ମୁମ୍ବାଇ : ଉଦ୍ୟୋଗପତି ତଥା ପୁଣେସ୍ଥିତ ସିରମ ଇନଷ୍ଟିଟ୍ୟୁଟ ଅଫ ଇଣ୍ଡିଆର ସଂସ୍ଥାପକ ସାଇରସ ଏସ୍. ପୁନାୱାଲା ମୁମ୍ବାଇ ସେଫ୍ରନ ଆର୍ଟ ନିଲାମରେ ପ୍ରସିଦ୍ଧ ‘ଯଶୋଦ ଓ କୃଷ୍ଣ’ ଅଏଲ ପେଣ୍ଟିଂକୁ ରେକର୍ଡ ୧୬୭.୨ କୋଟି (୧୮ ନିୟୁତ ଡଲାର)ଟଙ୍କାରେ କିଣି ନେଇଛନ୍ତି। ତାଙ୍କର ଏହି ପଦକ୍ଷେପ ଆଧୁନିକ ଭାରତୀୟ କଳାକ୍ଷେତ୍ରରେ ଏକ ନୂଆ ରେକର୍ଡ ସୃଷ୍ଟି କରିଛି। ଭାରତର ଜଣାଶୁଣା ଚିତ୍ରକର ରାଜା ରବି ବର୍ମା ଏହି ପେଣ୍ଟିଂର ସ୍ରଷ୍ଟା।ଏହି କଳାକୃତିର ଆନୁମାନିକ ମୂଲ୍ୟ ୮୦ରୁ ୧୨୦ କୋଟି ଟଙ୍କା ମଧ୍ୟରେ ଥିଲା। ତେବେ ଏହାର ଚୂଡ଼ାନ୍ତ ମୂଲ୍ୟ ଆନୁମାନିକ ନ୍ୟୁନତମ ମୂଲ୍ୟର ଦୁଇଗୁଣରୁ ବି ଅଧିକ ହୋଇଛି।

ନିଲାମରେ ଏପର୍ୟ୍ୟନ୍ତ ବିକ୍ରି ହୋଇଥିବା ଏହା ସବୁଠୁ ମହଙ୍ଗା ଭାରତୀୟ ପେଣ୍ଟିଂ। ଏହି ବିକ୍ରି ପିଛିଲା ରେକର୍ଡ ୪୯.୨ କୋଟିକୁ ପଛରେ ପକାଇ ଦେଇଛି। ଏହା ଆଧୁନିକ ଭାରତୀୟ କଳା ପ୍ରତି ବଢୁଥିବା ଚାହିଦା ଓ ନିବେଶକଙ୍କ ବଢୁଥିବା ଭରସାର ସଂକେତ। ୧୮୯୦ ଦଶକରେ ତିଆରି ହୋଇଥିବା ଏହି ପେଣ୍ଟିଂର ଆକାର ୩୫x୨୮.୨୫ ଇଞ୍ଚ। ଏହାକୁ ଭାରତୀୟ କଳାର ସବୁଠୁ ପ୍ରତିଷ୍ଠିତ କୃତି ମଧ୍ୟରୁ ଅନ୍ୟତମ ମନେ କରାଯାଏ। କଳା ବିଶେଷଜ୍ଞ ଏହାକୁ ଭାରତୀୟ କଳାର ‘ମୋନାଲିସା’ କହନ୍ତି ।

