ନୂଆଦିଲ୍ଲୀ ୨୯।୪: ଦେଶରେ ବଢ଼ୁଥିବା ଡିଜିଟାଲ ଠକେଇ ବର୍ତ୍ତମାନ ଏକ ଗମ୍ଭୀର ସମସ୍ୟା ଭାବେ ଉଭା ହୋଇଛି । ପ୍ରତିଦିନ ସାଧାରଣ ଲୋକେ କୋଟି କୋଟି ଟଙ୍କା ହରାଇ ସର୍ବସ୍ୱାନ୍ତ ହେଉଥିବା ବେଳେ ଏହି ସମସ୍ୟାର ସମାଧାନ ପାଇଁ କେନ୍ଦ୍ର ସରକାର ଅଣ୍ଟା ଭିଡ଼ିଛନ୍ତି । ଏହି ସମ୍ପର୍କରେ ସୁପ୍ରିମକୋର୍ଟଙ୍କୁ ଅବଗତ କରାଇ ସରକାର କହିଛନ୍ତି ଯେ, ବିଭିନ୍ନ ଏଜେନ୍ସି ମଧ୍ୟରେ ସମନ୍ୱୟ ରକ୍ଷା କରାଯାଇ ଠକେଇ ରୋକିବାକୁ ବ୍ୟାପକ ପ୍ରସ୍ତୁତି ଚାଲିଛି ।

ସିମ୍ କାର୍ଡ ପାଇଁ ବାୟୋମେଟ୍ରିକ୍ ଯାଞ୍ଚ :

ଠକେଇ ରୋକିବା ପାଇଁ ସରକାର ସର୍ବଭାରତୀୟ ସ୍ତରରେ ବାୟୋମେଟ୍ରିକ୍ ସିମ୍ ଯାଞ୍ଚ ବ୍ୟବସ୍ଥା ଲାଗୁ କରିବାକୁ ଯାଉଛନ୍ତି । ଏଣିକି ସନ୍ଦେହଜନକ କାରବାରରେ ବ୍ୟବହୃତ ହେଉଥିବା ସିମ୍ କାର୍ଡଗୁଡ଼ିକୁ ତୁରନ୍ତ ବନ୍ଦ କରିଦିଆଯିବ । ଏହା ସହିତ ‘ସିମ୍ ବାଇଣ୍ଡିଂ’ ନିୟମ ମଧ୍ୟ ଲାଗୁ ହେବ । ଏହାର ଅର୍ଥ ହେଉଛି, ଯେଉଁ ଡିଭାଇସ୍ରେ ସିମ୍ ଥିବ, କେବଳ ସେହି ଡିଭାଇସ୍ରେ ହିଁ ହ୍ୱାଟ୍ସଆପ୍ ଭଳି ଆପ୍ଲିକେସନ୍ କାମ କରିବ । ଏହାଦ୍ୱାରା ଅପରାଧୀମାନେ ଅଲଗା ସିମ୍ ବ୍ୟବହାର କରି ଅନ୍ୟ ନମ୍ବରରୁ ଆପ୍ ଚଳାଇବା ସମ୍ଭବ ହେବ ନାହିଁ । ସରକାରଙ୍କ ପ୍ରସ୍ତାବ ଅନୁଯାୟୀ, ଯଦି କୌଣସି ବ୍ୟାଙ୍କ କାରବାର ସନ୍ଦେହଜନକ ଜଣାପଡ଼େ, ତେବେ ବ୍ୟାଙ୍କ ଖାତାରୁ କଟିବାକୁ ଥିବା ଟଙ୍କାକୁ ଅଳ୍ପ ସମୟ ପାଇଁ ଅଟକାଇ ଦିଆଯିବ । ଏହାଦ୍ୱାରା ଠକେଇର ଶିକାର ହୋଇଥିବା ବ୍ୟକ୍ତି ନିଜ ଟଙ୍କା ଫେରିପାଇବା ପାଇଁ ସୁଯୋଗ ପାଇବେ । ଟେଲିକମ୍ ବିଭାଗ, ସୂଚନା ପ୍ରଯୁକ୍ତି ମନ୍ତ୍ରଣାଳୟ ଏବଂ ଭାରତୀୟ ରିଜର୍ଭ ବ୍ୟାଙ୍କ ମିଳିତ ଭାବେ ଏହି ବ୍ୟବସ୍ଥା ଉପରେ କାମ କରୁଛନ୍ତି ।

