ଭୁବନେଶ୍ଵର: ଆଜି ରାତି ସୁଦ୍ଧା ସ୍ଥଳଭାଗ ଅତିକ୍ରମ କରିବ ଗଭୀର ଅବପାତ । ତେଣୁ ଏହା ପ୍ରଭାବରେ ଆସନ୍ତା ୪୮ ଘଣ୍ଟା ପ୍ରବଳ ବର୍ଷା ସମ୍ଭାବନା ରହିଛି । ଦକ୍ଷିଣ ଓ ଉପକୂଳ ଓଡ଼ିଶାରେ ଅତି ପ୍ରବଳ ବର୍ଷା ସମ୍ଭାବନା ଥିବାରୁ ରେଡ଼ ଓ ଅରେଞ୍ଜ ଆଲର୍ଟ ଜାରିକରିଛି ପାଣିପାଗ ବିଭାଗ । ବର୍ଷା ଯୋଗୁଁ ଭୂସ୍ଖଳନ ହେବାର ସମ୍ଭାବନା ଓ ଫ୍ଲାଶ ଫ୍ଲଡ଼ ସମ୍ଭାବନା ଥିବା କହିଛନ୍ତି ପାଣିପାଗ ବିଶେଷଜ୍ଞ ।

ଆହୁରି ୪୮ ଘଣ୍ଟା ପ୍ରବଳ ବର୍ଷା । ଏହି ଚେତାବନୀ ଦେଇଛି ପାଣିପାଗ ବିଭାଗ । ପଶ୍ଚିମ କେନ୍ଦ୍ର ବଙ୍ଗୋପସାଗର ଓ ସଂଲଗ୍ନ ଉତ୍ତର ପଶ୍ଚିମ ବଙ୍ଗୋପସାଗରରେ ଥିବା ଗଭୀର ଅବପାତ ଧୀରେ ଧୀରେ ଗତି କରୁଛି । ୨୩ ରାତି ସୁଦ୍ଧା ଏହା କଳିଙ୍ଗପଟନମ ନିକଟସ୍ଥ ଉତ୍ତର ଆନ୍ଦ୍ରପ୍ରଦେଶ ଓ ଦକ୍ଷିଣ ଓଡ଼ିଶା ମଧ୍ୟରେ ଅତିକ୍ରମ କରିବ ବୋଲି ପୂର୍ବାନୁମାନ କରିଛି ପାଣିପାଗ ବିଭାଗ । ଏହି ସମୟରେ ବର୍ଷା ଓ ପବନ ରହିବ । ପବନ ଅଧିକ ନଥିଲେ ମଧ୍ୟ ୫୫ ରୁ ୬୫ କିଲୋମିଟର ପର୍ଯ୍ୟନ୍ତ ପ୍ରବାହିତ ହେବାର ସମ୍ଭାବନା ଥିବା କହିଛନ୍ତି ଆଞ୍ଚଳିକ ପାଣିପାଗ କେନ୍ଦ୍ର ନିର୍ଦ୍ଦେଶିକା ମନୋରମା ମହାନ୍ତି ।

Also Read: ସମ୍ଭାବ୍ୟ ବାତ୍ୟା ସ୍ଥିତିର ସମୀକ୍ଷା କଲେ ମୁଖ୍ୟମନ୍ତ୍ରୀ, ଲୋକଙ୍କ ଧନଜୀବନ ସୁରକ୍ଷା ଉପରେ ଗୁରୁତ୍ୱ ଦେବାକୁ ନିର୍ଦ୍ଦେଶ

