ନୟାଗଡ୯/୧୨: ଏମିତି ବି ଆସେ ମୃତ୍ୟୁ । ୨ସାଙ୍ଗ କାମ ସାରି ବାଇକରେ ଘରକୁ ଫେରୁଥିଲେ । କିନ୍ତୁ ବାଟରେ ଜଗିଥିଲା ଯମ । ହଠାତ ଭାରସାମ୍ୟ ହରାଇ ପୋଲ ତଳକୁ ଖସିଲା ବାଇକ । ନିଛାଟିଆ ରାସ୍ତା ସାଙ୍ଗକୁ ଶୀତ ରାତି । ସେଥିପାଇଁ ଆଖପାଖରେ କେହି କୁଆଡେ ନଥିଲେ । ପୋଲ ତଳେ ସହାୟତା ଆଶାରେ ରାତି ସାରା ପଡି ଛଟପଟ ହେଲେ ଉଭ। ଶେଷରେ ପ୍ରାଣବାୟୁ ଉଡିଗଲା । ନୟାଗଡ ଜିଲ୍ଲା ଓଡଗାଁ ଥାନା ତୋରିଗାଡିଆ ନିକଟରେ ସୋମବାର ବିଳମ୍ବିତ ରାତିରେ ଦୁର୍ଘଟଣା ଘଟି ୨ ଜଣଙ୍କ ମୃତ୍ୟୁ ହୋଇଛି । ମୃତକ ୨ ଜଣ ହେଲେ ଧଝୋଲା ଗାଁର ଫକିର ନାୟକ ଓ ରାଜେନ୍ଦ୍ର ନାୟକ ।

ଉଭୟ କୌଣସି କାମରେ ଯାଇ ବେଲଦ୍ବାର ପଟୁ ଫେରୁଥିବାବେଳେ ତୋରିଗାଡିଆ ନିକଟରେ ହୋଇଥିଲା ଅଘଟଣ । ଭାରସାମ୍ୟ ହରାଇ ବାଇକ ତଳକୁ ଖସିପଡିଥିବା ଅନୁମାନ କରାଯାଉଛି । ମଙ୍ଗଳବାର ସକାଳୁ ସ୍ଥାନୀୟ ଲୋକେ ପୋଲ ତଳେ ୨ ଜଣ ଯୁବକ ପଡିଥିବା ଦେଖିଥିଲେ । ତୁରନ୍ତ ଘଟଣାସ୍ଥଳ ଲୋକାରଣ୍ୟ ହୋଇଗଲା । ଖବର ପାଇ ପୋଲିସ ଓ ଫାୟାର କର୍ମଚାରୀ ଆସି ପହଞ୍ଚିଥିଲେ । ଉଭୟଙ୍କୁ ଉଦ୍ଧାର କରି ଓଡଗାଁ ମେଡିକାଲରେ ଭର୍ତ୍ତି କରାଯାଇଥିଲା । ସେଠାରେ ଡାକ୍ତର ମୃତ ଘୋଷଣା କରିଥିଲେ । ପରେ ମୃତକଙ୍କ ପରିବାରକୁ ଖବର ଦିଆଯାଇଥିଲା । ଫକିର ଓ ରାଜେନ୍ଦ୍ରଙ୍କ ଏପରି ଅକାଳ ମୃତ୍ୟୁକୁ ନେଇ ସ୍ଥାନୀୟ ଅଞ୍ଚଳରେ ଶୋକାକୁଳ ପରିବେଶ ସୃଷ୍ଟି ହୋଇଛି ।