ଜୟପୁର ୫।୧୨: ରାଜସ୍ଥାନ ହାଇକୋର୍ଟ ଲିଭ-ଇନ ରିଲେସନସିପ ଉପରେ ଐତିହାସିକ ରାୟ ଦେଇଛନ୍ତି। କୋର୍ଟ କହିଛନ୍ତି ଯେ, କୌଣସି ପୁଅ ଓ ଝିଅ ଯେଉଁମାନଙ୍କ ବିବାହ ବୟସ ହୋଇନଥିବ ସେମାନେ ଚାହିଁଲେ ଲିଭ-ଇନ ରିଲେସନସିପରେ ରହିପାରିବେ। କୋର୍ଟର ଜନୈକା ୧୮ ବର୍ଷ ବୟଷ୍କା କିଶୋରୀ ଓ ୧୯ ବର୍ଷ ବୟଷ୍କ କିଶୋର ଙ୍କ ଦ୍ୱାରା ରାଜସ୍ଥାନ ହାଇକୋର୍ଟରେ ରୁଜୁ ଏକ ପିଟିସନର ଶୁଣାଣିରେ ଏହି ରାୟ ଦେଇଛନ୍ତି।

ରାଜସ୍ଥାନ ହାଇକୋର୍ଟଙ୍କ ବିଚାରପତି ଜଷ୍ଟିସ୍ ଅନୂପ ଢାଣ୍ଡ କହିଛନ୍ତି ଯେ ଅନୁଚ୍ଛେଦ ୨୧ ଅନୁସାରେ ସମସ୍ତଙ୍କର ଜୀବନ ଓ ବ୍ୟକ୍ତିଗତ ସ୍ୱାଧୀନତାର ଅଧିକାର ରହିଛି। ଏଣୁ ଆବେଦନକାରୀଙ୍କ ଉପରେ କୌଣସି ପ୍ରକାରର ବିପଦକୁ ସାମ୍ବିଧାନିକ ଉଲ୍ଲଂଘନ ମନେ କରାଯିବ। କୋର୍ଟ କହିଛନ୍ତି ଯେ ଆବେଦନକାରୀ ବିବାହ ଯୋଗ୍ୟ ନୁହନ୍ତି, କେବଳ ଏହା କହି ସେମାନଙ୍କୁ ମୌଳିକ ଅଧିକାରରୁ ବଞ୍ଚିତ ରଖାଯାଇ ପାରିବନି। ଲିଭ-ଇନ ରିଲେସନସିପ୍ ନା ତ ଅବୈଧ ନା ଭାରତୀୟ ଆଇନ ଅନୁସାରେ ଅପରାଧ ଶ୍ରେଣୀରେ ଆସୁଛି। ଏଣୁ ସେମାନେ ଲିଭ-ଇନ ରେ ରହି ପାରିବେ।

ଉଲ୍ଲେଖଯୋଗ୍ୟ ଯେ ଏହି ଯୋଡା ଲିଭ-ଇନରେ ରହୁଛନ୍ତି। ଆବେଦନକର୍ତ୍ତାଙ୍କ ଅନୁସାରେ ସେମାନେ ୨୭ ଅକ୍ଟୋବର ୨୦୨୫ରୁ ଲିଭ-ଇନରେ ଅଛନ୍ତି। ହେଲେ କିଶୋରୀଙ୍କ ପରିବାର ଲୋକେ ଏହାକୁ ବିରୋଧ କରୁଛନ୍ତି। ସେମାନେ ଯୋଡିଙ୍କୁ ଜୀବନରେ ମାରିଦେବାକୁ ଧମକ ଦେଉଛନ୍ତି। ଏହି ଦୃଷ୍ଟିରୁ ଯୋଡା ପୋଲିସ ସୁରକ୍ଷା ନିବେଦନ କରିଛନ୍ତି। ଏଥିରେ ରାଜସ୍ଥାନ ହାଇକୋର୍ଟଙ୍କ ସରକାରୀ ଓକିଲ କହିଛନ୍ତି ଯେ ପୁଅ ଓ ଝିଅଙ୍କର ଏବେ ବିବାହ ବୟସ ହୋଇ ନାହିଁ। ପୁଅ ୨୧ ବର୍ଷରୁ କମ ବୟସର ହୋଇଥିବା ବେଳେ ଝିଅର ବୟସ ୧୮ ବର୍ଷରୁ ମଧ୍ୟ କମ୍। ଏଣୁ ଦୁଇ ଜଣଙ୍କୁ ଲିଭ-ଇନରେ ରହିବାକୁ ଅନୁମତି ଦିଆଯାଇ ନପାରେ।

ତେବେ କିଶୋର ଓ କିଶୋରୀ ଅଭିଯୋଗ କରିଛନ୍ତି ଯେ ସେମାନେ କୋଟା ପୋଲିସକୁ ସୁରକ୍ଷା ନିମନ୍ତେ ଲିଖିତ ଆବେଦନ କରିଥିଲେ। ତେବେ ସେମାନଙ୍କ ଆବେଦନ ଉପରେ କୌଣସି କାର୍ଯ୍ୟାନୁଷ୍ଠାନ ହୋଇନି। ତେବେ କୋର୍ଟ ଭିଲୱାଡା ଓ ଯୋଧପୁର ପୋଲିସକୁ ସେମାନଙ୍କୁ ସୁରକ୍ଷା ଯୋଗାଇ ଦେବାକୁ ନିର୍ଦ୍ଦେଶ ଦେଇଛନ୍ତି।