ମୁମ୍ବାଇ: ଜନ୍ମଦିନ କେକ୍‌ରେ ପଡ଼ିଥିଲା ମଲା ଝିଟିପିଟି  । କେକ୍‌ ଖାଇ ୪ ଜଣ ମହିଳାଙ୍କ ସମେତ ୧୧ ଜଣ  ଅସୁସ୍ଥ ହୋଇପଡ଼ିଥିବା ବେଳେ ୩ ଜଣ ପିଲାଙ୍କ ଅବସ୍ଥା ସଙ୍କଟାପନ୍ନ ରହିଛି । ସେମାନଙ୍କୁ ଆଇସିୟୁରେ ଭର୍ତ୍ତି କରାଯାଇଛି । ଏହି ଅଘଟଣ ମୁମ୍ବାଇର ପାଲଘର ଜିଲ୍ଲା, ନାଲାସୋପାରା (ପୂର୍ବ) ଅଞ୍ଚଳରେ ଘଟିଛି ।

ଶନିବାର (୧୫ ଅଗଷ୍ଟ) ସନ୍ଧ୍ୟା ପ୍ରାୟ ୬ଟା ସମୟରେ ଟାକିପଡ଼ା ଅଞ୍ଚଳର 'ନୀଲକଣ୍ଠେଶ୍ୱର' ବିଲ୍ଡିଂରେ ଜଣେ ୨୫ ବର୍ଷୀୟା ମହିଳାଙ୍କ ଜନ୍ମଦିନ ପାଳନ କରାଯାଉଥିଲା। ସାହିପଡ଼ିଶାର ପିଲାମାନେ ସ୍ଥାନୀୟ ଏକ ବେକରୀରୁ ଜନ୍ମଦିନ କେକ୍ ଆଣିଥିଲେ। କେକ୍ ଖାଇବାର କିଛି ସମୟ ପରେ ସମସ୍ତଙ୍କୁ ବାନ୍ତି ହୋଇଥିଲା । ଏହା ସହ ପେଟ ଯନ୍ତ୍ରଣା, ଛାତି ପୋଡ଼ାଜଳା ଏବଂ ପ୍ରବଳ ମୁଣ୍ଡବିନ୍ଧା ପରି ଲକ୍ଷଣ ଦେଖା ଦେଇଥିଲା।

ସଙ୍କଟାପନ୍ନ ଅବସ୍ଥାରେ ସମସ୍ତଙ୍କୁ ନିକଟସ୍ଥ 'ବିଜୟଲକ୍ଷ୍ମୀ ହସ୍ପିଟାଲ'ରେ ଭର୍ତ୍ତି କରାଯାଇଥିଲା। ଡାକ୍ତରଖାନାର ଡାକ୍ତର ବିଦ୍ୟା ସାୱନ୍ତଙ୍କ ସୂଚନା ଅନୁଯାୟୀ, ୩ ଜଣ ଶିଶୁଙ୍କୁ ଆଇସିୟୁରେ ରଖାଯାଇଥିଲେ ବି ବର୍ତ୍ତମାନ ସମସ୍ତ ୧୧ ଜଣଙ୍କ ସ୍ୱାସ୍ଥ୍ୟାବସ୍ଥା ସ୍ଥିର ରହିଛି। ଚିକିତ୍ସା ସମୟରେ ଅସୁସ୍ଥ ଲୋକମାନେ କେକ୍‌ ଭିତରେ ଏକ ମୃତ ଝିଟିପିଟି ଥିବା କଥା ଡାକ୍ତରୀ ଦଳକୁ ଜଣାଇଥିଲେ।

ତୁଲିଞ୍ଜ ପୋଲିସ ଷ୍ଟେସନର ପୋଲିସ ଏବଂ ଖାଦ୍ୟ ସୁରକ୍ଷା ଅଧିକାରୀମାନେ ହସ୍ପିଟାଲରେ ପହଞ୍ଚି ତଦନ୍ତ ଆରମ୍ଭ କରିଛନ୍ତି।
ଯାଞ୍ଚରୁ ଜଣାପଡ଼ିଛି ଯେ କେକ୍‌ଟି ଟାକିପଡ଼ାର 'ଚାମୁଣ୍ଡା କେକ୍ ସପ୍'ରୁ କିଣାଯାଇଥିଲା। ପୋଲିସ ଓ ଖାଦ୍ୟ ସୁରକ୍ଷା ଟିମ୍ ଘଟଣାସ୍ଥଳରୁ ବଳକା କେକ୍ ନମୂନା ଜବତ କରି ଲାବୋରେଟୋରୀ ପରୀକ୍ଷା ପାଇଁ ପଠାଇଛନ୍ତି।

ଲାବୋରେଟରୀ ରିପୋର୍ଟ ଆସିବା ପରେ ହିଁ କେକ୍‌ ବିଷାକ୍ତ ହେବାର ପ୍ରକୃତ କାରଣ ସ୍ପଷ୍ଟ ହେବ। ଏହି ଘଟଣା ପରେ ସ୍ଥାନୀୟ ବେକରୀଗୁଡ଼ିକର ସ୍ୱଚ୍ଛତା ଏବଂ ଖାଦ୍ୟ ସୁରକ୍ଷା ମାନଦଣ୍ଡକୁ ନେଇ ସାଧାରଣରେ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି।