ଦିଲୀପ ଓ ସାଇରା ବାନୁ ୯୦ ଦଶକରେ ହିନ୍ଦୀ ଚଳଚିତ୍ର ଜଗତର ରୋମାଣ୍ଟିକ ଯୋଡି l ଏହି ଦୁଇ ଯୋଡି କେବଳ ସିନେମା ପରଦାର ସଫଳ ଯୋଡି ନଥିଲେ ,ବ୍ୟକ୍ତି ଗତ ଜୀବନରେ ଦୁହେଁ ଦୁହିଁଙ୍କୁ ଖୁବ ଭଲପାଉଥିଲେ l ଦିଲୀପ କୁମାର ଓ ସାଇରା ବାନୁଙ୍କ ପ୍ରେମ କାହାଣୀ ଭାରତୀୟ ସିନେମା ଜଗତର ଏକ ଚର୍ଚିତ ପ୍ରେମ କାହାଣୀ l ସାମାଜିକ ଶୃଙ୍ଖଳା ଓ ବୟସର ତାରତମ୍ୟକୁ ଭାଙ୍ଗି ଏହି ଦୁଇ ଯୋଡି ପ୍ରେମର ଏକ ନୂଆ ଉଦାହରଣ ସୃଷ୍ଟି କରିଛନ୍ତି l ୧୨ ବର୍ଷ ବୟସରେ ସାଇରା ବାନୁ ଦିଲୀପଙ୍କୁ ନେଇ ସ୍ବପ୍ନ ଦେଖିଥିଲେ l ସେହି ସମୟରେ ଦିଲୀପ କୁମାରଙ୍କୁ କୌଣସି କିଶୋରୀ ସ୍ବପ୍ନ ଦେଖିବା ଏକ ଚମତ୍କାର ନୁହେଁ l ନିଜ ଅଭିନୟ ବଳରେ ସେ ଅନେକ କିଶୋରୀଙ୍କ ସ୍ୱପ୍ନର ରାଜକୁମର ଥିଲେ l କିନ୍ତୁ କାହା ସ୍ବପ୍ନ ଯେ ସତ ହୋଇଯିବ ଏକଥା ଭାବନାର ବାହାରେ l କାହା ସ୍ବପ୍ନ ସତ ହେଉକି ନହେଉ ସାଇରା ବାନୁଙ୍କ ସ୍ବପ୍ନ କିନ୍ତୁ ସତ ହୋଇଥିଲା l ସେ ସତକୁ ସତ ନିଜ ସ୍ୱପ୍ନର ମଣିଷକୁ ଜୀବନ ସାଥି ରୂପରେ ପାଇଲେ l କିନ୍ତୁ ଏହି ପ୍ରେମ କାହାଣୀ ଅନେକ ବାଧା ବନ୍ଧନ ଦେଇ ଗତି କରିଥିଲା !

ଏକ ସମୟ ଥିଲା ଯେତେବେଳେ ବିଶ୍ୱାସ କରାଯାଉଥିଲା ଯେ, ଜଣେ ଅଭିନେତ୍ରୀଙ୍କ ବିବାହ ଅର୍ଥ ହେଉଛି ଚଳଚ୍ଚିତ୍ର ଜଗତରୁ ତାଙ୍କର ଅବସର। ଏହାକୁ ସେହି ସମୟର ସାମାଜିକ ପ୍ରଥା ବୋଲି କୁହାଯାଇପାରେ, କିମ୍ବା ଯଦି ସ୍ପଷ୍ଟ ଭାବେ କୁହାଯାଏ, ତେବେ ଏହାକୁ ଆମ ପ୍ରାଚୀନ ସମାଜର ରକ୍ଷଣଶୀଳ ମନୋଭାବ ବୋଲି ମଧ୍ୟ କୁହାଯାଇପାରେ। ଏହି ପରିପ୍ରେକ୍ଷୀରେ ହିନ୍ଦୀ ସିନେମା ଅଭିନେତ୍ରୀ ସାଇରା ବାନୁଙ୍କ କଥା ବିଚାର କଲେ ଏକ କୌତୁହଳପୂର୍ଣ୍ଣ ଦିଗ ସାମ୍ନାକୁ ଆସେ l କେବଳ ଏଥିପାଇଁ ନୁହେଁ ଯେ ସେ ସାମାଜିକ ପ୍ରଥାକୁ ଭାଙ୍ଗି ଏକ ଦୀର୍ଘ ଓ ସଫଳ କ୍ୟାରିୟର ଗଢ଼ିଥିଲେ I ସବୁ ଠାରୁ ବଡ କଥା ହେଉଛି ସେ ହିନ୍ଦୀ ସିନେମାର ମହାନାୟକ 'ଦିଲୀପ କୁମାରଙ୍କ ପତ୍ନୀ' ଭାବେ ନିଜ ପରିଚୟକୁ ଆପଣାଇ ନେଇଥିଲେ ଏବଂ ନିଜ ସ୍ୱାମୀଙ୍କ ସହ ଥିବା ସମ୍ପର୍କକୁ ନେଇ ବେଶ୍ ଗର୍ବିତ ଥିଲେ। ସାଇରା ନିଜ ଜୀବନକୁ ଦିଲୀପ କୁମାରଙ୍କ ସହଚରୀ ଭାବେ ଉତ୍ସର୍ଗ କରିଥିଲେ ଏବଂ ତାଙ୍କୁ ସମର୍ଥନ କରିବାରେ କୌଣସି ତ୍ରୁଟି ରଖିନଥିଲେ ତାହା ସୁସ୍ଥ ଅବସ୍ଥା ହେଉ ବା ଅସୁସ୍ଥତା l କିମ୍ବା ସେହି ସମୟ ଯେତେବେଳେ ଦିଲୀପ କୁମାର ତାଙ୍କ ଅଜାଣତରେ ଅନ୍ୟ ଜଣଙ୍କୁ ବିବାହ କରିନେଇଥିଲେ। ସବୁ ସମୟରେ ସେ ଦିଲୀପଙ୍କୁ ହୃଦୟରୁ ସ୍ୱୀକାର କରିଥିଲେ l

