ଚେନ୍ନାଇ: ଉତ୍ତର-ପୂର୍ବ ମୌସୁମୀ ପୂର୍ବରୁ ତାମିଲନାଡୁରେ ଡେଙ୍ଗୁ ଓ ଅନ୍ୟ ଭୂତାଣୁ ସଂକ୍ରମଣ ଏବେ ଚିନ୍ତାଜନକ ହୋଇଛି। ହସ୍ପିଟାଲକୁ ରୋଗୀଙ୍କ ସୁଅ ଛୁଟୁଥିବା ବେଳେ ପରିସ୍ଥିତିକୁ ଆୟତ୍ତ କରିବା ପାଇଁ ସାରା ରାଜ୍ୟର ହସ୍ପିଟାଲମାନଙ୍କରେ ବେଡ୍ ସଂଖ୍ୟା ବଢାଯାଉଛି। ଚେନ୍ନାଇର ଏଗମୋରସ୍ଥିତ ଇଷ୍ଟିଟ୍ୟୁଟ୍ ଅଫ ଚାଇଲ୍ଡ ହେଲଥ୍ ଆଣ୍ଡ ହସ୍ପିଟାଲରେ ଜ୍ୱର ଆକ୍ରାନ୍ତ ପିଲାଙ୍କ ଲାଗି ୬୦ଟି ବେଡ୍ ର ଏକ ନୂଆ ୱାର୍ଡ ଆରମ୍ଭ କରାଯିବ ବୋଲି ଜଣାପଡିଛି। ଏହା ଦ୍ୱାରା ହସ୍ପିଟାଲର ଏବେକା ୱାର୍ଡ ଉପରେ ରୋଗୀଙ୍କ ଚାପ କମିବ ବୋଲି ଆଶା କରାଯାଉଛି।

ସହରର ଘରୋଇ ହସ୍ପିଟାଲମାନଙ୍କରେ ମଧ୍ୟ ନିଶ୍ୱାସ ପ୍ରଶ୍ୱାସ ସମ୍ପର୍କିତ ବେମାରୀ ସମେତ ଇନଫ୍ଲୁଏଞ୍ଜା ଓ ଡେଙ୍ଗୁ ମାମଲାରେ ବୃଦ୍ଧି ଦେଖା ଦେଇଛି। ହସ୍ପିଟାଲ ଓପିଡି ଏବଂ ୱାର୍ଡମାନଙ୍କରେ ରୋଗୀଙ୍କ ଭିଡ ବଢିଛି। କେତେକ ହସ୍ପିଟାଲରେ ରୋଗୀଙ୍କ ବେଡ ମିଳିବାକୁ ୧୨ ଘଣ୍ଟା ପର୍ଯ୍ୟନ୍ତ ସମୟ ଲାଗୁଥିବା ଲୋକେ ଅଭିଯୋଗ କରୁଛନ୍ତି। ତେବେ ଡାକ୍ତରଙ୍କ ଅନୁସାରେ ହସ୍ପିଟାଲକୁ ଆସୁଥିବା ସଂକ୍ରମଣର ଅଧିକାଂଶ ମାମଲା ହାଲୁକା, ହେଲେ ହସ୍ପିଟାଲକୁ ଆସୁଥିବା ଲୋକଙ୍କ ସଂଖ୍ୟା ଅଧିକ ହୋଇଥିବାରୁ ବ୍ୟବସ୍ଥା ଉପରେ ଚାପ ବଢୁଛି।

