କଟକ: ବାଲିଯାତ୍ରା ପଡ଼ିଆରେ ଦୋଳି ଚଳାଚଳ ଉପରେ ଲାଗିଥିବା କଟକଣାକୁ ହଟାଇଛି ପ୍ରଶାସନ। ଅବଶ୍ୟ ସବୁ ଦୋଳିକୁ ଏକାଥରେ ଚଳାଇବାକୁ ଅନୁମତି ମିଳିବ ନାହିଁ। ଯେଉଁ ଦୋଳି ଫିଟନେସ୍ ପାସ୍ କରିବ ଏବଂ ପ୍ରମାଣପତ୍ର ପାଇବ, କେବଳ ସେହି ଦୋଳି ଚାଲିବ ବୋଲି ପ୍ରଶାସନ ସ୍ପଷ୍ଟ କରିଛି।

ସୂଚନାଥାଉକି, ଗତକାଲି ରାତିରେ ବାଲିଯାତ୍ରାରେ ରାମ ଦୋଳିରୁ ପଡ଼ି ଜଣେ ଯୁବକଙ୍କ ମୃତ୍ୟୁ ହୋଇଥିଲା। ଦୋଳିରେ ବସିଥିବା ବେଳେ ଗୋଟିଏ ସ୍ଥାନରୁ ଅନ୍ୟ ସ୍ଥାନକୁ ଯିବାକୁ ଉଦ୍ୟମ କରିବା ସମୟରେ ସେ ତଳକୁ ଖସି ପଡ଼ିଥିବା କୁହାଯାଉଛି। ଏଥିରେ ତାଙ୍କ ନାକ ଓ କାନରେ ଆଘାତ ଲାଗିବା ସହ ସେ ଚେତାଶୂନ୍ୟ ହୋଇପଡ଼ିଥିଲେ।

ତୁରନ୍ତ ତାଙ୍କୁ ବାଲିଯାତ୍ରା ପଡ଼ିଆରେ ଥିବା ପ୍ରାଥମିକ ଚିକିତ୍ସା କେନ୍ଦ୍ରକୁ ନିଆଯାଇଥିଲା। ପରେ ଗୁରୁତର ଅବସ୍ଥାରେ କଟକ ବଡ଼ ଡାକ୍ତରଖାନାକୁ ସ୍ଥାନାନ୍ତର କରାଯାଇଥିଲା। ମାତ୍ର ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ।

ଏହି ଘଟଣା ପରେ ପ୍ରଶାସନ ପକ୍ଷରୁ ବାଲିଯାତ୍ରା ପଡ଼ିଆରେ ଦୋଳି ଚଳାଚଳ ଉପରେ କଟକଣା ଲଗାଯାଇଥିଲା। ତେବେ ଶୁକ୍ରବାର ଦୋଳି ବ୍ୟବସାୟୀ ସଂଘ ଓ ଜିଲ୍ଲାପାଳଙ୍କ ମଧ୍ୟରେ ଆଲୋଚନା ପରେ ସମସ୍ତ ଦୋଳିର ଫିଟନେସ୍ ଯାଞ୍ଚ କରାଯାଇଛି। ଯାଞ୍ଚ ପରେ ଯେଉଁ ଦୋଳିକୁ ଫିଟନେସ୍ ପ୍ରମାଣପତ୍ର ମିଳିବ, କେବଳ ସେହି ଦୋଳି ଚଳାଇବାକୁ ଅନୁମତି ଦିଆଯିବ।

Also Read: ବାଲିଯାତ୍ରାରେ ବ୍ୟବସାୟୀ ନିରାଶ... କାହିଁକି ମଳିନ ପଡ଼ିଲା ସେମାନଙ୍କ ଖୁସି...

ଅନ୍ୟପଟେ ଯୁବକ ଜଣକ କେଉଁ ପରିସ୍ଥିତିରେ ଦୋଳିରୁ ଖସି ପଡ଼ିଲେ ? ତାହାର ନିରପେକ୍ଷ ତଦନ୍ତ କରିବା ସହ ପରିବାରକୁ ଆର୍ଥିକ ସହାୟତା ଦେବାକୁ ମୃତକଙ୍କ ସମ୍ପର୍କୀୟ ଦାବି କରିଛନ୍ତି। ଦୁର୍ଘଟଣା ପରେ ଦୋଳି ଚଳାଚଳ ବନ୍ଦ ହୋଇଥିବା ବେଳେ ଏବେ ଫିଟନେସ୍ ପ୍ରମାଣପତ୍ର ଆଧାରରେ ପୁଣି ଦୋଳି ଚାଲିବାକୁ ଯାଉଛି।