ନୂଆଦିଲ୍ଲୀ: ଦେଶର ଆର୍ଥିକ ସ୍ଥିରତା ବଜାୟ ରଖିବା ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଆହ୍ୱାନ ପରେ ଦିଲ୍ଲୀ ସରକାର ଏକ ବଡ଼ ପଦକ୍ଷେପ ନେଇଛନ୍ତି। ମୁଖ୍ୟମନ୍ତ୍ରୀ ରେଖା ଗୁପ୍ତା ଗୁରୁବାର ସରକାରୀ କର୍ମଚାରୀଙ୍କ ପାଇଁ ନୂଆ ନିୟମାବଳୀ ଜାରି କରିଛନ୍ତି। ଇନ୍ଧନ ସଞ୍ଚୟ ଏବଂ ପ୍ରଦୂଷଣ ନିୟନ୍ତ୍ରଣ ପାଇଁ ଏଣିକି ଦିଲ୍ଲୀ ସରକାରୀ ଅଫିସର କର୍ମଚାରୀମାନେ ସପ୍ତାହକୁ ଦୁଇ ଦିନ ଘରେ ରହି କାମ (Work From Home) କରିବେ।

ସରକାରୀ ଗାଡ଼ିର ତେଲ ଖର୍ଚ୍ଚରେ କାଟ୍

ମୁଖ୍ୟମନ୍ତ୍ରୀଙ୍କ ଘୋଷଣା ଅନୁଯାୟୀ, ସରକାରୀ ଅଧିକାରୀମାନଙ୍କୁ ମିଳୁଥିବା ମାସିକ ତେଲ କୋଟାରେ ୨୦ ପ୍ରତିଶତ ହ୍ରାସ କରାଯାଇଛି। ଯେଉଁ ଅଧିକାରୀମାନେ ମାସକୁ ୨୦୦ ରୁ ୨୫୦ ଲିଟର ପେଟ୍ରୋଲ କିମ୍ବା ଡିଜେଲ ପାଉଥିଲେ, ସେମାନଙ୍କ କ୍ଷେତ୍ରରେ ଏହି କଟକଣା ଲାଗୁ ହେବ। ଏଥିସହ ମନ୍ତ୍ରୀ ଏବଂ ବରିଷ୍ଠ ଅଧିକାରୀଙ୍କ କନଭୟରେ (ଗାଡ଼ି ଶୋଭାଯାତ୍ରା) ଗାଡ଼ି ସଂଖ୍ୟା ମଧ୍ୟ କମାଇବାକୁ ନିର୍ଦ୍ଦେଶ ଦିଆଯାଇଛି।

ସପ୍ତାହକୁ ଦିନେ ‘ନୋ ଭେହିକିଲ୍ ଡେ’

ସାଧାରଣ ପରିବହନ ବ୍ୟବସ୍ଥାକୁ ପ୍ରୋତ୍ସାହନ ଦେବା ପାଇଁ ସପ୍ତାହକୁ ଗୋଟିଏ ଦିନ ‘ନୋ ଭେହିକିଲ୍ ଡେ’ (No Vehicle Day) ଭାବେ ପାଳନ କରାଯିବ। ବିଶେଷ କରି ସୋମବାର ଦିନ ଲୋକଙ୍କୁ ଦିଲ୍ଲୀ ମେଟ୍ରୋ ବ୍ୟବହାର କରିବାକୁ ଅନୁରୋଧ କରାଯାଇଛି। ଯେଉଁ ସରକାରୀ ଅଧିକାରୀମାନେ ସରକାରୀ ଗାଡ଼ି ବଦଳରେ ପବ୍ଲିକ୍ ଟ୍ରାନ୍ସପୋର୍ଟ ବ୍ୟବହାର କରିବେ, ସେମାନଙ୍କ ଯାତାୟାତ ଭତ୍ତାରେ ୧୦ ପ୍ରତିଶତ ବୃଦ୍ଧି କରାଯିବ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି।

ଅନଲାଇନ ମିଟିଂ ଉପରେ ଗୁରୁତ୍ୱ

ସରକାରୀ କାର୍ଯ୍ୟାଳୟରେ ପ୍ରାୟ ୫୦ ପ୍ରତିଶତ ବୈଠକ ଅନଲାଇନ ବା ଭର୍ଚୁଆଲ୍ ମୋଡରେ କରିବାକୁ ନିଷ୍ପତ୍ତି ନିଆଯାଇଛି। ଏପରିକି ଅଦାଲତଗୁଡ଼ିକ ମଧ୍ୟ ସମ୍ଭବ ହେଲେ ଅନଲାଇନରେ ଶୁଣାଣି କରିବାକୁ ସରକାର ଅପିଲ୍ କରିଛନ୍ତି। ଆଗାମୀ ୩ ମାସ ପର୍ଯ୍ୟନ୍ତ କୌଣସି ବଡ଼ ଧରଣର ସରକାରୀ କାର୍ଯ୍ୟକ୍ରମ ଆୟୋଜନ କରାଯିବ ନାହିଁ।

ପର୍ଯ୍ୟଟକଙ୍କ ପାଇଁ ସ୍ୱତନ୍ତ୍ର ପ୍ଲାନ୍

ଏହି ନୂଆ କଟକଣା ଯୋଗୁଁ ଯେପରି ବାହାରୁ ଆସୁଥିବା ପର୍ଯ୍ୟଟକମାନେ ଅସୁବିଧାର ସମ୍ମୁଖୀନ ନ ହୁଅନ୍ତି, ସେଥିପାଇଁ ଏକ ସ୍ୱତନ୍ତ୍ର ‘ଟ୍ରାଭେଲ ମ୍ୟାନେଜମେଣ୍ଟ ପ୍ଲାନ୍’ ପ୍ରସ୍ତୁତ କରାଯିବ। ଦିଲ୍ଲୀର ବସ୍ ରୁଟ୍ ଗୁଡ଼ିକର ମଧ୍ୟ ପୁନଃ ନିର୍ଦ୍ଧାରଣ କରାଯାଇ ସାଧାରଣ ଜନତାଙ୍କ ଯାତାୟାତକୁ ସହଜ କରାଯିବ।