୯୪୦୦ ହ୍ୱାଟ୍ସଆପ୍ ଆକାଉଣ୍ଟ ବନ୍ଦ:

ଗୃହ ମନ୍ତ୍ରଣାଳୟ ସୁପ୍ରିମକୋର୍ଟଙ୍କୁ ଜଣାଇଛି ଯେ, ବିଶେଷ କରି ‘ଡିଜିଟାଲ ଆରେଷ୍ଟ’ ମାମଲାରେ ସମ୍ପୃକ୍ତ ଥିବା ପ୍ରାୟ ୯୪୦୦ ହ୍ୱାଟ୍ସଆପ୍ ଆକାଉଣ୍ଟକୁ ଚିହ୍ନଟ କରାଯାଇ ବନ୍ଦ କରାଯାଇଛି । ଠକେଇ ସମ୍ପର୍କିତ ତଥ୍ୟ ମାଗିବା ମାତ୍ରେ ତୁରନ୍ତ ଯୋଗାଇ ଦେବାକୁ ଟେଲିକମ୍ କମ୍ପାନୀ ଏବଂ ପିଓଏସ୍ ଏଜେଣ୍ଟମାନଙ୍କୁ କଠୋର ନିର୍ଦ୍ଦେଶ ଦିଆଯାଇଛି ।

’ଣ ଏହି ‘ଡିଜିଟାଲ ଆରେଷ୍ଟ’ ?

ଏହା ହେଉଛି ଏକ ଅଭିନବ ଧରଣର ଠକେଇ, ଯେଉଁଠାରେ ଅପରାଧୀମାନେ ନିଜକୁ ପୁଲିସ, ସିବିଆଇ କିମ୍ବା ଅନ୍ୟ ତଦନ୍ତକାରୀ ସଂସ୍ଥାର ଅଧିକାରୀ ଭାବେ ପରିଚୟ ଦେଇ ପୀଡ଼ିତଙ୍କୁ ଭିଡିଓ କଲ୍ କରନ୍ତି । ସେମାନେ ଧମକ ଦିଅନ୍ତି ଯେ: ଆପଣଙ୍କୁ ଗିରଫ କରାଯିବ, ଆପଣଙ୍କ ବ୍ୟାଙ୍କ ଖାତା ଅଚଳ କରିଦିଆଯିବ, ପାସ୍ପୋର୍ଟ ଜବତ କରାଯିବ । ଏହିପରି ମାନସିକ ଚାପ ପକାଇ ସେମାନେ ‘ଜରିମାନା’ କିମ୍ବା ‘ସିକ୍ୟୁରିଟି ଡିପୋଜିଟ୍’ ନାଁରେ ବହୁ ପରିମାଣର ଟଙ୍କା ହଡ଼ପ କରନ୍ତି । ଏହି ଘୃଣ୍ୟ ଅପରାଧକୁ ରୋକିବା ପାଇଁ ସରକାରୀ ସ୍ତରରେ ପ୍ରସ୍ତୁତି ଏବେ ଚୂଡ଼ାନ୍ତ ପର୍ଯ୍ୟାୟରେ ପହଞ୍ଚିଛି । ଏହି ସୂଚନାକୁ ଆପଣ ଜଣେ ସଚେତନ ନାଗରିକ ଭାବେ ଅନ୍ୟମାନଙ୍କ ସହ ସେୟାର କରିପାରିବେ । ଡିଜିଟାଲ ଦୁନିଆରେ ସୁରକ୍ଷିତ ରହିବା ପାଇଁ ସନ୍ଦେହଜନକ କଲ୍ କିମ୍ବା ଲିଙ୍କ୍ ପ୍ରତି ସତର୍କ ରୁହନ୍ତୁ । ଠକେଇର ଶିକାର ହେଲେ ତୁରନ୍ତ ୧୯୩୦ ନମ୍ବରକୁ କଲ୍ କରନ୍ତୁ କିମ୍ବା www.cybercrime.gov.in ରେ ଅଭିଯୋଗ କରନ୍ତୁ ।

Also Read-PM Modi Kashi Vishwanath Visit: କାଶୀ ବିଶ୍ୱନାଥ ମନ୍ଦିରରେ ପିଏମ ମୋଦୀଙ୍କ ପୂଜାର୍ଚ୍ଚନା: ଗଙ୍ଗା ଏକ୍ସପ୍ରେସୱେର କରିବେ ଉଦ୍‌ଘାଟନ