ସାଇରା ୧୯୬୧ ମସିହାରେ ସୁପରହିଟ୍ ଚଳଚ୍ଚିତ୍ର 'ଜଙ୍ଗଲୀ' ଜରିଆରେ ଚଳଚ୍ଚିତ୍ର ଜଗତରେ ପଦାର୍ପଣ କରିଥିଲେ। ପ୍ରସିଦ୍ଧ ଚଳଚ୍ଚିତ୍ର ଅଭିନେତ୍ରୀ ନସିମ୍ ବାନୁଙ୍କ ଝିଅ ହୋଇଥିଲେ ମଧ୍ୟ, ଚଳଚ୍ଚିତ୍ର ତାରକା ହେବା ତାଙ୍କର ପିଲାଦିନର ସ୍ୱପ୍ନ ନଥିଲା। କିଶୋର ଅବସ୍ଥାରେ ସେ ସୁପରଷ୍ଟାର ଦିଲୀପ କୁମାରଙ୍କୁ ବିବାହ କରିବାର ସ୍ୱପ୍ନ ଦେଖିଥିଲେ l ଯିଏ ତାଙ୍କଠାରୁ ବୟସରେ ୨୨ ବର୍ଷ ବଡ଼ ଥିଲେ। ଏହା ଏକ ଯୁବତୀ ବାଳିକାର ବାଲ୍ୟ ଚପଳାମୀ ଥିଲା, ଯିଏ ସେତେବେଳେ ବାହ୍ୟ ଦୁନିଆ ସମ୍ପର୍କରେ ବିଶେଷ ଅଭିଜ୍ଞତା ଲାଭ କରିନଥିଲା। ମାତ୍ର ୧୨ ବର୍ଷ ବୟସରେ 'ମୁଘଲ୍-ଏ-ଆଜମ୍' ଚଳଚ୍ଚିତ୍ରର ସେଟ୍ରେ ଦିଲୀପ କୁମାରଙ୍କୁ ଭେଟିବା ପରେ ମଧ୍ୟ ସେହି ସ୍ୱପ୍ନ ଅତୁଟ ରହିଥିଲା ଏବଂ ସେ ପ୍ରକୃତରେ ବିଶ୍ୱାସ କରୁଥିଲେ ଯେ ସେ ତାଙ୍କ ପ୍ରେମରେ ପଡ଼ିଯାଇଛନ୍ତି। ସୁଭାଷ କେ. ଝା ଙ୍କୁ ଦେଇଥିବା ଏକ ସାକ୍ଷାତକାରରେ ସାଇରା କହିଥିଲେ, "କିଶୋରୀ ଅବସ୍ଥାରେ ହିଁ ମୁଁ ତାଙ୍କର ପତ୍ନୀ ହେବାକୁ ଚାହୁଁଥିଲି।"

