ଦିଗପହଣ୍ଡି ୧୦।୦୧ : ଘୋଡ଼ାହାଡ଼ ଡ୍ୟାମ୍ରେ ଶେଷ ହେଲା କୁମ୍ଭୀର ଗଣନା । ଜଙ୍ଗଲ ପରିବେଶ ଓ ଜଳବାୟୁ ପରିବର୍ତ୍ତନ ବିଭାଗ ବ୍ରହ୍ମପୁର ବନଖଣ୍ଡ ଅଧିକାରୀଙ୍କ ତତ୍ୱାବଧାନରେ କୁମ୍ଭୀର ଗଣନା ଶେଷ ହୋଇଛି । ଦିଗପହଣ୍ଡି ବ୍ଳକ ଖମାରି ଗାଁ ପଞ୍ଚାୟତ ସଂଲଗ୍ନ ଘୋଡ଼ାହାଡ଼ ଡ୍ୟାମରେ ୪ ଦିନ ଧରି ଚାଲିଥିବା କୁମ୍ଭୀର ଗଣନା ଶେଷ ହୋଇଛି।

ତେବେ ଚଳିତ ବର୍ଷ ଘୋଡାହାଡ ଡ୍ୟାମରେ ସମୁଦାୟ ଛୋଟ- ବଡ଼ ୯୫ ଟି ଗୋ-ମୁହାଁ ପ୍ରଜାତିର କୁମ୍ଭୀର ଥିବା ନିୟୋଜିତ ବନ କର୍ମଚାରୀ ଗଣନା କରିଛନ୍ତି । ବନକୁମ୍ଭୀର ଗଣନା ପାଇଁ ବନ ବିଭାଗ ପକ୍ଷରୁ ୨୫ଟି ଟିମ ଗଠନ କରାଯାଇଥିଲା । ଡ୍ୟାମର ୧୦ଟି ସେଗମେଣ୍ଟ ସହ ୧୬ଟି ପୋଖରୀରେ କୁମ୍ଭୀର ଗଣନା କରାଯାଇଥିଲା। ଗତ ବର୍ଷ ଡ୍ୟାମ ଓ ଆଖପାଖ ପୋଖରୀରେ କୁମ୍ଭୀରଙ୍କ ସଂଖ୍ୟା ୮୭ ରହିଥିବା ବେଳେ ଚଳିତବର୍ଷ ତାହା ବୃଦ୍ଧି ପାଇ ୯୫ରେ ପହଞ୍ଚିଛି। ଡ୍ୟାମରେ ୬୩ଟି କୁମ୍ଭୀରଙ୍କୁ ଚିହ୍ନଟ କରାଯାଇଥିବା ବେଳେ ୧୬ଟି ପୋଖରୀରେ ୩୨ଟି କୁମ୍ଭୀରଙ୍କୁ ଚିହ୍ନଟ କରାଯାଇଥିଲା।