କଟକ: ଗତକାଲି ଥିଲା ରବିବାର, ଜମିଥିଲା ମାଛ ବେପାର। ହେଲେ ଦିନକ ପରେ ସବୁ ପାଉଁଶ। ସେହି ଜଳି ଯାଇଥିବା ପାଉଁଶ ଭତରୁ ନିଜ ଜୀବିକାକୁ ଖୋଜିବାରେ ବ୍ୟସ୍ତ ବ୍ୟବସାୟୀ। ଆଖିରେ ଲୁହ , ମନରେ କୋହ ଚାପି ରଖି ଏଭଳି ପରିସ୍ଥିତିର ସାମ୍ନା କରିଛନ୍ତି। ଲକ୍ଷ ଲକ୍ଷ ଟଙ୍କା ଗୋଦାମରେ ଥିଲା କହି କାନ୍ଦି ପକାଉଛନ୍ତି। ଭାଗ୍ୟର ବିଡମ୍ବନା ଦେଖ ଯେଉଁ ବ୍ୟାଙ୍କରୁ ଲୋନ୍ ନେଇଥିଲେ…। ସେହି ବ୍ୟାଙ୍କ ବି ଜଳି ଯାଇଛି। ବ୍ୟବସାୟୀଙ୍କ ପେଟ ପାଟଣା କୁ ଲାତ ମାରିଛି ଏହି ଭୟଙ୍କର ନିଆଁ। ଯାହାର ଜ୍ୱାଳା ସବୁ କିଛି କରିଛି ଧ୍ୱଂସ। ଏହି ରୋଜଗାରରେ ଘର ଚଳୁଥିଲା, ପିଲା ପାଠ ପଢୁଥିଲେ ଆଉ କାଲି ପାଇଁ ସ୍ୱପ୍ନ ଦେଖୁଥିଲେ। ହେଲେ ଏବେ ସେମାନେ ରାସ୍ତାକୁ ଆସିଗଲୁ ବୋଲି କହିଛନ୍ତି। ଗୋଦାମ ନୁହେଁ ବରଂ ଜଳିଗଲା ସେମାନଙ୍କ ଜୀବନ । ଯେଉଁ ବ୍ୟାଙ୍କରୁ ଲୋନ୍ ଥିଲା ସେଇ ବ୍ୟାଙ୍କ ସହ ସବୁ ଜଳିଗଲା । ଏବେ EMI କେମିତି ସୁଝିବି ? ଖାତା ପୋଡ଼ିଗଲା ସିନା, ଋଣ ଖାତା ପୋଡିବନି - ଏଇଟା ହିଁ ସବୁଠୁ ବଡ଼ ଟ୍ରାଜେଡି।

ରାତି ୨ଟା । ଗଭୀର ନିଦରେ ଶୋଇଥିଲା କଟକ ସହର। ହେଲେ ପ୍ରେସ୍ ଛକରେ ଥିବା ମାଛ ଗୋଦାମରୁ ଉଠୁଥିଲା ନିଆଁ। ଦେଖୁ ଦେଖୁ ୪୦-୫୦ ବର୍ଷ ପୁରୁଣା କୋଠା ଜଳିଗଲା। ଭିତରେ ଥିଲା ବ୍ୟାଙ୍କ ଅଫ୍ ଇଣ୍ଡିଆ ଆଉ ୧୭ ଟି ମାଛ ଗୋଦାମ । CDA ଏବଂଚାଉଳିଆଗଞ୍ଜ ଅଗ୍ନିଶମ ଟିମ୍ ନିଆଁକୁ କାବୁ କରିବାକୁ ଚେଷ୍ଟା କରିଥିଲେ। ଯେଉଁଥିପାଇଁ ଲାଗିଗଲା ପୂରା ସାଢ଼େ ୯ ଘଣ୍ଟା। ଅର୍ଥାତ୍ ଦିନ ସାଢ଼େ ୧୧ଟା ବେଳକୁ ନିଆଁକୁ ଆୟତ୍ତ କରିଥିଲେ। ହେଲେ ବଡ଼ ଦୁଃଖର କଥା ଯେତେବେଳେ ନିଆଁ କଣ୍ଟ୍ରୋଲ୍ ହେଲା। ସେତେବେଳକୁ ଜୀବିକା ସରିଯାଇଥିଲା। ଉଜୁଡ଼ି ଯାଇଥିଲା ବ୍ୟବସାୟୀଙ୍କ କର୍ମକ୍ଷେତ୍ର। ଗୋଦାମରେ ଥିବା ମାଛ ସବୁ ଜଳି ପାଉଁଶ। ତାଠୁ ବଡ଼ ଦୁଃଖ ବ୍ୟାଙ୍କରେ ଜମା ଥିବା ୧୪ ଲକ୍ଷରୁ ଅଧିକ ଟଙ୍କା ସହ ବ୍ୟବସାୟୀଙ୍କ ମାଛ ବିକ୍ରି ଟଙ୍କା ସବୁ ଜଳି ପୋଡ଼ି ପାଉଁଶ। ଏବେ ସରକାର ହିଁ ଭରସା ...

