକ ପଦକ୍ଷେପର ବିବରଣୀ ଦେବାକୁ ମଧ୍ୟ କୁହାଯାଇଛି।