ନୂଆଦିଲ୍ଲୀ: ଚ୍ୟବନପ୍ରାଶକୁ ନେଇ ବିବାଦୀୟ ବିଜ୍ଞାପନ ପାଇଁ ପୁଣିଥରେ ଆଇନଗତ ମାମଲାରେ ଫସିଥିବା ପତଞ୍ଜଳିକୁ କୋର୍ଟ କଡ଼ା ନିର୍ଦ୍ଦେଶ ଦେଇଛନ୍ତି। ୭୨ ଘଣ୍ଟା ଭିତରେ ବିବାଦୀୟ ବିଜ୍ଞାପନକୁ ସବୁ ପ୍ଲାଟଫର୍ମରେ ପ୍ରସାରଣ କରିବା ବନ୍ଦ କରିବା ଓ ଏହାକୁ ହଟାଇବା ପାଇଁ ଦିଲ୍ଲୀ ହାଇକୋର୍ଟ କମ୍ପାନୀକୁ ନିର୍ଦ୍ଦେଶ ଦେଇଛନ୍ତି।ଚ୍ୟବନପ୍ରାଶକୁ ନେଇ ପତଞ୍ଜଳି ବିବାଦୀୟ ବିଜ୍ଞାପନ କରୁଥିଲା। ଅନ୍ୟ କମ୍ପାନୀର ଚ୍ୟବନପ୍ରାଶକୁ ଧୋକା ବୋଲି କହୁଥିଲା କମ୍ପାନୀ, ଯାହାକୁ ନେଇ ଡାବର ଇଣ୍ଡିଆର ଅଭିଯୋଗ ପରେ ଜଷ୍ଟିସ୍ ତେଜସ କାରିଆଙ୍କ ଖଣ୍ଡପୀଠ ନଭେମ୍ବର ୬ ତାରିଖରେ ଏହି ମଧ୍ୟବର୍ତ୍ତିକାଳୀନ ନିର୍ଦ୍ଦେଶ ଦେଇଥିଲେ। ଯେଉଁଥିରେ ଆଜି ରାୟ ପ୍ରକାଶ ପାଇଛି।

ପତଞ୍ଜଳି ଆୟୁର୍ବେଦକୁ ଅନ୍ୟ ଚ୍ୟବନପ୍ରାଶ ବ୍ରାଣ୍ଡକୁ "ଧୋକା" (ପ୍ରତାରଣା) ବୋଲି ବର୍ଣ୍ଣନା କରୁଥିବା ବିଜ୍ଞାପନ ପ୍ରକାଶନ କିମ୍ବା ପ୍ରସାରଣ କରିବାରୁ ନିଷେଧ କରିଛନ୍ତି। ତିନି ଦିନ ମଧ୍ୟରେ ସମସ୍ତ ଟେଲିଭିଜନ, ଡିଜିଟାଲ୍ ଏବଂ ପ୍ରିଣ୍ଟ୍ ପ୍ଲାଟଫର୍ମରୁ ବିଜ୍ଞାପନଟିକୁ ହଟାଇବାକୁ କୋର୍ଟ ନିର୍ଦ୍ଦେଶ ଦେଇଛନ୍ତି।କୋର୍ଟ ରାୟ ଦେଇଛନ୍ତି ଯେ ତୁଳନାତ୍ମକ ବିଜ୍ଞାପନକୁ ଅନୁମତି ଦିଆଯାଇପାରେ, କିନ୍ତୁ ଯେଉଁ ବିଜ୍ଞାପନଗୁଡ଼ିକ ଅନ୍ୟମାନଙ୍କୁ ଅପମାନିତ କରେ କିମ୍ବା ମିଥ୍ୟା ଏବଂ ଭ୍ରାମକ ବୟାନ ଦିଏ, ସେଗୁଡ଼ିକୁ ଅନୁମତି ଦିଆଯିବ ନାହିଁ। ଏହି ପ୍ରତିବନ୍ଧକ ଫେବୃଆରୀ ୨୦୨୬ ପର୍ଯ୍ୟନ୍ତ ବଳବତ୍ତର ରହିବ। ପତଞ୍ଜଳି ଆଉ ଟିଭି, ସୋସିଆଲ ମିଡିଆ କିମ୍ବା ପ୍ରିଣ୍ଟ ମିଡିଆରେ ଏହି ବିଜ୍ଞାପନ ଚଲାଇ ପାରିବ ନାହିଁ।

କୋର୍ଟ କ'ଣ ରାୟ ଦେଲେ ?