କଳା କଙ୍କାଳ ଭଳି ୪୦-୫୦ ବର୍ଷ ପୁରୁଣା କୋଠାକୁ ନେଇ ଉଠିଛି ଏବେ ପ୍ରଶ୍ନ। ପ୍ରଶ୍ନ ଉଠାଇଛନ୍ତି ଖୋଦ୍ ସରକାରୀ ଫାୟାର ଅଫିସର ପ୍ରଶାନ୍ତ କୁମାର ଧଳ । ଏନେଇ ସଙ୍ଗୀନ୍ ଅଭିଯୋଗ ଆଣିଛନ୍ତି । କହିଛନ୍ତି ଏହି କୋଠାର ଫାୟାର୍ ସେଫ୍ଟି NOC ନଥିଲା। ବିଲ୍ଡିଂ ମାଲିକ ବି ଫାୟାର୍ ବିଭାଗକୁ ତାଙ୍କ ଆଡୁ କୌଣସି ସୂଚନା ଦେଇନଥିଲେ । ଏହାରି ଭିତରେ କଟକବାସୀଙ୍କ ସୁରକ୍ଷାକୁ ନେଇ ଉଠିଛି ପ୍ରଶ୍ନ। କଟକ ଜିଲ୍ଲାପାଳ ଘଟଣାସ୍ଥଳ ବୁଲି ଦେଖିଛନ୍ତି । କିନ୍ତୁ ଗଣମାଧ୍ୟମକୁ କିଛି ସୂଚନା ଦେଇ ନାହାନ୍ତି। ପ୍ରଶାସନର ନୀରବତା ପ୍ରଶ୍ନକୁ ଆହୁରି ଜଟିଳ କରିଛି। ଏଇ ଦୁର୍ଘଟଣା ପରେ କ’ଣ ଆକ୍ସନ୍ ହେବ ? ପରିଣାମ ହେଲା ଗୋଟିଏ ବିପଦ ନିଆଁରୁ ତିନିଟି ଟ୍ରାଜେଡି। ବ୍ୟାଙ୍କ, ବ୍ୟବସାୟୀ, ଗ୍ରାହକ - ସମସ୍ତେ ଆଜି ରାସ୍ତାରେ। ବ୍ୟାଙ୍କ୍ ପାଇଁ ବି ଚ୍ୟାଲେଞ୍ଜ - ସର୍ଭର ଜଳିଗଲା, ହଜାର ହଜାର ଗ୍ରାହକଙ୍କ ଡାଟା କେମିତି ରିକଭରି ହେବ? ଗୋଟେ ପଟେ ବ୍ୟବସାୟୀ ସର୍ବସ୍ୱାନ୍ତ, ଅନ୍ୟ ପଟେ ବ୍ୟାଙ୍କ ଗ୍ରାହକ ଚିନ୍ତାରେ - ପାସବୁକ୍, FD, ଲକର୍ କ’ଣ ହେବ?

Also Read- ଗାଡ଼ି ଭଡ଼ାରେ ନେଇ ଯାଇଥିଲେ, ଶାବଳରେ ମୋବାଇଲ ଦୋକାନ ସଟର ଭାଙ୍ଗିବାକୁ କରିଥିଲେ ଉଦ୍ୟମ

ଶେଷରେ ଗୋଟେ ନିଆଁରୁ ହଜିଯାଇଛି ଅନେକ ପ୍ରଶ୍ନ। ବ୍ୟବସାୟୀଙ୍କ ଜୀବିକା, ଗ୍ରାହକଙ୍କ ଭରସା, ଆଉ ବ୍ୟବସ୍ଥାର ଦାୟିତ୍ୱବୋଧ। ସାଢେ ୯ ଘଣ୍ଟାରେ ସବୁ ସ୍ୱାହା। ଏବେ ବଞ୍ଚିଛି କେବଳ ପାଉଁଶ, ପ୍ରଶ୍ନ, ଆଉ ସୁଶାନ୍ତଙ୍କ ଭଳି ଅନେକ ଲୋକଙ୍କ କୋହ । କଟକ ସହରରେ ଏମିତି ସାମନ ପରିସ୍ଥିତିରେ ବିପଦ ସବୁ ଟାଇମ୍ ବମ୍ ଭଳି ଟିକ୍ ଟିକ୍ ହେଉଛି। ତା’ର ହିସାବ କାହା ପାଖରେ ବି ନାହିଁ। ମାଛ ବ୍ୟବସାୟୀଙ୍କ ଆଖିର ଲୁହ ଶୁଖିନି। ଖାତା ପୋଡ଼ିଗଲା ସିନା, ଋଣ ଖାତା ପୋଡିବନି - ଏଇଟା ହିଁ ଗରିବଙ୍କ ପାଇଁ ସବୁଠୁ ବଡ଼ ଅଭିଶାପ।