ସବୁଠାରୁ ଆଶ୍ଚର୍ଯ୍ୟର କଥା ଯେ, ଏକ ଦଶନ୍ଧି ପରେ ସେ ପ୍ରକୃତରେ ତାଙ୍କୁ ବିବାହ କଲେ। ନିଜଠାରୁ ୨୨ ବର୍ଷ ସାନ ଜଣେ ଯୁବତୀଙ୍କୁ ସେ କାହିଁକି ବିବାହ କଲେ, ତାହା ଏକ ଭିନ୍ନ ଆଲୋଚନାର ବିଷୟ l କିନ୍ତୁ ସାଇରାଙ୍କର ଗୋଟିଏ ଲକ୍ଷ୍ୟ ଥିଲା ,ସେ ଦିଲୀପଙ୍କୁ ବିବାହ କରିବେ । ସେ ଜଣେ ପରିପକ୍ୱ ବ୍ୟକ୍ତି ଥିଲେ ଯିଏ ପୂର୍ବରୁ କିଛି ପ୍ରେମ ସମ୍ପର୍କ ଦେଇ ଗତି କରିଥିଲେ, ଖ୍ୟାତି ଓ ସଫଳତାର ସ୍ୱାଦ ଚାଖିଥିଲେ I ଅର୍ଥ ବଳରେ ମିଳୁଥିବା ସମସ୍ତ ବିଳାସପୂର୍ଣ୍ଣ ଜୀବନଶୈଳୀର ଅନୁଭବ ନେଇସାରିଥିଲେ I ଅନ୍ୟପକ୍ଷରେ ସାଇରା ଥିଲେ ସ୍ୱପ୍ନଭରା ଆଖି ଥିବା ଜଣେ ଯୁବତୀ, ଯିଏ କେବେବି ସେହି ପ୍ରଥମ ସାକ୍ଷାତକୁ ଭୁଲି ପାରିନଥିଲେ I

ତାଙ୍କ ପ୍ରତି ସେ ଏତେ ମୁଗ୍ଧ ଥିଲେ ଯେ ବିବାହର ବହୁ ବର୍ଷ ପରେ ମଧ୍ୟ ସେ ନିଜକୁ ଓ ତାଙ୍କୁ ଜର୍ଜ ବର୍ନାର୍ଡ ସ'ଙ୍କ 'ପିଗ୍ମାଲିଅନ୍' ନାଟକର ଚରିତ୍ର ଭାବରେ ଦେଖୁଥିଲେ। ସେଥିରେ ନାୟକ ଥିଲେ ପ୍ରଫେସର , ଯିଏ ତାଙ୍କୁ ଗଢ଼ି ତୋଳି ପାରିଥାନ୍ତେ ଏବଂ ନାୟିକା ଥିଲେ ଏଲିଜା ଡୁଲିଟଲ୍, ଯିଏ ଏହି ପରିବର୍ତ୍ତନ ଦେଇ ଗତି କରିପାରିଥାନ୍ତେ। ସେ ୨୦୨୪ ମସିହାରେ 'ଫିଲ୍ମଫେୟାର' ଆୱାର୍ଡ ସମୟରେ କହିଥିଲେ, "ମୁଁ ସର୍ବଦା ଦିଲୀପ ସାହେବଙ୍କ ସହ ଏହି ନାଟକ କରିବାକୁ ଚାହୁଁଥିଲି ଏବଂ ଚାହୁଁଥିଲି ଯେ ଏହା ତାଙ୍କ ସହ ମୋର ପ୍ରଥମ ଚଳଚ୍ଚିତ୍ର ହେଉ। ତାଙ୍କର 'ପ୍ରଫେସର ହେନେରୀ ହିଗିନ୍ସ' ଚରିତ୍ର ବିପକ୍ଷରେ 'ଏଲିଜା ଡୁଲିଟଲ୍' ଭୂମିକାରେ ଅଭିନୟ କରିବାକୁ ମୁଁ ବହୁତ ପସନ୍ଦ କରିଥାନ୍ତି।" ସେମାନେ ଏକାଠି ଅଭିନୟ କରିଥିବା ପ୍ରଥମ ଚଳଚ୍ଚିତ୍ରଟି ଥିଲା ୧୯୭୦ ମସିହାର ଚଳଚ୍ଚିତ୍ର 'ଗୋପୀ'।