ତାମିଲନାଡୁରେ ୨୭ ସେପ୍ଟେମ୍ବର ରବିବାର ସୁଦ୍ଧା ଡେଙ୍ଗୁର ପାଖାପାଖି ୧୯ ହଜାର ମାମଲା ସାମ୍ନାକୁ ଆସିଛି। ଏଥିରୁ ଏ ପର୍ଯ୍ୟନ୍ତ ୯ ଜଣଙ୍କ ମୃତ୍ୟୁ ହେଲାଣି। ଚେନ୍ନାଇ, କୋୟମ୍ବଟୁର, ସଲେମ, ତିରୁଭଲ୍ଲୁର ଓ ଚେଙ୍ଗଲପଟ୍ଟୁ ସେହି ଜିଲ୍ଲାମାନଙ୍କରେ ସାମିଲ ଯେଉଁଠୁ ଜ୍ୱରର ଅଧିକାଂଶ ମାମଲା ସାମ୍ନାକୁ ଆସୁଛି। ରାଜ୍ୟରେ ଏ ପର୍ଯ୍ୟନ୍ତ ୨.୨୪ ଲକ୍ଷ ଡେଙ୍ଗୁ ଯାଞ୍ଚ ହୋଇଥିବା ବେଳେ ୫,୮୧୮ ସରକାରୀ ଓ ଘରୋଇ ହସ୍ପିଟାଲଙ୍କ ମାଧ୍ୟମରେ ଜ୍ୱାର ମାମଲା ଉପରେ ନଜର ରଖା ଯାଇଛି। ଜରୁରି କାର୍ଯ୍ୟାନୁଷ୍ଠାନ ନିମନ୍ତେ ୨୬,୩୦୦ କର୍ମଚାରୀଙ୍କୁ ମୁତୟନ ରଖାଯାଇଛି।

ଚେନ୍ନାଇରେ ସେପ୍ଚେମ୍ବରର ପ୍ରଥମ ୨୦ ଦିନରେ ଜ୍ୱରର ୩ ହଜାରରୁ ଅଧିକ ମାମଲା ରେକର୍ଡ ହୋଇଛି। ଏଥିରେ ଡେଙ୍ଗୁର ୧୮୦ ମାମଲା ମଧ୍ୟ ରହିଛି। ଏହା ପୂର୍ବରୁ ଅଗଷ୍ଟ ମାସରେ ସହରରେ ୪,୫୦୦ ଜ୍ୱର ମାମଲା ସାମ୍ନାକୁ ଆସିଥିଲା। ଏଥିରେ ୧୬୦ ଜଣ ଡେଙ୍ଗୁ ଆକ୍ରାନ୍ତ ଥିଲେ। ଅଡୟାର, ଅନ୍ନାନଗର ଓ ଭଲସରଭକ୍କମରୁ ଅପେକ୍ଷାକୃତ ଅଧିକ ମାମଲା ସାମ୍ନାକୁ ଆସୁଛି। ଏଣୁ ଏହି ସବୁ ଅଞ୍ଚଳ ଉପରେ କଡ଼ା ନଜର ରଖାଯାଇଛି। ରହି ରହି ହେଉଥିବା ବର୍ଷା ପରେ ଗ୍ରେଟର ଚେନ୍ନାଇ କର୍ପୋରେସନ ତାଙ୍କର ସବୁ ୧୫ ଜୋନରେ ମଶା ନିୟନ୍ତ୍ରଣ ପାଇଁ ଜୋରଦାର ଅଭିଯାନ ଚଳାଇଛନ୍ତି।

ସ୍ୱାସ୍ଥ୍ୟବିଭାଗର କହିବା କଥା ହେଉଛି ଡେଙ୍ଗୁର ଏବେକା ମାମଲା ସାଧାରଣତଃ ଋତୁ ଅନୁସାରେ ଦେଖାଯାଉଥିବା ପାଟର୍ଣ୍ଣ ଅନୁରୂପ ଓ ଏହାକୁ ଅସାଧାରଣ ରୂପେ ଗୁରୁତର ପ୍ରକୋପ କୁହାଯାଇ ପାରିବନି। ଉତ୍ତର-ପୂର୍ବ ମୌସୁମୀ ପାଖେଇବା ଓ ଚିକିତ୍ସା ପାଇଁ ହସ୍ପିଟାଲ ପହଞ୍ଚୁଥିବା ଲୋକଙ୍କ ସଂଖ୍ୟାକୁ ନଜରରେ ରଖି ହସ୍ପିଟାଲ ଓ ନଗର ନିଗମ ଅତିରିକ୍ତ ସୁବିଧା ପ୍ରସ୍ତୁତ ରଖିଛନ୍ତି।