ଦକ୍ଷିଣ ଓଡ଼ିଶାରେ ଆଗାମୀ ୨୪ ଘଣ୍ଟା ପ୍ରବଳ ବର୍ଷା

ଗଭୀର ଅବପାତ ଯୋଗୁଁ ଦକ୍ଷିଣ ଓଡିଶା ପାଇଁ ବିଶେଷକରି କୋରାପୁଟ, ମାଲକାନଗିରି, ନବରଙ୍ଗପୁର,କଳାହାଣ୍ଡି ରେ ଆସନ୍ତା ୨୪ ଘଣ୍ଟା ମଧ୍ୟରେ ଅତି ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଥିବାରୁ ରେଡ଼ ଓ୍ଵାର୍ଣ୍ଣିଂ ଜାରି ହୋଇଛି । ଏହା ଛଡ଼ା ନୂଆପଡ଼ା, ବଲାଙ୍ଗୀର, କନ୍ଧମାଳ,ରାୟଗଡ଼ା, ଗଞ୍ଜାମ, ଗଜପତି, ପୁରୀ ଖୋର୍ଦ୍ଧା,ନୟାଗଡ଼, ବୌଦ୍ଧ, ସୋନପୁର, ବରଗଡ଼ରେ ପ୍ରବଳ ବର୍ଷା ରହିଥିବାରୁ ଅରେଞ୍ଜ ଓ୍ଵାର୍ଣ୍ଣିଂ ଜାରି ହୋଇଛି ।

ଭୂସ୍ଖଳନ ହେବାର ସମ୍ଭାବନା

ସେହିପରି ୨୪ ତାରିଖରେ ମଧ୍ୟ ନବରଙ୍ଗପୁରରେ ଅତିପ୍ରବଳ ବର୍ଷା ହେବାର ସମ୍ଭାବନା ରହିଥିବାରୁ ରେଡ଼ ଓ୍ଵାର୍ଣ୍ଣିଂ ଜାରି ହୋଇଛି । ବରଗଡ , ନୂଆପଡା, ବଲାଙ୍ଗୀର, କଳାହାଣ୍ଡି, କୋରାପୁଟ ଓ ମାଲକାନଗିରିରେ ପ୍ରବଳ ବର୍ଷା ସମ୍ଭାବନା ଥିବାରୁ ଅରେଞ୍ଜ ଓ୍ଵାର୍ଣ୍ଣିଂ ଦେଇଛି ପାଣିପାଗ ବିଭାଗ । ୨୫ ତାରିଖ ପର୍ଯ୍ୟନ୍ତ ରାଜ୍ୟରେ ବର୍ଷା ରହିଛି। ଅତି ପ୍ରବଳ ବର୍ଷା ଯୋଗୁଁ ପାହାଡ଼ି ଅଞ୍ଚଳରେ ଭୁସ୍ଖଳନ ହେବାର ସମ୍ଭାବନା ରହିଛି । ଅନେକ ସ୍ଥାନରେ ଫ୍ଲାଶ ଫ୍ଲ ହେବାର ମଧ୍ୟ ସମ୍ଭାବନା ରହିଛି । ଲୋକେ ଆବଶ୍ୟକ ପଡ଼ିଲେ ଘରରୁ ବହାରନ୍ତୁ ନାହିଁ ବୋଲି ପାଣିପାଗ ବିଶେଷଜ୍ଞ ପରାମର୍ଶ ଦେଇଛନ୍ତି।

Also Read: ଗଭୀର ଅବପାତ ପ୍ରଭାବ: ସନ୍ଧ୍ୟାରେ ସ୍ଥଳଭାଗ ଛୁଇଁବ ସିଷ୍ଟମ୍, ରାଜ୍ୟରେ ପ୍ରଳୟଙ୍କରୀ ବର୍ଷା ଆଶଙ୍କା !

ମତ୍ସ୍ୟଜୀବୀଙ୍କୁ ସମୁଦ୍ରକୁ ଯିବା ବାରଣ

ଏପଟେ ସମୁଦ୍ର ଅଶାନ୍ତ ଥିବାରୁ ମତ୍ସ୍ୟଜୀବୀଙ୍କୁ ୨୫ ତାରିଖ ପର୍ଯ୍ୟନ୍ତ ସମୁଦ୍ରକୁ ଯିବା ପାଇଁ ବାରଣ କରାଯାଇଛି। ବନ୍ଦରମାନଙ୍କ ରେ ମଧ୍ୟ ବିପଦ ସଂକେତ ୩ ଦିଆଯାଇଛି । ଏହି ସିଷ୍ଟେମ ଯୋଗୁଁ ପବନକୁ ବିଶେଷ ଭୟ ନାହିଁ କେବଳ ବର୍ଷା ହେବ ବୋଲି ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ନିର୍ଦେଶିକା କହିଛନ୍ତି ।