ସାଇରା ବାନୁ ୨୨ ବର୍ଷ ବୟସରେ ୪୪ ବର୍ଷୀୟ ଦିଲ୍ଳୀପଙ୍କୁ ବିବାହ କରିଥିଲେ l ଏଥି ପାଇଁ ତାଙ୍କୁ ଅନେକ କିଛି ତ୍ୟାଗ କରିବାକୁ ପଡିଥିଲା l ଦାମ୍ପତ୍ୟ ଜୀବନରେ ଆଉ ଏକ ବଡ଼ ଦୁଃଖର ସମ୍ମୁଖୀନ ହୋଇଥିଲେ ଦିଲୀପ ଓ ସାୟରା। ସାୟରାଙ୍କ ଗର୍ଭାବସ୍ଥାର ଅଷ୍ଟମ ମାସରେ ,ସେମାନେ ସନ୍ତାନ ହରାଇଥିଲେ। ପରେ ସନ୍ତାନ ନଥିବା ନେଇ ପଚରାଯିବାରେ ସାଇରା କହିଥିଲେ ଯେ, ଏଥିପାଇଁ ତାଙ୍କର ଅଭାବବୋଧ ନାହିଁ। ତାଙ୍କ ମତରେ, ଦିଲୀପ କୁମାର ନିଜେ ଜଣେ ଶିଶୁ ଭଳି ଥିଲେ। ୧୯୮୨ ମସିହାରେ ଦିଲୀପ କୁମାର ଆସ୍ମା ରେହମାନ ନାମକ ଜଣେ ମହିଳାଙ୍କୁ ଦ୍ୱିତୀୟ ବିବାହ କରିଥିଲେ। ଏହି ବିବାହ ସାଇରାଙ୍କ ପାଇଁ ଏକ ବଡ଼ ଝଟକା ଥିଲା। ପରବର୍ତ୍ତୀ ସମୟରେ ଦିଲୀପ କୁମାର ନିଜେ ଏହି ବିବାହକୁ ଏକ ‘ଗୁରୁତର ଭୁଲ’ ବୋଲି ସ୍ୱୀକାର କରିଥିଲେ। ସାୟରାଙ୍କୁ ଯନ୍ତ୍ରଣା ଦେଇଥିବାରୁ ସେ ଅନୁତପ୍ତ ଥିବା ମଧ୍ୟ କହିଥିଲେ।ତଥାପି ଏହି ଘଟଣା ପରେ ମଧ୍ୟ ସାୟରା ଦିଲୀପ କୁମାରଙ୍କ ସହ ରହିଥିଲେ। ତାଙ୍କ ଦାମ୍ପତ୍ୟ ଜୀବନ ଆଗକୁ ବଢ଼ିଥିଲା।

ଦିଲୀପ କୁମାରଙ୍କ ଜୀବନର ଶେଷ ପର୍ଯ୍ୟାୟରେ ମଧ୍ୟ ସାଇରା ତାଙ୍କ ପାଖରେ ରହିଥିଲେ। ୨୦୨୧ରେ ଦିଲୀପ କୁମାରଙ୍କ ଦେହାନ୍ତ ହୋଇଥିଲା। ଏହାର କିଛି ସମୟ ପରେ ତାଙ୍କ ଦାମ୍ପତ୍ୟ ଜୀବନ ସମ୍ପର୍କରେ କଥା ହେବାବେଳେ ସାଇରା କହିଥିଲେ ଦିଲୀପ କୁମାରଙ୍କ ଯତ୍ନ ନେବା ତାଙ୍କ ପାଇଁ କୌଣସି ବାଧ୍ୟତା ନଥିଲା। “ମୁଁ ଦିଲୀପ ସାହେବଙ୍କ ଯତ୍ନ ଭଲପାଇବାରୁ ନିଏ, କୌଣସି ବାଧ୍ୟତାରୁ ନୁହେଁ।”

ଦିଲୀପ କୁମାର ଓ ସାୟରା ବାନୁଙ୍କ ୫୫ ବର୍ଷର ଦାମ୍ପତ୍ୟ ଜୀବନ ସବୁ ଦିଗରୁ ନିଖୁଣ ନଥିଲା। ଏଥିରେ ଥିଲା ପ୍ରେମ, ପରିବାରିକ ବିରୋଧ, ବ୍ୟକ୍ତିଗତ ଯନ୍ତ୍ରଣା, ସନ୍ତାନ ହରାଇବାର ଦୁଃଖ ଏବଂ ଦ୍ୱିତୀୟ ବିବାହର ଭଳି ଜଟିଳ ଅଧ୍ୟାୟ। , ଏହି ସମ୍ପର୍କର କେନ୍ଦ୍ରରେ ଥିଲା ତାଙ୍କର ଗଭୀର ଭଲପାଇବା ଏବଂ ନିଜ ଇଚ୍ଛାରେ ଜୀବନସାଥୀଙ୍କ ପାଖରେ ରହିବାର ନିଷ୍ପତ୍ତି। ହିନ୍ଦୀ ଚଳଚିତ୍ର ଜଗତରେ ଏହି ଦୁଇ ଯୋଡି ପ୍ରେମ ଓ ପ୍ରତିଶୃତିର ଏକ କିମ୍ବଦନ୍ତୀ l ସବୁ ଘାତ ପ୍ରତିଘାତ ପରେ ମଧ୍ୟ ଭଲପାଇବାକୁ ଜୀବନର ଶେଷ ପର୍ଯ୍ୟନ୍ତ ଲିଭେଇବା ସାଇରା ବାନୁଙ୍କ ଚରିତ୍ରର ଏକ ଭିନ୍ନ ଦିଗ ,ଯାହା ନବାଗତ ପିଢ଼ିର ଚଳଚିତ୍ର ଦମ୍ପତିଙ୍କ ନିମନ୍ତେ ଶିଖିବାର ବିଷୟ l