ଜାଣନ୍ତୁ ସାଇରସ ପୁନାୱାଲା କିଏ?
ଡା.ସାଇରସ ଏସ୍. ପୁନାୱାଲାଙ୍କୁ ଭାତରେ ଭେକ୍ସିନ କିଙ୍ଗ କୁହାଯାଏ। ସେ ୧୯୬୬ ମସିହାରେ ସିରମ ଇନିଷ୍ଟିଚ୍ୟୁଟ୍ ଅଫ ଇଣ୍ଡିଆ ସ୍ଥାପନା କରିଥିଲେ ଓ ଏହାକୁ ବିଶ୍ୱର ସର୍ବ ବୃହତ୍ତ ଭେକ୍ସିନ ନିର୍ମାଣକାରୀ କମ୍ପାନୀରେ ପରିଣତ କରିଛନ୍ତି। କୋଭିଡ-୧୯ କାଳରେ ଏହି ସଂସ୍ଥା କୋଭିସିଲ୍ଡ ଭେକ୍ସିନ ତିଆରି କରିଥିଲା, ଯାହା ଭାରତରେ ସବୁଠୁ ଅଧିକ ଉପଯୋଗରେ ଆସିଥିଲା। ଏହି ଭେକ୍ସିନକୁ ଆଷ୍ଟ୍ରାଜେନେକା ଏବଂ ଅକ୍ସଫୋର୍ଡ ୟୁନିଭର୍ସିଟି ମିଳିତ ପ୍ରସ୍ତୁତ କରିଥିଲେ।

ବିଶ୍ୱର ୪୬ତମ ଧନୀ ବ୍ୟକ୍ତି
ହୁରୁନ ଗ୍ଲୋବାଲ ରିଚ୍ ଲିଷ୍ଟ ୨୦୨୩ ରେ ପୁନାୱାଲାଙ୍କୁ ବିଶ୍ୱର ଧନୀକଙ୍କ ସୂଚୀରେ ୪୬ତମ ସ୍ଥାନ ଦେଇଥିଲା। ଏହା ଛଡା ସେ ଭାରତର ହେଲଥ୍ କେୟାର ସେକ୍ଟରର ସବୁଠୁ ଧନାଢ୍ୟ ବ୍ୟକ୍ତି ରୂପେ ଜଣା ଯାଆନ୍ତି। ଅକ୍ଟୋବର ୨୦୨୪ରେ ପୁନାୱାଲା ଓ ତାଙ୍କ ପରିବାରକୁ ଫୋର୍ବସର ୧୦୦ ଭାରତୀୟ ଧନୀକଙ୍କ ସୂଚୀର ନବମ ସ୍ଥାନ ମିଳିଥିଲା। ସେତେବେଳେ ତାଙ୍କର ମୋଟ ସମ୍ପତ୍ତି ୨୨.୧ ବିଲିୟନ ଡଲାର ଥିଲା। ୨୦୨୬ ହୁରୁନ ରିଚ ଲିଷ୍ଟରେ ତାଙ୍କୁ ଭାରତର ଚତୁର୍ଥ ସବୁଠୁ ଧନୀ ବ୍ୟକ୍ତି ମାନ୍ୟତା ମିଳିଛି।

ପଦ୍ମ ଭୂଷଣରେ ସମ୍ମାନୀତ
୨୦୨୨ ମସିହାରେ ପୁନାୱାଲାଙ୍କୁ ଭାରତର ଶୀର୍ଷ ନାଗରିକ ସମ୍ମାନ ପଦ୍ମ ଭୂଷଣରେ ସମ୍ମାନୀତ କରାଯାଇଥିଲା। ଏହା ପୂର୍ବରୁ ୨୦୦୫ ମସିହାରେ ତାଙ୍କୁ ଚିକିତ୍ସା କ୍ଷେତ୍ରରେ ଯୋଗଦାନ ନିମନ୍ତେ ‘ପଦ୍ମ ଶ୍ରୀ’ ସମ୍ମାନରେ ସମ୍ମାନୀତ କରାଯାଇଥିଲା। ତାଙ୍କ ପୁଅ ଅଦାର ପୁନାୱାଲା ସିରମ ଇନିଷ୍ଟିଚ୍ୟୁଟର ସିଇଓ ଅଛନ୍ତି। ସେ କରଣ ଜୋହରଙ୍କ କମ୍ପାନୀ ଧର୍ମା ପ୍ରଡକ୍ସନର ସହ ମାଲିକ ମଧ୍ୟ।