ରାୟରେ କୋର୍ଟ କହିଛନ୍ତି ଯେ ସାଧାରଣ ଲୋକଙ୍କ ଦୃଷ୍ଟିକୋଣରୁ ଦେଖିଲେ ଏହି ବିଜ୍ଞାପନ ଏପରି ଭାବନା ସୃଷ୍ଟି କରୁଛି ଯେମିତି ଯେ ଅନ୍ୟ ଚ୍ୟବନପ୍ରାଶ କେବଳ ସେମାନଙ୍କ ପାଇଁ ଏକ ଧୋକା। ତେଣୁ ପତଞ୍ଜଳିକୁ ୭୨ ଘଣ୍ଟା ମଧ୍ୟରେ ସମସ୍ତ ପ୍ଲାଟଫର୍ମରୁ ଏହି ବିଜ୍ଞାପନକୁ ହଟାଇବା କିମ୍ବା ଅବରୋଧ କରିବାକୁ ପଡିବ।ଜାତୀୟ ଟିଭି ଚ୍ୟାନେଲ, ଷ୍ଟ୍ରିମିଂ ପ୍ଲାଟଫର୍ମ, ଡିଜିଟାଲ୍, ପ୍ରିଣ୍ଟ୍ ମିଡିଆ ଏବଂ ୟୁଟ୍ୟୁବ ଓ ଇନଷ୍ଟାଗ୍ରାମ ଭଳି ସୋସିଆଲ ମିଡିଆ ଆକାଉଣ୍ଟରୁ ବିଜ୍ଞାପନ ଦେଖାଇ ପାରିବ ନାହିଁ।

କେବଳ ସେତିକି ନୁହେଁ ପତଞ୍ଜଳି ଅନ୍ୟ ଚ୍ୟବନପ୍ରାଶକୁ ଧୋକା ବୋଲି କହିବା କିମ୍ବା ଏହାର ମେଡିକାଲ ଭାଲ୍ୟୁ ଉପରେ ପ୍ରଶ୍ନ ଉଠାଇବା ଭଳି କୌଣସି ନୂଆ ବିଜ୍ଞାପନ ଚଲାଇପାରିବ ନାହିଁ ବୋଲି କୋର୍ଟ କହିଛନ୍ତି।

କ’ଣ ଏହି ବିବାଦ ?

ଚ୍ୟବନପ୍ରାଶ ବଜାରରେ ଡାବର ଏବଂ ପତଞ୍ଜଳି ମଧ୍ୟରେ ବହୁତ ଦିନ ଧରି ଉତ୍ତେଜନା ଲାଗି ରହିଛି। ଡାବର ପ୍ରାୟ ୬୦% ଅଂଶ ସହିତ ଏ ଦିଗରେ ଆଗରେ ରହିଥିବା ବେଳେ ପତଞ୍ଜଳି ସମ୍ପ୍ରତି ନିଜର ସ୍ୱତନ୍ତ୍ର ଚ୍ୟବନପ୍ରାଶ ଲଞ୍ଚ କରିଛି। ଡାବର ଦାବି କରିଛି ଯେ ପତଞ୍ଜଳିର ବିଜ୍ଞାପନ କେବଳ ଏହାର ଉତ୍ପାଦକୁ ଅପମାନିତ କରେ ନାହିଁ ବରଂ ସମଗ୍ର ଚ୍ୟାବନପ୍ରାଶ ବର୍ଗକୁ "ଠକ" ବୋଲି କହି ଏହାର ବିଶ୍ୱସନୀୟତା ଉପରେ ପ୍ରଶ୍ନ ଉଠାଇଥାଏ। ଏହା ବାଣିଜ୍ୟିକ ଅପମାନର(କମର୍ସିଆଲ ଡିସ୍ପେରେଜମେଣ୍ଟ) ଏକ ମାମଲା, ଯେଉଁଠାରେ ଗୋଟିଏ କମ୍ପାନୀ ଅନ୍ୟ କମ୍ପାନୀକୁ ଅପମାନିତ କରିବାକୁ ଚେଷ୍ଟା କରୁଛି ବୋଲି ଡାବର ଅଭିଯୋଗ କରିଛି।

ପ୍ରକୃତରେ ପତଞ୍ଜଳିର ସ୍ୱତନ୍ତ୍ର ଚ୍ୟାବନପ୍ରାଶ ବିଜ୍ଞାପନରେ "ଚାଲ ଧୋକା ଖାଅ!" ଭଳି ଆକର୍ଷଣୀୟ ବାକ୍ୟାଂଶ ବ୍ୟବହାର କରାଯାଇଥିଲା। ବିଜ୍ଞାପନରେ ଜଣେ ମାଆ ତାଙ୍କ ପିଲାଙ୍କୁ ଚ୍ୟାବନ ପ୍ରସ ଖୁଆଇ କହୁଛନ୍ତି ଯେ ଚାଲ ଧୋକା ଖାଅ। ଏହାପରେ ବାବା ରାମଦେବ କହୁଛନ୍ତି ଅଧିକାଂଶ ଲୋକ ଚ୍ୟାବନପ୍ରାଶ ନାଁରେ ଧୋକା ଖାଉଛନ୍ତି।" କୋର୍ଟ ଏହାକୁ ସମୀକ୍ଷା କରି କହିଛନ୍ତି ଯେ ଏହା ଅନ୍ୟ ଉତ୍ପାଦଗୁଡ଼ିକୁ ନକଲି କିମ୍ବା ନିମ୍ନମାନର ଭାବରେ ଚିତ୍ରଣ କରିବାର ଏକ ପ୍ରୟାସ ଥିଲା। ଡାବରର ଚ୍ୟବନପ୍ରାଶ ମଧ୍ୟ ଏହି ବର୍ଗରେ ଆସେ, ଯାହା ଅନ୍ୟାୟ। ଏହି ମାମଲାର ପରବର୍ତ୍ତୀ ଶୁଣାଣି ୨୬ ଫେବୃଆରୀ, ୨୦୨୬ ରେ ହେବ।